କନକ ବ୍ୟୁରୋ: ଅପେକ୍ଷାର ଘଟିବ ଅନ୍ତ । ଆଇପିଏଲକୁ ମିଳିବ ଏଥର ନୂଆ ଚାମ୍ପିୟନ୍ । ଆଉ ଆଜି ଫାଇନାଲ୍ ମ୍ୟାଚରେ ଦେଖିବାକୁ ମିଳିବ କଡା ଟକ୍କର । ସେ ପୁଣି ନୂଆ ଫାଇନାଲିଷ୍ଟ ପଞ୍ଜାବ ଆଉ ବେଙ୍ଗାଲୁରୁ ମଧ୍ୟରେ । ୧୮ ବର୍ଷ ଧରି ଦୁଇ ଟିମ୍ ଭିତରେ ଥିବା ଭୋକ ଆଜି ଶେଷ ହେବ । ଜଣେ ଚାମ୍ପିୟନ୍ ହେଲେ ଆଉ ଜଣଙ୍କୁ ନିରାଶ ହେବାକୁ ପଡ଼ିବ । ତେବେ କିଏ ସେହି ଲକି ଦଳ ଯିଏ ପିନ୍ଧିବ ଆଇପିଏଲ ୨୦୨୫ର ତାଜ୍ ।
ବେଙ୍ଗାଲୁରୁ.. ୧୮ ବର୍ଷ ଧରି ଏହି ଦଳ କପ୍ ପାଇଁ ସଂଘର୍ଷ କରି ଆସୁଛି । ଏମିତି ବି ସମୟ ଆସିଛି ଏହି ଦଳରେ ବିଶ୍ୱର ବଡ଼ ବଡ଼ ବିସ୍ଫୋରକ କ୍ରିକେଟର ଥାଇ ବି ଦଳ ଫାଇନାଲରୁ ନିରାଶ କରିଛି । ୧୮ ବର୍ଷରେ ଆରସିବି ୧୦ଥର ପ୍ଲେଅଫରେ ପ୍ରବେଶ କରିଥିଲା ବେଳେ ୪ ଥର ଫାଇନାଲ ଖେଳି ନିରାଶ ହୋଇଛି । ଏବି ଡିଭିଲିୟର୍ସ, କ୍ରିସ ଗେଲ୍, ସେନ ଓ୍ୱାଟସନ୍, କେଲ ରାହୁଲ, ଗ୍ଲେନ ମ୍ୟାକ୍ସଓ୍ୱେଲଙ୍କ ଭଳି ଖେଳାଳିଙ୍କୁ କିଣି ବି ଦଳ କେବେ କପ୍ ହାତେଇ ପାରିନି । ହେଲେ ଏଥର ଦଳରେ ଆଶା ଉଜ୍ଜିବୀତ ହୋଇଛି । ଯାହା ବିରାଟ ଅଧିନାୟକତ୍ୱରେ କରିପାରିଲେନି ତାହା କରିଦେଖାଇବାର ସୁଯୋଗ ଏବେ ରଜତ ପଟ୍ଟିଦାରଙ୍କ ପାଖରେ ଅଛି ।
ସେହିପରି ପଞ୍ଜାବ ବି ଏଥର ନିଜର ପ୍ରଥମ ଟ୍ରଫି ଲକ୍ଷ୍ୟରେ ରହିଛି । ଦଳ ୧୮ ବର୍ଷ ଭିତରେ ୨ଥର ପ୍ଲେଅଫରେ ପ୍ରବେଶ କରିଥିବା ବେଳେ ମାତ୍ର ଥରେ ଫାଇନାଲ ମ୍ୟାଚ ଖେଳିଥିଲା । ଏବେ ଦ୍ବିତୀୟଥର ପାଇଁ ଫାଇନାଲ ମ୍ୟାଚ ଖେଳିବ ପଞ୍ଜାବ । ଆଉ ସବୁଠାରୁ ବଡ଼ କଥା ହେଉଛି ଦଳ ୨୦୧୪ ପରେ ଚଳିତ ବର୍ଷ ପୁଣି ପ୍ଲେଅଫରେ ପ୍ରବେଶ କରିଛି । ତାହା ପୁଣି ଶ୍ରେୟସ ଆୟରଙ୍କ ଅଧିନାୟକତ୍ୱରେ ସଫଳ ହୋଇଛି ।
