କନକ ବ୍ୟୁରୋ: ଯୋଜନା ମାଳମାଳ, କିନ୍ତୁ ଅଧିକାଂଶ ବିଫଳ । ସେଥିରୁ ଫେଲ୍ ମାରିଛି କମିସନରେଟ୍ ପୁଲିସର ଏସି ହେଲମେଟ୍ ପ୍ରୋଜେକ୍ଟ । ଅସହ୍ୟ ଖରାରେ ଟ୍ରାଫିକ ପୋଷ୍ଟରେ ଡ୍ୟୁଟି କରୁଥିବା ଟ୍ରାଫିକ ପୁଲିସକୁ ଏସି ହେଲମେଟ୍ ଦେବା ପାଇଁ କମିସନରେଟ ପୁଲିସ ଯୋଜନା କରିଥିଲା । ହେଲେ ବର୍ଷେ ପରେ ବି ତାହା କାର୍ଯ୍ୟକାରୀ ହୋଇନାହିଁ । ଟ୍ରାଫିକ ପୋଷ୍ଟ ପାଖରେ ଶୌଚାଳୟ ନିର୍ମାଣ ଯୋଜନାର ସ୍ଥିତି ମଧ୍ୟ ତଦ୍ରୁପ ।
ଟ୍ରାଫିକ୍ ପୁଲିସ ପାଇଁ ଏସି ହେଲମେଟ୍ ପ୍ରୋଜେକ୍ଟ ଫେଲ୍
ଧରାଛୁଆଁ ଦେଉନାହାନ୍ତି ଏସି ହେଲମେଟ ଡିଷ୍ଟ୍ରିବ୍ୟୁଟର
ଗତବର୍ଷ ଏପ୍ରିଲ ୨୦ ତାରିଖରେ କମିସନରେଟ୍ ପୁଲିସ ଆରମ୍ଭ କରିଥିଲା ଏସି ହେଲମେଟ ପ୍ରୋଜେକ୍ଟ । ଖରାଦିନେ ଟ୍ରାଫିକ ପୋଷ୍ଟରେ ଡ୍ୟୁଟି କରୁଥିବା ପୁଲିସ କର୍ମଚାରୀଙ୍କ ପାଇଁ ଏହି ପ୍ରୋଜେକ୍ଟ କରାଯାଇଥିଲା । ପାଇଲଟ୍ ପ୍ରୋଜେକ୍ଟ ଭାବେ କିଛି ଟ୍ରାଫିକ ପୁଲିସ କର୍ମଚାରୀଙ୍କୁ ଏସି ହେଲମେଟ ଦିଆଯାଇଥିଲା । ସେତେବେଳେ ଅନେକ ବାହାବା ସାଉଁଟିଥିଲା କମିସନରେଟ୍ ପୁଲିସ । କିନ୍ତୁ ଏବେ ପ୍ରୋଜେକ୍ଟ ପୂରା ଫେଲ୍ ମାରିଛି । ଡିଷ୍ଟ୍ରିବ୍ୟୁଟର ଧାରଛୁଆଁ ଦେଉନଥିବାରୁ ପ୍ରୋଜେକ୍ଟ ଅଟକିଥିବା ପୁଲିସ କମିସନର କହିଛନ୍ତି।
ଟ୍ରାଫିକ ପୋଷ୍ଟରେ ଡ୍ୟୁଟି କରୁଥିବା ପୁଲିସ କର୍ମଚାରୀ, ବିଶେଷକରି ମହିଳା ପୁଲିସ କର୍ମଚାରୀଙ୍କ ପାଇଁ ଟ୍ରାଫିକ ପୋଷ୍ଟ ନିକଟରେ ଶୌଚାଳୟ କରିବାକୁ ଯୋଜନା କରିଥିଲା କମିସନରେଟ ପୁଲିସ । ରାଜାଧାନୀର କିଛି ଟ୍ରାଫିକ ପୋଷ୍ଟ ନିକଟରେ ଶୌଚାଳୟ ନିର୍ମାଣ କରାଯାଇଥିଲା । ହେଲେ ଏବେବି ଅଧାରୁ ଅଧିକ ଟ୍ରାଫିକ ପୋଷ୍ଟ ନିକଟରେ ଶୌଚାଳୟ ନାହିଁ । ତେବେ ଆବଶ୍ୟକତା ଅନୁସାରେ ଖୁବଶାଘ୍ର ଟ୍ରାଫିକ୍ ପୋଷ୍ଟ ପାଖରେ ଶୌଚାଳୟ ନିର୍ମାଣ କରାଯିବ ବୋଲି ପୁଲିସ କମିସନର କହିଛନ୍ତି ।।
ପ୍ରଚଣ୍ଡ ଖରା ଓ ତାତିକୁ ଲକ୍ଷ୍ୟ କରି ଟ୍ରାଫିକ ପୋଷ୍ଟରେ କାମ କରୁଥିବା କର୍ମଚାରୀଙ୍କୁ କଳା ଚଷମା, ପାଣି ବୋତଲ ଓ ଜ୍ୟାକେଟ ପ୍ରଦାନ କରାଯାଇଛି । ଦେଖିବାକୁ ବାକି ରହିଲା, କେବେ ଏସି ହେଲମେଟ ଦିଆଯିବ ଏବଂ ସବୁ ଟ୍ରାଫିକ ପୋଷ୍ଟ ପାଖରେ ଶୌଚାଳୟ ନିର୍ମାଣ ହେବ ।