କନକ ବ୍ୟୁରୋ: ଭାରତର ଏକ ଗାଁରେ ଚାଲିଛି ଆମେରିକା ଉପରାଷ୍ଟ୍ରପତିଙ୍କ ପାଇଁ ପୂଜାର୍ଚ୍ଚନା । ଆମେରିକାର ରାଷ୍ଟ୍ରପତି ନିର୍ବାଚନ ଲଢୁଥିବା କମଲା ହାରିସଙ୍କ ପାଇଁ ଭାରତର ଏକ ଗାଁରେ ପୂଜାର୍ଚ୍ଚନା ସହ ମିଠା ବଣ୍ଟା ଚାଲିଛି । ଥୁଲାସେନ୍ଦ୍ରପୁରମ୍ ଗାଁର ରାସ୍ତା ପାଶ୍ୱର୍ରେ କମଲା ହାରିସଙ୍କ ଏକ ବଡ ବ୍ୟାନର ଲଗାଯାଇଛି । ଗୀର୍ଜାଘରେ ତାଙ୍କ ବିଜୟ ପାଇଁ ପ୍ରାର୍ଥନା କରୁଛନ୍ତି ଗ୍ରାମବାସୀ । ଏଥିସହିତ ଲୋକଙ୍କୁ ମିଠା ମଧ୍ୟ ବଣ୍ଟା ଯାଉଛି । ୱାସିଙ୍ଗଟନ୍ ଡିସି ରୁ ୧୪ ହଜାର କିମି. ରୁ ଅଧିକ ଦୂରରେ ଥିବା ଦକ୍ଷିଣ ଭାରତୀୟ ଗାଁ ହେଉଛି ଥୁଲାସେନ୍ଦ୍ରପୁରମ୍ । ଏଠାକାର ବାସିନ୍ଦା ଆଗ୍ରହର ସହ ଅନାଇ ରହିଛନ୍ତି କମଲା ହାରିସ୍ ଆଗାମୀ ରାଷ୍ଟ୍ରପତି ନିର୍ବାଚନ ଜିତୁଛନ୍ତି କି ନାହିଁ । ଆମେରିକାରେ ୫ ନମ୍ଭେମ୍ବରରେ ରାଷ୍ଟ୍ରପତି ପଦ ପାଇଁ ନିର୍ବାଚନ ହେବାକୁ ଯାଉଛି । ତେବେ ଗ୍ରାମବସୀଙ୍କ କହିବାନୁଯାୟୀ କମଲା ହାରିସ୍ ନିର୍ବାଚନ ଜିତନ୍ତୁ କି ନଜିତନ୍ତୁ କିନ୍ତୁ ସେ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ଲଢୁଛନ୍ତି ସେଇଟା ହିଁ ଆମ ପାଇଁ ଖୁସିର ବିଷୟ । ତେବେ କଣ ପାଇଁ ଏତେ ଖୁସି ଏହି ଗାଁର ଗ୍ରାମବାସୀ..? କଣ ରହିଛି ଏହି ଗାଁ ସହିତ କମଲା ହାରିସଙ୍କ ସମ୍ପର୍କ ? ଆସନ୍ତୁ ଜାଣିବା...
ଥୁଲାସେନ୍ଦ୍ରପୁରମ୍ ଏକ ଛୋଟ ଗାଁ । ଯାହା ଚେନ୍ନାଇରୁ ପାଖାପାଖି ୩୦୦ କିମି ଦୂରରେ ଅବସ୍ଥିତ । ଏହି ଗାଁ ରେ କମଲା ହାରିସଙ୍କ ଜେଜେ ବାପା ପିବି ଗୋପାଲନ ଜନ୍ମଗ୍ରହଣ କରିଥିଲେ । ଏଠାକାର ଲୋକମାନେ ବଡ ଗର୍ବର ସହ ରାସ୍ତା ମଝିରେ କମଲା ହାରିସଙ୍କ ଏକ ବଡ ବ୍ୟାନର ଲଗାଇଛନ୍ତି । ଜଣେ ସ୍ଥାନୀୟ ରାଜନେତା କହିଛନ୍ତି, ସେ ନିର୍ବାଚନ ଜିତନ୍ତୁ କି ନଜିତନ୍ତୁ ଆମ ପାଇଁ କିଛି ଗୁରୁତ୍ୱପୂର୍ଣ୍ଣ ନୂହେଁ ବରଂ ଆମ ପାଇଁ ଗୁରୁତ୍ୱ ଏହା ଯେ ସେ ନିର୍ବାଚନ ଲଢୁଛନ୍ତି । ଏହା ଐତିହାସିକ ଏବଂ ଆମକୁ ଗୌରବାନ୍ୱିତ କରୁଛି । କମଲା ହାରିସ୍ ସବୁବେଳେ ନିଜ ମାଙ୍କ ବିଷୟରେ କହିଥାନ୍ତି । କାରଣ ତାଙ୍କ ମା ଭାରତୀୟ ବଂଶଜ । କମଲା ହାରିସ୍ ଯତେବେଳେ ୫ ବର୍ଷର ଥିଲେ ସେତେବେଳେ ସେ ଏହି ଗାଁ ଥୁଲସେନ୍ଦ୍ରପୁରମ୍କୁ ଆସିଥିଲେ ।
ସେହିସମୟରେ ସେ ତାଙ୍କ ଜେଜେ ବାପାଙ୍କସହ ଅଧିକ ସମୟ ଏଠାରେ ବିତାଇଥିଲେ । ଶେଷ ଥର ୨୦୦୯ ରେ ଆସିଥିଲେ ତାଙ୍କ ମା ଙ୍କ ଅସ୍ତିବିସର୍ଜନ କରିବା ପାଇଁ । କିନ୍ତୁ ଉପରାଷ୍ଟ୍ରପତି ହେବା ଦିନଠୁ ଆଉ ଏହି ଗାଁକୁ ଆସିନାହାଁନ୍ତି । ହେଲେ ତାଙ୍କ ଉପସ୍ଥିତି ଗାଁ ର ଦୋକାନ ଏବଂ ଘରେ ଲାଗିଥିବା ତାଙ୍କ ପୋଷ୍ଟରରୁ ହିଁ ଜଣାପଡୁଛି । ସ୍ଥାନୀୟ ମନ୍ଦିର ନିକଟରେ ଲାଗିଥିବା ତାଙ୍କର ଏକ ବଡ ବ୍ୟାନରରେ କମଲା ହାରିସ୍ଙ୍କୁ ଗାଁର ମହାନ ଝିଅ ବୋଲି କୁହାଯାଇଛି । ତେବେ ଥୁଲାସେନ୍ଦ୍ରପୁରମ୍ ରେ କମଲା ହାରିସଙ୍କ ପରିବାରର କୌଣସି ସମ୍ପର୍କୀୟ ଆଉ ଜୀବିତ ନାହାଁନ୍ତି । ସେଠାରେ ତାଙ୍କର କେବଳ ଏକ ପୈତୃକ ଘର ରହିଛି । ଏଥିସହିତ କମଲା ହାରିସଙ୍କ ପରିବାରର ନାଁ ୩୦୦ ବର୍ଷ ପୁରୁଣା ଏକ ମନ୍ଦିରର ପଥରରେ ଲେଖା ଥିବା କୁହାଯାଉଛି ।