କନକ ବ୍ୟୁରୋ : ପ୍ରତ୍ୟେକ ହାତକୁ ରୋଜଗାର , ପ୍ରତେକ ମୁଣ୍ଡକୁ ଛାତ , ଏପରି ଅନେକ ପ୍ରତିଶ୍ରୁତି ଦେଇ ସରକାରକୁ ଆସନ୍ତି ଦଳ । ହେଲେ ପ୍ରତିଶ୍ରୁତି କେତେ ରୂପାୟନ ହେଉଛି ତାହା ଗାଦିରେ ବସିଲା ପରେ ଭୁଲି ଯାଆନ୍ତି । ଯେମିତି କି ବାଙ୍କୋଇର କମଳା ବେୱାଙ୍କୁ ଦେଖିଲେ ପ୍ରତିଶ୍ରୁତି ପ୍ରତାରଣାର ଚିତ୍ର ଜ୍ଵଳ ଜ୍ଵଳ ହୋଇ ଦିଶୁଛି । ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ବାଙ୍କୋଇ ଗ୍ରାମର କମଳା ବେୱା , ବୟସ ୬୦ ଡେଇଁଲାଣି । ସ୍ୱାମୀ କେବେଠୁ ଆରପାରିରେ , ପୁଅ ନାହିଁ ୩ ଝିଅଙ୍କୁ ନେଇ ସଂସାର । ଜରି ପକା ଭଙ୍ଗା ଦଦରା ଘରେ ବିତୁଛି କମଳାଙ୍କ ଜୀବନ । ପକା ଘର ଖଣ୍ଡେ ପାଇଁ ଗୁହାରି କରି ଥକି ପଡିଲେଣି କମଳା । ଜନହିତ ପାଇଁ ସରକାର ମାଳ ମାଳ ଯୋଜନା କରୁଛନ୍ତି । ହେଲେ ଏହାର ବାସ୍ତବ ରୂପାୟନ ଯେ କିପରି ହେଉଛି ତାହା କମଳାଙ୍କ ଘରକୁ ଦେଖିଲେ ବାରି ହୋଉ ପଡ଼ୁଛି ।

Advertisment

ଚାଳ ଉପରେ ଜରି ପାଲ , କାନ୍ଥ  ବି ଭଙ୍ଗା ଦଦରା ,ପୁଣି ନୁଆଁଣିଆ ଚାଳ ଘରେ ନଇଁ ନଇଁ ଗଲେ ଘର ଭିତରକୁ ହେବ ପ୍ରବେଶ । ଘର ଭିତରେ ରାତିରେ ଜହ୍ନ ,ଦିନରେ ସୂର୍ଯ୍ୟ ଦେଖା ଯାଉଛି । ଏହି ଭଙ୍ଗା ଦଦରା ଘରେ ବିତୁଛି ଦୁଇ ପ୍ରାଣୀଙ୍କ ଜୀବନ । ଯେଉଁଠି ସରୀସୃପ ସେଇଠି ଏମାନଙ୍କ ଜୀବନ । ଦଦରା କାନ୍ଥ ତଳେ ଚଳୁଛନ୍ତି କମଳା ।  କେବେ ଦଦରା କାନ୍ଥ ଗଳି ନ ପଡ଼ିବ ତାହା କିଏ କହିବ । ତଥାପି ନାତୁଣୀ ପାଇଁ ରାତିରେ ପର ଦୁଆରେ ଆଶ୍ରୟ ନେଉଛନ୍ତି କମଳା ।

ଦୁଃଖ ଦୁର୍ଦ୍ଦଶା ବଞ୍ଚିଥିବା କମଳା ଘର ଖଣ୍ଡିଏ ପାଇଁ ପଞ୍ଚାୟତଠୁ ବ୍ଲକ ପୁଣି ରାଜନେତା ମାନଙ୍କୁ ଗୁହାରି କରି ଥକି ଗଲେଣି । କେବେ ଘର ଖଣ୍ଡେ ମିଳିବ,ନା ମିଳିବା ଭିତରେ ତାଙ୍କର ଜୀବନ ଯେ ଥିବ ତାହା ଆଶା କରି ପାରୁ ନାହାନ୍ତି । ଲଗାଣ ବର୍ଷା ରେ ଭିଜି ଭିଜି ଥିବା ଘରର କାନ୍ଥ ଯେ କେବେ ମାଡ଼ି ନ ବସିବ ତାହା କିଏ କହିବ । ପ୍ରଶାସନ କମଳାଙ୍କ ପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି ।