କନକ ବ୍ୟୁରୋ : ଭକ୍ତଙ୍କୁ ଦର୍ଶନ ଦେବାକୁ ଧରାପୃଷ୍ଠକୁ ଓହ୍ଲାଇ ଆସିଛନ୍ତି ମା’ ଦୁର୍ଗା । ସାରା ଦେଶରେ ନବରାତ୍ରିର ଧୁମ୍ ଚାଲିଥିବା ବେଳେ ମା’ଜଗଦମ୍ବାଙ୍କ ଆରାଧନା କରୁଛନ୍ତି ଭକ୍ତ । କନ୍ୟାପୂଜନଠାରୁ ଆରମ୍ଭ କରି ଦାଣ୍ଡିଆ,ଗରବା ନାଚ କରି ନବରାତ୍ରି ପାଳନ କରୁଛନ୍ତି ଲୋକେ । ବିଭିନ୍ନ ରାଜ୍ୟରେ ଭିନ୍ନ ଭିନ୍ନ ରୂପରେ ପୂଜା ପାଉଛନ୍ତି ମା’ ଆଦିଶକ୍ତି । ତେବେ ଖାଲି ଭାରତ କାହିଁକି ବିଦେଶରେ ମଧ୍ୟ ମା’ଙ୍କର ହୁଏ ପୂଜା । ବିଦେଶରେ ମଧ୍ୟ ଭକ୍ତ ମା’ଙ୍କୁ କରନ୍ତି ଆବାହନ । ସୁଦୂର ଥାଇଲାଣ୍ଡରେ ମା’ଙ୍କ ଏକ ମନ୍ଦିର ରହିଛି । ଯେଉଁଠି ମା’ କାଳରାତ୍ରୀ ବେଶରେ ପୂଜା ପାଆନ୍ତି । ବର୍ତ୍ତମାନ ସୋସିଆଲ୍ ମିଡିଆରେ ମା’ଙ୍କର ଏହି ମନ୍ଦିରର ମୂର୍ତ୍ତି ଭାଇରାଲ୍ ହେଉଛି ଯାହାକୁ ବିଦେଶୀ ଭକ୍ତ ପୂଜା କରୁଛନ୍ତି । ଏହି ମୂର୍ତ୍ତିଟି ଏଭଳି ନିଖୁଣ ଢ଼ଙ୍ଗରେ ତିଆରି ହୋଇଛି ଯେ ଯେକେହିବି ପ୍ରଥମେ ଦେଖିବେ ଏହାକୁ ସତ ହିଁ ମାନିବେ । ଅର୍ଥାତ ମୂର୍ତ୍ତିଟିକୁ ଏତେ ଜୀବନ୍ତ ସ୍ପର୍ଶ ଦିଆଯାଇଛି ଯେ ସତରେ ଯେମିତି ମା’ ଛିଡ଼ା ହେଲା ପରି ଦିଶୁଛନ୍ତି ।
/filters:format(webp)/kanak/media/media_files/2025/10/02/devi-2025-10-02-09-30-20.jpg)
ପ୍ରତିଦିନ ଏହି ମନ୍ଦିରକୁ ଶହ ଶହ ବିଦେଶୀ ଶ୍ରଦ୍ଧାଳୁ , ସେଲିବ୍ରିଟି , ବଡ଼ ବଡ଼ ନେତା ଆସି ମା’କାଳୀଙ୍କ ଆଶୀର୍ବାଦ ନେଉଛନ୍ତି । ଥାଇଲାଣ୍ଡର ଶ୍ରଦ୍ଧାଳୁ ମା’ କାଳୀଙ୍କୁ ବହୁତ ମାନନ୍ତି , ଆଉ ଏହି ମନ୍ଦିରର ପଣ୍ଡିତ ମା’ଙ୍କ ମୁଖ ପାଖରେ ଅନ୍ୟ ଏକ ମୁଖା ରଖି ଆଶୀର୍ବାଦ ସ୍ବରୁପ ଭକ୍ତଙ୍କ ମୁଖ ପାଖରେ ଲଗାଇଥା’ନ୍ତି । ବିଦେଶୀ ଭକ୍ତ ମା’ଙ୍କ ପାଇଁ ଫଳମୂଳ ସହ ଫୁଲତୋଡ଼ା ଘେନି ଆଣିଥା’ନ୍ତି । ଖାଲି ମା’ କାଳରାତ୍ରୀ ନୁହେଁ ମନ୍ଦିରରେ ଅଗ୍ରପୂଜ୍ୟ ଶ୍ରୀ ଗଣେଶ,ମାତା ପାର୍ବତୀ,କାର୍ତ୍ତିକେୟ , ମହାଦେବ, ଶିବଲିଙ୍ଗ ଏବଂ ଲକ୍ଷ୍ମୀ ନାରାୟଣଙ୍କ ଭଳି ଅନ୍ୟାନ୍ୟ ଦେବଦେବୀ ମଧ୍ୟ ପୂଜା ପାଉଛନ୍ତି । ଏଥିରୁ ଜଣାପଡୁଛି ଭାରତୀୟ ସଂସ୍କୃତି ଏବଂ ସନାତନ ଧର୍ମର ଛାପ ଏବେ ବିଦେଶରେ ମଧ୍ୟ ପରିବ୍ୟାପ୍ତ ହେଲାଣି ।