କନକ ବ୍ୟୁରୋ : ବାତ୍ୟା ଦାନାରେ କେତେ ଫସଲ କ୍ଷୟକ୍ଷତି ହୋଇଛି , ତାର ସମୀକ୍ଷା କରିଛନ୍ତି କୃଷି ମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ । ଭୁବନେଶ୍ବର କୃଷି ଭବନରେ ହୋଇଥିବା ସମୀକ୍ଷା ବୈଠକରେ କୃଷି ସଚିବ ଅରବିନ୍ଦ ପାଢୀଙ୍କ ସମେତ ବହୁ ବରିଷ୍ଠ ଅଧିକାରୀମାନେ ବୈଠକରେ ଉପସ୍ଥିତ ଥିଲେ । ପ୍ରଭାବିତ ହୋଇଥିବା ଜିଲ୍ଲାର ଜିଲ୍ଲାପାଳ ମାନେ ମଧ୍ୟ ଭର୍ଚୁଆଲରେ ସାମିଲ ହୋଇଥିଲେ । ବାତ୍ୟା ଜନିତ ଫସଲ କ୍ଷୟକ୍ଷତି ନେଇ ବୈଠକରେ ଆଲୋଚନା ହୋଇଛି ।
ପ୍ରାଥମିକ ଆକଳନ ଅନୁସାରେ, ରାଜ୍ୟରେ ୭୯ ହଜାର ୬୭୧ ହେକ୍ଟର ଚାଷ ଜମି କ୍ଷତିଗ୍ରସ୍ତ ହୋଇଛି । ଭଦ୍ରକ ଜିଲ୍ଲାରେ ସର୍ବାଧିକ ୨୪ ହଜାର ୧୧୫ ହେକ୍ଟର ଜମି କ୍ଷତି ହୋଇଛି । ତାପଛକୁ ଅଛି କେନ୍ଦ୍ରାପଡ଼ା ଜିଲ୍ଲା । କେନ୍ଦ୍ରାପଡ଼ାରେ ୨୩ ହଜାର ହେକ୍ଟର ଜମି କ୍ଷତି ହୋଇଛି । ବେଶି ପ୍ରଭାବିତ ହୋଇଛି ରାଜକନିକା, ଆଳି ଓ ମହାକାଳପଡ଼ା ବ୍ଲକ। ସେହିପରି ମୟୂରଭଞ୍ଜରେ ୨୩ ଶହ ୮୧ ହେକ୍ଟର, ଯାଜପୁରରେ ୨ ହଜାର ୭୦୯ ହେକ୍ଟର ଓ ଜଗତସିଂହପୁରରେ ୨ ହଜାର ୪ଶହ ୯୮ ହେକ୍ଟର ଜମିରେ ଫସଲ ନଷ୍ଟ ହୋଇଛି । କ୍ଷୟକ୍ଷତି ହୋଇଥିବା ଚାଷୀଙ୍କୁ ମିଳିବ ସହାୟତା ।