କନକ ବ୍ୟୁରୋ: ମହାଶିବରାତ୍ରୀ ପୂର୍ବରୁ ମୁଣ୍ତ ଟେକିଲାଣି ନୂଆ ବିବାଦ । ନିଯୋଗ ନିଯୋଗ ଭିତରେ ବିବାଦ ଥମି ନଥିବାବେଳେ ବ୍ରାହ୍ମଣ ନିଯୋଗ ଦୁଇଫାଳ ହୋଇଛି । ଏମିତି ସ୍ଥିତି ପ୍ରଭୁ ଲିଙ୍ଗରାଜଙ୍କର କେମିତି ଜାଗର ନୀତିକାନ୍ତି ହେବ, ସେ ନେଇ ଆଶଙ୍କା ସୃଷ୍ଟି ହୋଇଛି ।
ମାତ୍ର ଦିନ କେଇଟା ତଳେ ଦୁଇ ନିଯୋଗ ମଧ୍ୟରେ ବିବାଦ ଯୋଗୁଁ ମହାପ୍ରଭୁ ଲିଙ୍ଗରାଜ ୪୫ ଘଂଟା ଉପାସରେ ରହିଥିଲେ । ଏପର୍ଯ୍ୟନ୍ତ ସେହି ବିବାଦ ସମ୍ପୂର୍ଣ୍ଣ ଭାବେ ସମାଧାନ ହୋଇନି । ଆଉ ଗୋଟିଏ ନୂଆ ବିବାଦ ମୁଣ୍ଡ ଟେକିଛି । ଲିଙ୍ଗରାଜଙ୍କ ସେବାରେ ନିୟୋଜିତ ବ୍ରାହ୍ମଣ ନିଯୋଗ ଦୁଇ ଫାଳ ହୋଇଯାଇଛି । ପୂର୍ବରୁ ନିଯୋଗର ସଭାପତି, ସମ୍ପାଦକ ରହିଥିବାବେଳେ ଏବେ ଆଉ କିଛି ସଦସ୍ୟ ସ୍ବତନ୍ତ୍ର ବୈଠକ କରି ନିଯୋଗର ନୂଆ କର୍ମକର୍ତ୍ତା ଘୋଷଣା କରିଛନ୍ତି । ଯାହାକୁ ନେଇ ତେଜିଛି ବୟାନବାଜି । ତେବେ ମଝିରେ ଆଉ ମାତ୍ର ୫ଦିନ ଥିବାରୁ କେମିତି ଜାଗର ନୀତି ହେବ ସେ ନେଇ ଆଶଙ୍କା ସୃଷ୍ଟି ହୋଇଛି ।
ବ୍ରାହ୍ମଣ ନିଯୋଗ ମଧ୍ୟରେ ବିବାଦ ଆରମ୍ଭ ହୋଇଥିବାବେଳେ ପ୍ରଶାସନ ପକ୍ଷରୁ ଶିବରାତ୍ରୀ ପାଇଁ ପ୍ରସ୍ତୁତି ଚାଲିଛି । ମହାପ୍ରଭୁଙ୍କ ଲିଙ୍ଗରାଜଙ୍କ ଜାଗର ଯାତ୍ରା କେମିତି ସୁରୁଖୁରରେ ହେବ ତାହା ପ୍ରଶାସନ ପାଇଁ ଚ୍ୟାଲେଞ୍ଜ ହୋଇଛି । ତେବେ ନୀତିକାନ୍ତି ସୁରଖୁରରେ ହେବା ସହ ରାତି ୧୦ଟାରେ ମହାଦୀପ ଉଠିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି । ନିଯୋଗ ନିଯୋଗ ମଧ୍ୟରେ ବିବାଦ ଯୋଗୁଁ ପୂର୍ବରୁ ଅନେକ ଥର ଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ ହୋଇଛି । ଠାକୁର ଖାଡା ଉପାସ ରହିଛନ୍ତି । ହେଲେ, ସେହି ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ପ୍ରଶାସନ ପକ୍ଷରୁ କୌଣସି ଠୋସ୍ ପଦକ୍ଷେପ ନିଆଯାଇ ନାହିଁ ।