ବିଶ୍ୱ କ୍ରିକେଟରେ ବିରାଟ କୋହଲି ଜଣେ ଦକ୍ଷ କ୍ରିକେଟର । ସେ ଆଇପିଏଲ ଆରମ୍ଭରୁ ବେଙ୍ଗାଲୁରୁ ପାଇଁ ଖେଳି ଆସୁଛନ୍ତି । ହେଲେ ଆଜି ଯାଏ ଦଳକୁ ଟ୍ରଫି ଦେଇପାରିନାହାନ୍ତି । ଯେଉଁଥିପାଇଁ ସେ ସୋସିଆଲମିଡିଆରେ ସମାଲୋଚନାର ଶିକାର ହୁଅନ୍ତି । ତେବେ ଚଳିତ ବର୍ଷ କପ ନେଇ ବିରାଟ କୋହଲି ନିଜ ସ୍ୱପ୍ନ ପୂରଣ କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି । ସେପଟେ ଦିଲ୍ଲୀକୁ ୨୦୨୦ରେ ପ୍ରଥମଥର ଫାଇନାଲ ଆଉ କୋଲକାତାକୁ ୨୦୨୪ରେ ତୃତୀୟ ଥର ଟାଇଟଲ ଜିତାଇଥିବା ଅଧିନାୟକ ଶ୍ରେୟସ ଆୟରଙ୍କ ଉପରେ ସମସ୍ତଙ୍କ ନଜର ରହିଛି । କୁହାଯାଉଛି ଶ୍ରେୟସ ପଞ୍ଜାବକୁ ଟ୍ରଫି ଜିତାଇବାରେ ମୁଖ୍ୟ ଭୂମିକା ନେଇପାରନ୍ତି ।
ଚଳିତ ଆଇପିଏଲରେ ପଞ୍ଜାବ ଆଉ ବେଙ୍ଗାଲୁରୁ ବେଶ ଶକ୍ତିଶାଳୀ ଦଳ । ଏହି ଦୁଇ ଦଳ ପାଖରେ ଦୃଢ଼ ବ୍ୟାଟିଂ ଲାଇନ ଅପ ଆଉ ଦୁର୍ଦ୍ଧର୍ଷ ବୋଲର ରହିଛନ୍ତି । ତେଣୁ ଆଜିର ମ୍ୟାଚରେ କଡ଼ା ଟକ୍କର ଦେଖିବାକୁ ମିଳିପାରେ । ଉଭୟ ଦଳ ଚଳିତ ଆଇପିଏଲରେ ପରସ୍ପରକୁ ୨ଥର ଭେଟିଛନ୍ତି ଯେଉଁଥିରେ ପଞ୍ଜାବ ଥରେ ଆଉ ବେଙ୍ଗାଲୁରୁ ଥରେ ବିଜୟୀ ହୋଇଛି । ସେହିପରି ଉଭୟ ଦଳ ଆଇପିଏଲରେ ମୋଟ ୩୬ ଥର ମୁହାଁମୁହିଁ ହୋଇଛନ୍ତି । ଯେଉଁଥିରେ ଉଭୟ ୧୮ଥର ଲେଖାଏଁ ବିଜୟୀ ହୋଇଛନ୍ତି । କହିବାକୁ ଗଲେ ଉଭୟ ଦଳଙ୍କ ପଲ୍ଲା ସମାନ ରହିଛି । ଆଉ ଶକ୍ତି ବି ସମାନ । କେହି କାହାଠାରୁ କମ୍ ନୁହନ୍ତି । ତେଣୁ ଦେଖିବା ବାକି ରହିଲା ଆଜିର ମ୍ୟାଚରେ କିଏ ପିନ୍ଧୁଛି ଆଇପିଏଲର ପ୍ରଥମ ତାଜ୍ ।