କନକ ବ୍ୟୁରୋ: ଦୀର୍ଘଦିନ ଧରି କାମ୍ବୋଡିଆ ଓ ଥାଇଲ୍ୟାଣ୍ଡ ମଧ୍ୟରେ ଥିବା ସୀମା ବିବାଦ ସାମରିକ ସଂଘର୍ଷର ରୂପ ନେଇଛି । ଗତକାଲି ୬ଟି ସ୍ଥାନରେ ଦୁଇଦେଶର ଯବାନ ମୁହାଁମୁହିଁ ହୋଇଥିଲେ । ଆଜି ଏହା ଆହୁରି ଅଧିକ ସ୍ଥାନକୁ ବ୍ୟାପିଛି । ଥାଇଲାଣ୍ଡ ଉପରେ କାମ୍ୱୋଡିଆ ଜୋରଦାର ଆକ୍ରମଣ କରୁଥିବା ବେଳେ ଥାଇଲାଣ୍ଡ ଯବାନ ମଧ୍ୟ କଡ଼ା ଜବାବ ଦେଉଛନ୍ତି । ଥାଇଲାଣ୍ଡ ଉପରେ କାମ୍ୱୋଡିଆ ଆଜି ୨୦ ସେକେଣ୍ଡ୍ ମଧ୍ୟରେ ୨୦ ଥର ରକେଟ୍ ମାଡ଼ କରିଛି । ଦୁଇ ଦେଶର ସାମରିକ କାର୍ଯ୍ୟାନୁଷ୍ଠାନ ଫଳରେ ବଢ଼ୁଛି ମୃତାହତଙ୍କ ସଂଖ୍ୟା ।
ଏହା ମଧ୍ୟରେ ବହୁ ସଂଖ୍ୟାରେ ସାଧାରଣ ନାଗରିକ ପ୍ରାଣ ହରାଇଛନ୍ତି । ଯୁଦ୍ଧ ଭୟରେ ଦୁଇଦେଶର ସୀମା ନିକଟବର୍ତ୍ତୀ ଅଞ୍ଚଳରୁ ନିରାପଦ ସ୍ଥାନକୁ ପ୍ରାୟ ଦେଢ଼ଲକ୍ଷ ଲୋକ ପଳାୟନ କରିଛନ୍ତି । ଯୁଦ୍ଧରୁ ନିବୃତ୍ତ ରହିବା ପାଇଁ କାମ୍ୱୋଡିଆ ଓ ଥାଇଲାଣ୍ଡ ଉପରେ ଆନ୍ତର୍ଜାତିକ ଚାପ ବଢ଼ୁଛି । କୂଟନୈତିକ ସ୍ତରରେ କିମ୍ୱା ଆଲୋଚନା ମାଧ୍ୟମରେ ବିବାଦର ସମାଧାନ ପାଇଁ ଥାଇଲାଣ୍ଡ ଆଗ୍ରହ ପ୍ରକାଶ କରିଛି। କିନ୍ତୁ କାମ୍ୱୋଡିଆ ଆଭିମୁଖ୍ୟ ସ୍ପଷ୍ଟ ହୋଇନାହିଁ । ମିଳିତ ଜାତିସଂଘ ଉଦ୍ବେଗ ପ୍ରକାଶ କରିଛି । ଯଥା ସମ୍ଭବ ସଂଯମ ଆଚରଣ ଓ କଥାବାର୍ତ୍ତା ମାଧ୍ୟମରେ ସମସ୍ୟାର ସମାଧାନ କରିବାକୁ ଜାତିସଂଘ ମହାସଚିବ ଦୁଇଦେଶକୁ ପରାମର୍ଶ ଦେଇଛନ୍ତି । ଥାଇଲାଣ୍ଡରେ ଥିବା ଭାରତୀୟମାନେ କୌଣସି ବିବାଦୀୟ ଅଞ୍ଚଳକୁ, ବିଶେଷକରି ୭ଟି ପ୍ରଦେଶକୁ ନଯିବା ପାଇଁ ଭାରତୀୟ ଦୂତାବାସ ପକ୍ଷରୁ ସତର୍କତା ଜାରି କରାଯାଇଛି ।