କନକ ବ୍ୟୁରୋ: ଦବଙ୍ଗ ସାଜିଲେ ଅତିରିକ୍ତ ତହସିଲଦାର । ଭରା ନଦୀରେ ପଶି ବେଆଇନ ବାଲି ଚାଲାଣ ଅଟକାଇଲେ । ମୟୂରଭଞ୍ଜ କପ୍ତିପଦା ତହସିଲ୍ ଅଧୀନ ବଡ଼ବିଶୋଳ କୁଣ୍ଡିସାହି ଠାରେ ପ୍ରବାହିତ ସୋନ ନଦୀରୁ ବେଆଇନ ବାଲି ଉତ୍ତୋଳନ କରାଯାଇ ଚୋରା ଚାଲାଣ ହେଉଥିଲା । ଏ ଖବର ପାଇ ଅଚାନକ ଚଢ଼ାଉ କରିଥିଲେ କପ୍ତିପଦା ଅତିରିକ୍ତ ତହସିଲଦାର ଭୀମକାନ୍ତ ମାଝୀ ।
ନଦୀ ଭିତରେ ପଶି ଏକ ବାଲି ବୋଝେଇ ଟ୍ରାକ୍ଟରକୁ ଜବତ କରିଥିବା ବେଳେ ଘଟଣାସ୍ଥଳରୁ ବାଲି ମାଫିଆ ଏବଂ ଟ୍ରାକ୍ଟର ଡ୍ରାଇଭର ଫେରାର ହୋଇଯାଇଛନ୍ତି । ଟ୍ରାକ୍ଟର ଜବତ କରି ସେଥିରେ ଥିବା ବାଲିକୁ ପୁଣି ନଦୀରେ ଢ଼ାଳି ଦେଇଛନ୍ତି ଅତିରିକ୍ତ ତହସିଲଦାର । ତେବେ କପ୍ତିପଦା ତହସିଲଦାରଙ୍କ ସହ କପ୍ତିପଦା ପୁଲିସ ମଧ୍ୟ ଏହି ଚଢ଼ାଉରେ ସାମିଲ ହୋଇଥିଲା ।