କନକ ବ୍ୟୁରୋ: ବାଣୀବିହାରରେ ଛାତ୍ରୀଙ୍କୁ ଯୌନ ନିର୍ଯାତନା ମାମଲାରେ ଅଭିଯୁକ୍ତ ଆସିଷ୍ଟାଣ୍ଟ ପ୍ରଫେସରଙ୍କୁ ନିଲିମ୍ବିତ କରାଯାଇଛି । କୁଳପତିଙ୍କ ବିନା ଅନୁମତିରେ ହେଡକ୍ୱାର୍ଟର ଛାଡ଼ି ପାରିବେନି ପ୍ରଫେସର । ବିଶ୍ୱବିଦ୍ୟାଳୟ ଆଇସିସି ସୁପାରିଶ ଆଧାରରେ  କୂଳପତି ଏଭଳି ନିଷ୍ପତି ନେଇଛନ୍ତି । ଏନେଇ ସେକସୁଆଲ ହାରାସମେଣ୍ଟ ସେଲ୍‌ରେ ଛାତ୍ରୀ ଜଣକ ଅଭିଯୋଗ କରିଥିଲେ । ତାଙ୍କ କହିବା ଅନୁଯାୟୀ, ଉତ୍କଳ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ ଭିତରେ ଜଣେ ବରିଷ୍ଠ ପ୍ରଫେସର ନିଜ ରୁମ୍‌ରେ ତାଙ୍କୁ ଅସଦାଚରଣ କରିଥିଲେ। କେବଳ ସେତିକି ନୁ‌ହେଁ, ଘଟଣା ପ୍ରଘଟ ନ କରିବାକୁ ମଧ୍ୟ ଚେତାବନୀ ଦେଇଥିଲେ। ଅଗଷ୍ଟ ୧୬ ତାରିଖରେ ଏଭଳି ଘଟଣା ଘଟିଥିଲା । ଘଟଣାକୁ ମାସେ ବିତିଯାଇଥିଲେ ମଧ୍ୟ ସମ୍ପୃକ୍ତ ପ୍ରଫେସରଙ୍କ ବିରୋଧରେ କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ ହୋଇନଥିଲା ।  ବିଶ୍ୱବିଦ୍ୟାଳୟର ଇଣ୍ଟରନାଲ ଅଭିଯୋଗ କମିଟି ଘଟଣାର ତନାଘନା ଆରମ୍ଭ କରିଥିଲା ।  କ୍ୟାମ୍ପସରେ ଘନଘନ ବୈଠକ ବସିବା ସହ ତଦନ୍ତ ଆରମ୍ଭ ହୋଇଥିଲା। ପ୍ରାରମ୍ଭିକ ପର୍ୟ୍ୟାୟରେ ଇଣ୍ଟରନାଲ ଅଭିଯୋଗ କମିଟିର ସଦସ୍ୟମାନେ ଛାତ୍ରୀଙ୍କୁ ଡାକି ଅଭିଯୋଗ ଶୁଣିଥିଲେ । ଏବେ ସମ୍ପୃକ୍ତ ପ୍ରଫେସରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ  ଗ୍ରହଣ କରାଯାଇଛି ।