କନକ ବ୍ୟୁରୋ: ବେଲପାହାଡ଼ ପୌରପରିଷଦରେ ଉନ୍ନୟନ କାର୍ଯ୍ୟ ଆଳରେ ଆର୍ଥିକ ଅନିୟମିତତା ପଦାରେ ପଡ଼ିଛି । ୨ କର୍ମଚାରୀଙ୍କ ବିରୋଧରେ ପୌରନିର୍ବାହୀ ଅଧିକାରୀ ବେଲପାହାଡ଼ ଥାନାରେ ଅଭିଯୋଗ କରିବା ପରେ ଆକାଉଣ୍ଟାଣ୍ଟ ବିଭୂତି ସାହୁଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରିଛି ପୁଲିସ । ଅନ୍ୟ ଜଣେ ଅଭିଯୁକ୍ତ ଫେରାର ରହିଛି ।
୨୦୨୪-୨୦୨୫ ଆର୍ଥିକ ବର୍ଷରେ ବେଲପାହାଡ଼ ପୌରପରିଷଦରେ ଦୁର୍ନୀତି ଘଟଣାରେ ଆକାଉଣ୍ଟାଣ୍ଟ ବିଭୂତି ସାହୁ ଗିରଫ । ଅନ୍ୟଜଣେ ଅଭିଯୁକ୍ତ ସାନିଟାରି ଏକ୍ସପର୍ଟ ସୌମ୍ୟ ମାହାଲୀ ଏବେ ବି ଫେରାର । ଉଭୟ ଅଭିଯୁକ୍ତ ୪ କୋଟିରୁ ଅଧିକ ଟଙ୍କା ହେରଫେର୍ କରିଥିବା ଅଭିଯୋଗ କରିଥିଲେ ପୌର ନିର୍ବାହୀ ଅଧିକାରୀ ଗୌରବ ପ୍ରଧାନ। ଏହି ଆର୍ଥିକ ଅନିୟମିତତାର ତଦନ୍ତ କରିବା ପାଇଁ ସ୍ୱତନ୍ତ୍ର ଅଡିଟ୍ ଟିମ୍ ବେଲପାହାଡ଼ ପୌର କାର୍ଯ୍ୟାଳୟରେ ପହଞ୍ଚି କାଗଜପତ୍ର ଓ ଆକାଉଣ୍ଟ ଯାଞ୍ଚ କରିଛି।
ଅଭିଯୋଗ ଅନୁସାରେ, ପୌରାଞ୍ଚଳର ଉନ୍ନତୀକରଣ ପାଇଁ ବିଭିନ୍ନ ଯୋଜନାରେ ଆସିଥିଲା ୨ କୋଟି ଟଙ୍କା । ହେଲେ ସେହି ଟଙ୍କାରେ ୨୦୦ଟି ଲାଇଟ୍ କିଣାଯାଇ ପୋଖରୀ ହୁଡ଼ାରେ ଲଗାଯାଇଥିବା ଦର୍ଶାଯାଇଛି । ପ୍ରତି ଲାଇଟ୍ ପିଛା ୭୮ ହଜାର ହିସାବ ଦିଆଯାଇଛି । ମାତ୍ର ଯାଞ୍ଚରୁ ଜଣାପଡ଼ିଛି ପୋଖରୀ ହୁଡ଼ାରେ ରହିଛି ୧୭୦ଟି ଲାଇଟ୍ । ୨୪ ଲକ୍ଷ ୧୮ ହଜାର ଟଙ୍କାର ୩୧ଟି ଲାଇଟ୍ର ପତ୍ତା ମିଳୁନି । ଏପରିକି ଅଧିକାରୀମାନେ ଅନ୍ୟ ଯୋଜନାରେ ପାଣ୍ଠିକୁ ପୌର ଅଧିକାରୀଙ୍କ ଅଜାଣତରେ ଖର୍ଚ୍ଚ କରିଥିବା ମାମଲାରେ ଦର୍ଶାଯାଇଛି । ପୂର୍ବରୁ ମଧ୍ୟ ବେଲପାହାଡ଼ ପୌରପରିଷଦରେ ହୋଇଥିବା ଦୁର୍ନୀତି ପଛରେ ଏହି ୨ଜଣ ଅଧିକାରୀ ଅଛନ୍ତି ନା ଆଉ କାହାର ସମ୍ପୃକ୍ତି ଅଛି ତାହା ତଦନ୍ତ ପରେ ଜଣାପଡ଼ିବ ।