କନକ ବ୍ୟୁରୋ: ଗର୍ଭବତୀ ମହିଳାଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗାଇବାକୁ ସରକାର ଶିଶୁ ବିକାଶ ପ୍ରକଳ୍ପରେ ଛତୁଆକୁ ସାମିଲ୍ କରିଛନ୍ତି। ଏଥିପାଇଁ ଛତୁଆ ପ୍ରସ୍ତୁତ ଓ ବଣ୍ଟନ କରିବାକୁ ସ୍ବୟଂ ସହାୟିକା ଗୋଷ୍ଠୀକୁ ନିଯୁକ୍ତ କରାଯାଇଛି। ହେଲେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ, ଯେଉଁ ଗ୍ରୁପ ନାଁରେ ନିମ୍ନମାନର ଛତୁଆ ବାଣ୍ଟିବାର ଅଭିଯୋଗ ରହିଛି, ସେହି ଗ୍ରୁପକୁ ସରକାରୀ ଗହମ ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲା ମଙ୍ଗଳ ଅଧିକାରୀ। ଯାହା ପରେ ଜିଲ୍ଲା ପ୍ରଶାସନର ଭୂମିକାକୁ ନେଇ ଉଠିଛି ପ୍ରଶ୍ନ।

Advertisment
  • ନିମ୍ନମାନର ଛତୁଆ ବଣ୍ଟନକୁ ପ୍ରୋତ୍ସାହନ!
  • ଚୋର ହାତରେ ଚାବିକାଠି ଦେଲା ପ୍ରଶାସନ 

ଯେଉଁ ସ୍ବୟଂସହାୟକ ଗ୍ରୁପ ବିରୋଧରେ ନିମ୍ନମାନର ଛତୁଆ ବଣ୍ଟନ ଅଭିଯୋଗ ଆସିଛି। ଏବେ ସେହି ଏସଏଚଜିକୁ ପୁଣି ଗହମ ଯୋଗାଇ ଦେବାକୁ ଆଲଟମେଣ୍ଟ ହୋଇଛି। ତେବେ ଯେଉଁ ଏସଏଚଜି ନାଁରେ ରହିଛି ନିମ୍ନମାନର ଛତୁଆ ବଣ୍ଟନର ଅଭିଯୋଗ, ଏବେ ସେହି ମା’ ଲକ୍ଷ୍ମୀନାରାୟଣ ଗ୍ରୁପକୁ ୧୯୫ କ୍ବିଣ୍ଟାଲ ଗହମ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲା ମଙ୍ଗଳ ଅଧିକାରୀ। ତେବେ ସଂସ୍ଥା ବିରୋଧରେ ଆସିଥିବା ଅଭିଯୋଗକୁ ସ୍ବୀକାର କରିଛନ୍ତି ଜିଲ୍ଲା ଏଡିଏମ ଜେନେରାଲ। କହିଛନ୍ତି, ସଂପୃକ୍ତ ଗୋଷ୍ଠୀ ବିରୋଧରେ ତଦନ୍ତ ଚାଲିଛି, ଖୁବଶୀଘ୍ର କାର୍ଯ୍ୟାନୁଷ୍ଠାନ ନିଆଯିବ।

ସିମୁଳିଆ ବ୍ଲକର ୧୧ଟି ପଞ୍ଚାୟତକୁ ଛତୁଆ ଯୋଗାଇବାର ଦାୟିତ୍ବ ମିଳିଥିଲା ମା’ ଲକ୍ଷ୍ମୀନାରାୟଣ ସ୍ବୟଂସହାୟିକା ଗୋଷ୍ଠୀକୁ। ଗତ ଅଗଷ୍ଟ ୧୭ ତାରିଖରୁ ଛତୁଆ ବଣ୍ଟମ କାମ ଆରମ୍ଭ କରିଛି ଗ୍ରୁପ। ହେଲେ ଛତୁଆ ବଣ୍ଟନ ନେଇ ଯେଉଁ ଦସ୍ତାବିଜ ଜମା କରିଛି, ତା’ର ଫୁଡ୍ ଲାଇସେନ୍ସ ଅବଧି ଶେଷ ହୋଇଯାଇଛି। ଅର୍ଥାତ ଦିଆଯାଇଥିବା ଫୁଡ୍ ଲାଇସେନ୍ସର ଅବଧି ଜୁନ୍ ୦୨.୦୬.୨୩ରୁ ୦୧.୦୬.୨୪ ରହିଛି। 

ନିୟମ ଅନୁସାରେ, ଲାଇସେନ୍ସ ଅବଧି ଶେଷ ହେବାର ୧୮୦ ଦିନ ପୂର୍ବରୁ ନବୀକରଣ ପାଇଁ ଆବେଦନ କରିବା କଥା। କିନ୍ତୁ ଏହି ଗ୍ରୁପ ଗତ ଜୁନ ମାସ ଠାରୁ ବିନା ଫୁଡ୍ ଲାଇସେନ୍ସରେ ଛତୁଆ ପ୍ରସ୍ତୁତ କରି ବାଣ୍ଟିଆସୁଛି। ଅଭିଯୋଗ ପରେ କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି ଅତିରିକ୍ତ ଜିଲ୍ଲାପାଳ କହିଥିଲେ, କିନ୍ତୁ କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ। 

ସୂଚନାଯୋଗ୍ୟ ଯେ, ବାଲେଶ୍ବର ସିମୁଳିଆ ବ୍ଲକର ୧୧ଟି ପଞ୍ଚାୟତରେ ଛତୁଆ ଦୁର୍ନୀତି ନେଇ ଅଭିଯୋଗ ହୋଇଆସୁଛି। ବିଧାନସଭାରେ ବି ଏନେଇ ପ୍ରସଙ୍ଗ ଉଠିଛି। ସ୍ଥାନୀୟ ଲୋକେ ଜିଲ୍ଲାପାଳଙ୍କ ନିକଟରେ ଅନେକ ଥର ଅଭିଯୋଗ କରିଛନ୍ତି। ତଥାପି ସେହି ଗୋଷ୍ଠୀକୁ ପୁଣି କେମିତି ଦାୟିତ୍ବ ଦିଆଗଲା ତାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି।