କନକ ବ୍ୟୁରୋ: କୋରାପୁଟରେ ଥମୁନି କନିଷ୍ଠ ଶିକ୍ଷକ ନିଯୁକ୍ତି ଦାବି ବିବାଦ । ସ୍ଥାନୀୟ ଶିକ୍ଷକଙ୍କୁ ନିଯୁକ୍ତ ଦାବିରେ କ୍ରିୟାନୁଷ୍ଠାନ କମିଟି ଓ ସ୍ଥାନୀୟ ଲୋକେ ଆନ୍ଦୋଳନକୁ ଜୋରଦାର କରିଛନ୍ତି । ଫଳରେ ନିଯୁକ୍ତି ପାଇଁ ନବରଙ୍ଗପୁରରେ ବାହାର ଜିଲ୍ଲାରୁ ଯାଇଥିବା ଶିକ୍ଷକଙ୍କୁ ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବାକୁ ପଡିଛି ।

Advertisment

ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ବକଡାବେଡା ପଞ୍ଚାୟତ ମାଝିଆ ବିଦ୍ୟାଳୟରେ ଶିକ୍ଷୟିତ୍ରୀଭାବେ ଯୋଗ ଦେବାକୁ ଆସିଥିବା ଖୋର୍ଦ୍ଧା ଜିଲ୍ଲାର ଅଲିପ୍ସା ସାହୁଙ୍କୁ ବିରୋଧ କରିଛନ୍ତି ସ୍ଥାନୀୟ ଲୋକେ ଓ ମିଳିତ କ୍ରିୟାନୁଷ୍ଠାନ କମିଟି ସଦସ୍ୟ । ଏହି ଘଟଣା ପରେ ଅଲିପ୍ସା ପୋଲିସର ସହାୟତା ଲୋଡ଼ିଥିଲେ । ପୁଲିସ ଘଟଣାସ୍ଥଳରେ  ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପରେ ବି କୌଣସି ନିଷ୍କର୍ସ ବାହାରିପାରିନଥିଲା । ସେହିଭଳି ଉମରକୋଟ ଗୋଷ୍ଠୀ ଅଧିକାରୀଙ୍କ ଅଫିସରେ ଶିକ୍ଷକ ନିଯୁକ୍ତିକୁ ବିରୋଧ କରି ଜିଲ୍ଲା ଭିତ୍ତିକ ନିଯୁକ୍ତି ଦାବିରେ ପ୍ରତିବାଦ କରୁଛନ୍ତି ମିଳିତ କ୍ରିୟାନୁଷ୍ଠାନ କମିଟି ।

  • ଆମ ଗାଁକୁ ବାହାର ଶିକ୍ଷକ ମନା
  • ଜିଲ୍ଲାରେ ବୁଲୁଛି ଧମକପୂର୍ଣ୍ଣ ଚିଠି

ନବରଙ୍ଗପୁରର ବିଭିନ୍ନ ସ୍ଥାନରେ ଘୁରିବୁଲୁଛି ଗୋଟିଏ ଚିଠି । ଯେଉଁଥିରେ ଗାଁ ସ୍କୁଲରେ ସ୍ଥାନୀୟ ଲୋକ ଓ କ୍ରିୟାନୁଷ୍ଠାନ କମିଟିର ବିନା ଅନୁମତିରେ ସ୍କୁଲରେ ନବନିଯୁକ୍ତ କନିଷ୍ଠ ଶିକ୍ଷକଙ୍କୁ ଜଏନିଂ କରାଯାଇପାରିବ ନାହିଁ ବୋଲି କୁହାଯାଇଛି । ଏଥିଯୋଗୁଁ ନବରଙ୍ଗପୁର ଜିଲ୍ଲାର ଦଶଟି ବ୍କକର ବିଭିନ୍ନ ସ୍ଥାନରେ ନବନିଯୁକ୍ତ ଶିକ୍ଷକମାନେ  ସ୍କୁଲରେ ଯୋଗଦେଇପାରିନାହାନ୍ତି । ଏ ସମ୍ପର୍କରେ ସେମାନେ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଜଣାଇବା ସହିତ ବ୍ଲକ ଶିକ୍ଷାଧିକାରୀଙ୍କ ଠାରେ ନିଜ ନିଯୁକ୍ତି ପତ୍ର ଦାଖଲ କରିଛନ୍ତି  । 

ଜିଲ୍ଲା ଭିତ୍ତିକ ନିଯୁକ୍ତି ଦାବିରେ ଅବିଭକ୍ତ କୋରାପୁଟ ଜିଲ୍ଲାରେ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଗତ ଶନିବାର ଦିନ ବନ୍ଦ ଡାକରା ଦିଆଯାଇଥିଲା ।  ଅବିଭକ୍ତ କୋରାପୁଟରେ ଜିଲ୍ଲା ଭିତ୍ତିକ ନିଯୁକ୍ତି ଦାବି କରୁଛି କ୍ରିୟାନୁଷ୍ଠାନ କମିଟି । ଏବେ ଭୁବନେଶ୍ୱରରେ ନିଯୁକ୍ତିପତ୍ର ପାଇ ନବରଙ୍ଗପୁର ଜିଲ୍ଲାକୁ ଯାଇଥିବା ବାହାର ଜିଲ୍ଲାର ଶିକ୍ଷକ ବିରୋଧର ସମ୍ମୁଖୀନ ହୋଇଛନ୍ତି ।