କନକବ୍ୟୁରୋ : ରାଜ୍ୟରେ ଉତ୍ତମ ସ୍ବାସ୍ଥ୍ୟସେବା ମିଳୁଥିବା କହି ଡିଣ୍ଡିମ ପିଟୁଛନ୍ତି ସରକାର ।   କିନ୍ତୁ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଠିକ୍ ସମୟରେ ମିଳୁନି ରକ୍ତ ନମୁନା ପରୀକ୍ଷା ରିପୋର୍ଟ ।  ପଚାରିଲେ କହୁଛନ୍ତି ଲ୍ୟାବ ରେଜିଷ୍ଟର ହଜିଯାଇଛି । ଫଳରେ ଗୁରୁତର ରୋଗୀ ଓ ଦୂରଦୂରାନ୍ତରୁ ଆସୁଥିବା ରୋଗୀ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି ।  ରାୟଗଡ଼ା ସଦର ଡାଙ୍ଗଲୋଡ଼ି ଗାଁର ଲଖବତୀ ନାଗବଂଶ ।  ଜ୍ବର ନକମିବାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତରଙ୍କୁ ଦେଖାଇ ରକ୍ତ ଓ ମୂତ୍ର ପରୀକ୍ଷା କରାଇଥିଲେ। ସେହି ଦିନ ସଂଧ୍ୟାରେ ରିପୋର୍ଟ ମିଳିବ କହି ୭ ଦିନ ଧରି ମିଳିଲାନି ।

Advertisment

ପଚାରିବାରୁ ଲ୍ୟାବ୍‌ ରେଜିଷ୍ଟର ହଜିଯାଇଛି କହି ରକ୍ତ ନମୁନା ପରୀକ୍ଷା କେନ୍ଦ୍ରର କର୍ମଚାରୀ ଫେରାଇ ଦେଇଥିବା ଅଭିଯୋଗ ଆସିଛି।  ଆଉ ୭ ଦିନ ପରେ ଆସିଥିବା ରିପୋର୍ଟରେ ଡେଙ୍ଗୁ ବାହାରିଛି। ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି ଲଖବତୀ ।  ଚିକିତ୍ସାଳୟର ଏପରି ଖାମଖିଆଲି ମନୋଭାବକୁ ନେଇ ପରିବାର ଲୋକ ଅସନ୍ତୋଷ ପ୍ରକାଶ କରିଛନ୍ତି । 

ସୂଚନାନୁସାରେ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଗୋଟିଏ ଲେଖାଁଏ ଅଟୋ ଆନାଲାଇଜର, ସେମି ଅଟୋ, ସିବିସି ମେସିନ ଓ ଏସ୍‌ଡି ବାୟୋସେନ୍ସର ମେସିନ ଲାଗିଛି। ଦୈନିକ ପ୍ରାୟ ୩୦୦ରୁ ୪୦୦ ଜଣ ରୋଗୀଙ୍କର ବିଭିନ୍ନ ସ୍ବାସ୍ଥ୍ୟ ପରୀକ୍ଷା କରାଯାଉଛି ।  ତେଣୁ ରିପୋର୍ଟ ପ୍ରଦାନରେ ବିଳମ୍ବ ହେଉଥିବା କହିଛନ୍ତି ଲ୍ୟାବ୍‌ ଟେକ୍ନିସିଆନ୍‌। ସେପଟେ ଖୁବଶୀଘ୍ର ଏହାର ସମାଧାନ କରାଯିବ ବୋଲି କହିଛନ୍ତି ଏଡିଏମ୍‌ଓ ।