କନକ ବ୍ୟୁରୋ: କାଶ୍ମୀର ଆକାଶରେ ବାୟୁସେନାର ବିମାନ ପଇଁତରା ମାରୁଛି । ଆଉ କାଶ୍ମୀରର ବିଭିନ୍ନ ଅଞ୍ଚଳରେ ଘରକୁ ଘର ବୁଲି ସର୍ଚ୍ଚ ଅପରେସନ ଜାରି ରଖିଛି ଭାରତୀୟ ସେନା । ଦୁଗର୍ମ ପାହାଡ ଚଢି ଆତଙ୍କବାଦୀଙ୍କୁ ନିପାତ କରିବାକୁ ଜି ଜାନ୍ ଲଗାଇ ଦେଇଛନ୍ତି ବୀର ଭାରତୀୟ ଯୋଦ୍ଧା । ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ କିଛି ଏଭଳି ଢଙ୍ଗରେ ସେନା ଆଲର୍ଟରେ ରହିଛି ।  

Advertisment

କାଶ୍ମୀରର ବିଭିନ୍ନ ସ୍ଥାନରେ ଥିବା ଆତଙ୍କବାଦୀଙ୍କ ଘରକୁ ବିସ୍ଫୋରଣରେ ଉଡାଇ ଦେଇଛି ସେନା । ସୀମା ସେପାରିରୁ ଗୁଳିମାଡ ହେଉଥିବାରୁ ଏଲଓସିରେ ଲୋକଙ୍କ ସୁରକ୍ଷା ପାଇଁ ବଙ୍କର ପ୍ରସ୍ତୁତ ଚାଲିଛି । ପୁଞ୍ଝ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି । ଗୃହମନ୍ତ୍ରୀ, ସେନାଧ୍ୟକ୍ଷ ସ୍ଥିତି ସମୀକ୍ଷା କରିଥିବା ବେଳେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି, ନୂଆ ଭାରତ କାହା ସହ ଲାଗେନି। ଯଦି କିଏ ଲାଗିବ ତେବେ ଭାରତ ଛାଡ଼ିବନି। 

ପହଲଗାମ ଆକ୍ରମଣକୁ ନେଇ ଜମ୍ମୁ-କାଶ୍ମୀରକୁ ହାଇଆଲର୍ଟରେ ରଖାଯାଇଛି । ପୁଞ୍ଝ, ରଜୌରୀ, ଅନନ୍ତନାଗ କ୍ଷେତ୍ରରେ କଡାକଡି ଯାଞ୍ଚ କରୁଛି ସେନା।  ଆତଙ୍କବାଦୀଙ୍କୁ ସହାୟତା କରିଥିବା ୧୮୧ ସନ୍ଦିଗ୍ଧଙ୍କୁ  ହେପାଜତକୁ ନେଇ ପଚରାଉଚରା କରିଛି ସୁରକ୍ଷାବାହିନୀ। ସୀମା ସେପାରିରୁ ଆସିଥିବା ସୈତାନଙ୍କୁ ଆଶ୍ରୟ ଦେଉଥିବା ୧୪ ଜଣ ସ୍ଥାନୀୟ ଆତଙ୍କୀଙ୍କ ତାଲିକା ପ୍ରସ୍ତୁତ କରିଛି ସେନା । ଯେଉଁମାନେ ଅନୁପ୍ରବେଶ ଠାରୁ ଆରମ୍ଭ କରି ଆକ୍ରମଣ ପର୍ଯ୍ୟନ୍ତ ଆତଙ୍କବାଦୀଙ୍କୁ ସବୁ ପ୍ରକାର ସହାୟତା କରିଥିଲେ ସେମାନଙ୍କୁ ଧରିବାକୁ ଚାଲିଛି ଜୋରଦାର ଚଢ଼ାଉ। 

ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଉଭୟ ସରକାର ଓ ସେନା ଆଲର୍ଟମୋଡରେ ରହିଛି । ସେନା ଗ୍ରାଉଣ୍ଡରେ ସର୍ଚ୍ଚ ଅପରେସନ ଜାରି ରଖିଥିବା ବେଳେ ସରକାର ପାକିସ୍ତାନକୁ ମୁହଁତୋଡ ଜବାବ ଦେବାକୁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରୁଛି ।