କନକ ବ୍ୟୁରୋ : ପାନୀୟଜଳ ପ୍ରକଳ୍ପରେ ଦୁର୍ନୀତିର ପୋଲ୍ ଖୋଲିଲେ ସାଂସଦ ପ୍ରତାପ ଷଡ଼ଙ୍ଗୀ । ଥରେ ନୁହେଁ, ଦୁଇଦୁଇ ଥର ଧରିଲେ ଠିକାସଂସ୍ଥାର କଳା କାରବାର । ଏହାପରେ ଠିକାସଂସ୍ଥାର ଦୁଇଜଣ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ବିଭାଗୀୟ ଯନ୍ତ୍ରୀଙ୍କର ହୋଇଛି ବଦଳି ।  ବାଲେଶ୍ବର ଜିଲ୍ଲା ନୀଳଗିରି ବ୍ଲକ୍ ମେଗା ପାନୀୟଜଳ ପ୍ରକଳ୍ପ କାମରେ ଦୁର୍ନୀତିର ପର୍ଦ୍ଦାଫାସ କରିଛନ୍ତି ସାଂସଦ ପ୍ରତାପ ଷଡ଼ଙ୍ଗୀ । ପ୍ରକଳ୍ପ ସ୍ଥାନରେ ଅନୁଧ୍ୟାନ କରିଛନ୍ତି । ୨୦୨୧-୨୨ରେ ଅଯୋଧ୍ୟାରେ ୧୪୯ କୋଟି ଟଙ୍କାର ମେଗା ପାନୀୟଜଳ ପ୍ରକଳ୍ପ ପାଇଁ ଶିଳାନ୍ୟାସ କରାଯାଇଥିଲା । ଏହା ଦ୍ବାରା ୨୦ଟି ପଞ୍ଚାୟତରେ ପହଞ୍ଚିଥାନ୍ତା ବିଶୁଦ୍ଧ ପାଣି । ହେଲେ ଏଯାଏଁ ସବୁ ଗାଁକୁ ପାଣି ପହଞ୍ଚିନି । ପାଣି ପାଇପ ବିଛାଇବା ପାଇଁ ୩ ଫୁଟ୍‌ ମାଟି ଖୋଳିବା ବଦଳରେ ୧ ଫୁଟ୍‌ରୁ କମ୍ ଖୋଳି ପାଇପ୍ ବିଛାଯାଇଛି । ଏହା ଜାଣିବା ପରେ ଠିକାସଂସ୍ଥାର ୨ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବା ସହ ବିଭାଗୀୟ ଯନ୍ତ୍ରୀଙ୍କୁ ବଦଳି କରାଯାଇଛି ।

Advertisment

ନୀଳଗିରି ବ୍ଲକର ବରହମପୁରରେ ବି ସମାନ ଠିକାସଂସ୍ଥାର ଦୁର୍ନୀତି ଧରିଛନ୍ତି ସାଂସଦ । ବରହମପୁରରେ ଲକ୍ଷାଧିକ ଟଙ୍କାରେ ନିର୍ମାଣ ହୋଇଛି ଓଭରହେଡ୍‌ ପାଣିଟାଙ୍କି । ନିମ୍ନମାନର ଅଧପନ୍ତରିଆ କାମ କରି ଠିକାସଂସ୍ଥା ବିଲ୍‌ ଉଠାଇ ନେଇଥିବା ଅଭିଯୋଗ ଆସିଛି । ଟାଙ୍କିକୁ ପାହାଚ ନିର୍ମାଣ ହୋଇନି , ଛାତ ବି ଅଧପନ୍ତରିଆ । ଏଠି ବି ପାଇପ୍ ଏକ ଫୁଟରୁ କମ୍‌ ମାଟି ଖୋଳାଯାଇ ବିଛାଯାଇଛି । ଟେଷ୍ଟିଂ ପାଇଁ ପାଣି ଛଡ଼ାଯିବାରୁ ପାଣି ବହିଯାଇଥିଲା । ପୁରୁଣା ଟାଙ୍କି ଭାଙ୍ଗି ନୂଆ ଟାଙ୍କି ନିର୍ମାଣ କରିବାକୁ ସାଂସଦ ନିର୍ଦ୍ଦେଶ ଦେଇଛନ୍ତି । ସାଂସଦ ଆସିଲା ପରେ ଠିକାସଂସ୍ଥାର ଠକେଇ ଜଣାପଡ଼ିଲା, ପୂର୍ବରୁ କେମିତି ଅଜଣା ରହିଲା ପ୍ରଶାସନ ? କାମ ତଦାରଖ ପାଇଁ ଯାଉନଥିଲେ କି ବିଭାଗୀୟ ବାବୁ ? ନା ସମସ୍ତଙ୍କ ସମ୍ପୃକ୍ତିରେ ହୋଇଛି ଏହି ଦୁର୍ନୀତି ?