କନକ ବ୍ୟୁରୋ: ଖରାପ ରାସ୍ତା ପାଇଁ ପହଞ୍ଚି ପାରିଲାନି ଆମ୍ବୁଲାନ୍ସ । କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକରୁ ଆସିଲା ପୁଣି ଜନନୀ ଯନ୍ତ୍ରଣା ଦୁଃଖ । ବିଜେପୁର ପଞ୍ଚାୟତର କୁଟିଆକନ୍ଧଙ୍କ ପୋଡାପଦର ଗାଁର ଜଣେ ମହିଳାଙ୍କ ପ୍ରସବ ଯନ୍ତ୍ରଣା ହେବାରୁ ଗାଁକୁ ପହଞ୍ଚି ପାରିଲା ନାହିଁ ଆମ୍ବୁଲାନ୍ସ । ୧ କି.ମି. ବାଟ ଚାଲିବା ପରେ ରାସ୍ତାରେ ଏକ ଶିଶୁପୁତ୍ରକୁ ଜନ୍ମ ଦେଲେ । ପୁଣି ପୁତ୍ରକୁ ଧରି ଚାଲି ଚାଲି ଆମ୍ବୁଲାନ୍ସ ନିକଟରେ ପହଞ୍ଚିଲେ । ଗାଁକୁ ରାସ୍ତା ନଥିବାରୁ ୧ କି.ମି. ଦୂର କଳାକୁପା-ବିଶ୍ୱନାଥପୁର ମୁଖ୍ୟ ରାସ୍ତାର ବିଜେପୁର ବଜାର ପଡା ନିକଟରେ ଅଟକି ରହିଥିଲା ।

Advertisment

ନବଜାତ ଶିଶୁକୁ ନେଇ ପହଞ୍ଚିବା ପରେ ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ଡାକ୍ତରଖାନାକୁ ପଠାଯାଇଥିଲା । ପୋଡାପଦର ବାସୀଙ୍କ କହିବା ଅନୁସାରେ ଗାଁରେ ୧୦୦ ବର୍ଷ ହେଲା ୧୨ ଆଦିବାସୀ ପରିବାର ବସବାସ କରୁଛୁ । ଆମର ମୁଖ୍ୟ ସମସ୍ୟା ହେଉଛି ରାସ୍ତା । ରାସ୍ତା ନଥିବାରୁ ଗ୍ରାମବାସୀ ନାନାଦି ଅସୁବିଧା ଭୋଗୁଛୁ । ଗର୍ଭବତୀ କିମ୍ବା ଗୁରୁତର ରୋଗୀଙ୍କୁ ଖଟିଆରେ ୧ କିମି ବୋହି କି ମୁଖ୍ୟ ରାସ୍ତା ନେବାକୁ ପଡିଥାଏ । ରାସ୍ତା ଟିଏ ନଥିବାରୁ ଗାଁ ପିଲା ପାଠ ପଢ଼ାରୁ ବଞ୍ଚିତ ହେଉଥିବା ବେଳେ ସରକାର ପକ୍ଷରୁ ମିଳିଥିବା ଘର ଖଣ୍ଡେ ମଧ୍ୟ ନିର୍ମାଣ କରିପାରୁନାହୁଁ । ବିଜୁଳି ଆଲୁଅ ଏହି ଗାଁ ପାଇଁ ସାତସପନ ହୋଇଛି । କେବଳ ପୋଡାପଦର ନୁହେଁ ବ୍ଲକ୍‌ରେ ବର୍ତ୍ତମାନ ମଧ୍ୟ ୬୦ରୁ ଅଧିକ ଗ୍ରାମକୁ ପାଦଚଲା ରାସ୍ତା ରହିଥିବା ବେଳେ ଏଭଳି ସମସ୍ୟା ନିତି ଦିନିଆ ହୋଇ ପଡ଼ିଥିବା ବେଳେ ଦୁର୍ଗମ ଅଞ୍ଚଳବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେଣୁ ଏଥିପ୍ରତି ଜିଲ୍ଲା ପ୍ରଶାସନ ତୁରନ୍ତ ଦୃଷ୍ଟି ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।