କନକ ବ୍ୟୁରୋ; ଗୋଟିଏ କାମ କରିବା ପାଇଁ ତହସିଲ ଅଫିସ ଦଉଡି ଦଉଡି ଲୋକଙ୍କ ଚପଲ ଘୋରି ହୋଇଯାଉଛି । ହେଲେ, କାମ ହୋଇପାରୁନି । କିନ୍ତୁ ତହସିଲ ଘରକୁ ଯାଉଛି, ଘର ଦୁଆରେ ହେଉଛି ରେଜିଷ୍ଟ୍ରି । ଏଭଳି ଘଟଣା ରାଜ୍ୟର କୌଣସି ଉପାନ୍ତ ଅଂଚଳର ନୁହେଁ ଘଟିଛି ଖୋଦ ରାଜଧାନୀ ଭୁବନେଶ୍ୱରରେ ।
ଭୁବନେଶ୍ୱର ତହସିଲର ଅତିରିକ୍ତ ତହସିଲଦାର ଗିତୁ ବେହେରା ଓ ନାରାୟଣ ସେଠିଙ୍କୁ କ୍ଷମତା ବାହାରକୁ ଯାଇ କାର୍ଯ୍ୟ କରିବା ମହଙ୍ଗା ପଡିଛି । ନିୟମ ବହିର୍ଭୂତ କାର୍ଯ୍ୟ କରିବା ଅଭିଯୋଗରେ ଦୁଇ ବାବୁଙ୍କୁ ନିଲମ୍ବନ କରିଛି ରାଜସ୍ବ ବିଭାଗ । ଅତିରିକ୍ତ ତହସିଲଦାର ଗିତୁ ବେହେରା ଲୋକଙ୍କ ଘରକୁ ଯାଇ ଜମି ପଞ୍ଜୀକରଣ କରିଥିବାରୁ ତାଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ହୋଇଛି । ନିୟମ ଅନୁସାରେ ଶଯ୍ୟାଶାୟୀ, ବୟସାଧିକ କିମ୍ବା ଅତ୍ୟଧିକ ଅସୁସ୍ଥ ହୋଇଥିଲେ ହିଁ ଜଣେ ଆବେଦନ କଲେ, ସେ କ୍ଷେତ୍ରରେ ତାଙ୍କ ଘରକୁ ଯାଇ ରେଜିଷ୍ଟ୍ରେସନ କରାଯାଏ ।
କିନ୍ତୁ ଗୀତୁ କମ୍ ସମୟ ମଧ୍ୟରେ ଲୋକଙ୍କ ଘରକୁ ଯାଇ ୨୦୦ରୁ ଅଧିକ ରେଜିଷ୍ଟ୍ରେସନ କରିଛନ୍ତି । ଏପରିକି ସେ ନିଜ ଜୁରିସଡିକସନ ବାହାରକୁ ଯାଇ କଟକରେ ୨ଟି ରେଜିଷ୍ଟ୍ରେସନ କରିଛନ୍ତି । ସେହିପରି ଭୁବନେଶ୍ବରର ଅତିରିକ୍ତ ତହସିଲଦାର ନାରାୟଣ ସେଠୀ ନିୟମ ବାହାରକୁ ଯାଇ, ଗୋଟିଏ ଦିନରେ ଲୋକଙ୍କ ଜମିର ପାର୍ଟିସନ, କିସମ ପରିବର୍ତ୍ତନ କରି ଦେଇଛନ୍ତି । ଯାହାକି ତାଙ୍କ କ୍ଷମତା ବାହାରେ ହୋଇଥିବାରୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଛି ।
କାର୍ଯ୍ୟରେ ଅବହେଳା, ସରକାରୀ ଆଦେଶକୁ ଭୃକ୍ଷେପ ନ କରିବା ଏବଂ ଆଇନ ବାହାରେ କାମ କରିବା ପାଇଁ ରାଜସ୍ବ ଅଧିକାରୀଙ୍କ ଉପରେ ନିଆଯାଉଛି ଦୃଢ କାର୍ଯ୍ୟାନୁଷ୍ଠାନ । ଏହାସହ ସମ୍ବଲପୁର ଜିଲ୍ଲା ମାନେଶ୍ଵର ବ୍ଲକ୍ ଅତିରିକ୍ତ ତହସିଲଦାର, ଲାଞ୍ଚ ନେଇ ଜେଲରେ ଥିବାବେଳେ ତାଙ୍କୁ ନିଲମ୍ବନ କରାଯାଇଛି । ବସ୍ତାର ଅତିରିକ୍ତ ତହସିଲଦାରଙ୍କ ବଦଳି ସତ୍ତ୍ବେ କାର୍ଯ୍ୟରେ ଯୋଗଦେଇନଥିବାରୁ ତାଙ୍କୁ ନିଲମ୍ବନ କରାଯାଇଛି । କିନ୍ତୁ ଏହିଭଳି ଅନେକ ଘଟଣା ଘଟୁଛି, ସେସବୁ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି ରେରା କର୍ମୀ ।
୨୦୧୩ରୁ ପାର୍ଟ ପ୍ଲଟ ବିକ୍ରି ନିଷେଧ ସତ୍ୱେ ତିନି ଲକ୍ଷରୁ ଅଧିକ ରେଜିଷ୍ଟ୍ରେସନ କରିଛନ୍ତି ରାଜ୍ୟର ଶତାଧିକ ରାଜସ୍ବ ଅଧିକାରୀ । ସେମାନଙ୍କୁ କାରଣଦର୍ଶାଅ ନୋଟିସ କରିଛି ବିଭାଗ । ଖୁବ ଶୀଘ୍ର ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରାଜସ୍ବ ବିଭାଗ ପ୍ରସ୍ତୁତ ହେଉଥିବା ଜଣାପଡିଛି ।