କନକ ବ୍ୟୁରୋ: ଜେସିବିରେ ମୂର୍ଛା ହୋଇ ଶୋଇଛନ୍ତି ଆହତ ଶ୍ରମିକ । ଶ୍ରମିକଙ୍କୁ ନିଆଯାଉଛି ଡାକ୍ତରଖାନା । ରବିବାର ଖୋର୍ଦ୍ଧା ବାଲିପାଟଣା ଅଠାନ୍ତର ନୂଆଗାଁ ନିକଟରେ ଏକ ପାଚେରି ଭୁଶୁଡ଼ି ପଡ଼ିବାରୁ ୩ ଶ୍ରମିକ ଗୁରୁତର ହୋଇପଡିଥିଲେ । ୧୦୮ ଆମ୍ବୁଲାନ୍ସକୁ ବାରମ୍ବାର ଯୋଗାଯୋଗ କଲେ ବି ପହଞ୍ଚିପାରିନଥିଲା । ଶେଷରେ ସ୍ଥାନୀୟ ଲୋକେ ଦୁଇ ଶ୍ରମିକଙ୍କୁ ଜେସିବି ଓ ଆଉ ଜଣଙ୍କୁ ବାଇକ ସହାୟତାରେ ବାଲିପାଟଣା ମେଡିକାଲକୁ ନେଇଥିଲେ । ଶ୍ରମିକ ଗୁରୁତର ଥିବାରୁ କ୍ୟାପିଟାଲ ହସ୍ପିଟାଲ ନେବାକୁ କହିଥିଲେ ଡାକ୍ତର । ଆହତ ଶ୍ରମିକଙ୍କୁ ସ୍ଥାନାନ୍ତର କରିବା ପାଇଁ ୧୦୮ ଆମ୍ବୁଲାନ୍ସ ବିଳମ୍ବରେ ପହଞ୍ଚିଥିଲା । ଆଉ କ୍ୟାପିଟାଲ ହସ୍ପିଟାଲରେ ପହଞ୍ଚିଲା ବେଳକୁ ସବୁ ସରିଯାଇଥିଲା । ଡାକ୍ତର ଦୁଇ ଶ୍ରମିକଙ୍କୁ ମୃତ ଘୋଷଣା କରିଥିଲେ ।
ଭଦ୍ରକ ଜିଲ୍ଲାରେ ଗଡୁଛି ଏହି ୧୦୮ ଆମ୍ବୁଲାନ୍ସ । ସାମାନ୍ୟ ବର୍ଷା ହେଲେ ଏହି ଆମ୍ବୁଲାନ୍ସ ଭିତରେ କେବଳ ପାଣି ହିଁ ପାଣି ହୋଇଯାଉଛି । ଆମ୍ବୁଲାନ୍ସ ଉପର ଛାତ କଣା ହୋଇଯିବାରୁ ବର୍ଷା ପାଣି ପଶୁଛି । କେତେବେଳେ କର୍ମଚାରୀ ସମସ୍ୟାରେ ତ, କେତେବେଳେ ରୋଗୀ ଓ ରୋଗୀଙ୍କ ସମ୍ପର୍କୀୟ ସମସ୍ୟା ଘେରରେ ଯାତ୍ରା କରୁଛନ୍ତି ।
୧୦୮ ଆମ୍ବୁଲାନ୍ସ ସେବା ବିପର୍ଯ୍ୟସ୍ତ ନେଇ ଆମେ ବାରମ୍ବାର ଖବର ପ୍ରସାରଣ କରିଚାଲିଛୁ । ବିଳମ୍ବରେ ହେଲେ ବି ସମସ୍ୟା ଉପରେ ଏବେ ସରକାରଙ୍କ ନଜର ପଡିଛି । କେତେ ସମୟରେ ଆମ୍ବୁଲାନ୍ସ ପହଞ୍ଚୁଛି, ଜରୁରୀ ଚିକିତ୍ସା ସାମଗ୍ରୀ ଅଛି କି ନାହିଁ?, କର୍ମଚାରୀଙ୍କ ବ୍ୟବହାର କେମିତି?, ରୋଗୀ ସନ୍ତୁଷ୍ଟ ହେଉଛନ୍ତି କି ନାହିଁ?, ପ୍ରଶିକ୍ଷିତ ସ୍ବାସ୍ଥ୍ୟ କର୍ମଚାରୀ ରହୁଛନ୍ତି କି ନାହିଁ?, ସେ ବିଷୟରେ ଯାଞ୍ଚ କରାଯିବ ବୋଲି ସରକାର ନିଷ୍ପତ୍ତି ନେଇଛନ୍ତି। ସେପଟେ ସରକାର ନିଷ୍ପତ୍ତି ଉପରେ ପ୍ରଶ୍ନ ଉଠାଇଛି ୧୦୮ କର୍ମଚାରୀ ସଂଘ।
ଜଗତସିଂହପୁରରେ ଦେଖିବାକୁ ମିଳିଥିବା ଏକ ଦୃଶ୍ୟରେ ଏକ ଆମ୍ବୁଲାନ୍ସରେ ରୋଗୀ ବଦଳରେ ପେଟିରେ ବନ୍ଧା ହୋଇଥିବା ବିଭିନ୍ନ ସାମଗ୍ରୀ ନିଆଯାଉଛି । ସେପଟେ ପୁରୀରୁ ଆସିଥିବା ଦୃଶ୍ୟରେ ଦେଖିବାକୁ ମିଳିଛି ଯେ, ଆମ୍ବୁଲାନ୍ସରେ ରୋଗୀଙ୍କ ବଦଳରେ ଯାଉଛନ୍ତି ରଥଯାତ୍ରା ଡ୍ୟୁଟିରେ ଥିବା କର୍ମଚାରୀ । ତେଣୁ ପ୍ରକୃତରେ ଆମ୍ବଲାନ୍ସ ସେବା କାହା ପାଇଁ, ତାକୁ ନେଇ ଉଠୁଛି ପ୍ରଶ୍ନ ।