କନକ ବ୍ୟୁରୋ: ପହଲଗାମ ଆକ୍ରମଣ ପରେ ଆତଙ୍କବାଦୀଙ୍କୁ ଖୋଜି ଖୋଜି ଟାର୍ଗେଟ କରୁଛି ଭାରତୀୟ ସେନା । ଗତକାଲି ୧୮୭ ଜଣଙ୍କୁ ପଚରାଉଚରା କରାଯାଇଥିବା ବେଳେ ଆଜି ଆଉ ୧୭୫ ଜଣଙ୍କୁ ପଚରଚରା କରୁଛି ସୁରକ୍ଷା ବାହିନୀ । ଘର ଘର ବୁଲି ସର୍ଚ୍ଚ ଅପରେସନ ଜାରି ରଖିଛି ସେନା । ଏହାଭିତରେ କୁଲଗାମ ପୋଲିସ ଓ ସେନା ଯବାନର ମିଳିତ ଅପରେସନରେ ୨ ଆତଙ୍କବାଦୀଙ୍କ ସହଯୋଗୀଙ୍କୁ ଗିରଫ କରାଯାଇଛି । ବିଲାଲ ଭଟ୍ଟ ଓ ମହମ୍ମଦ ଇସମାଇଲ ଭଟ୍ଟଙ୍କୁ ଗିରଫ କରାଯାଇଛି । ସେମାନଙ୍କଠାରୁ ୨ଟି ପିସ୍ତଲ ସହ ୨୫ ରାଉଣ୍ଡ ଗୁଳି, ୨ଟି ମାଗାଜିନ୍ ଜବତ କରାଯାଇଛି । ଏଥିସହ ଘାଟିରେ ଥିବା ଆତଙ୍କବାଦୀ ଓ ସେମାନଙ୍କ ସହଯୋଗୀଙ୍କ ଘରକୁ ଗୋଟି ଗୋଟି କରି ଧ୍ବଂସ କରାଯାଉଛି । ଗୋଟିଏ ବଟନ ଏବଂ ଉଡ଼ି ଯାଉଛି ଆତଙ୍କୀଙ୍କ ଘର । ଆଜି ପୁଣି ଆଉ ଜଣେ ଆତଙ୍କବାଦୀର ଘରକୁ ଭାଙ୍ଗିଛି ଭାରତୀୟ ସେନା । ଯାହାର ଭିଡିଓ ଏବେ ସାମ୍ନାକୁ ଆସିଛି । ଗତ ୫ ଦିନ ମଧ୍ୟରେ ୮ଜଣ ଆତଙ୍କବାଦୀଙ୍କ ଘରକୁ ଧ୍ବଂସ କରାଗଲାଣି । ଆଇଇଡି ଲଗାଇ ଘରକୁ ଉଡ଼ାଇ ଦିଆଯାଉଛି ।
ଏନକାଉଣ୍ଟର ଭିତରେ ପୁଣି ଆତଙ୍କବାଦୀଙ୍କ ଆକ୍ରମଣ । ଜାମ୍ମୁ କାଶ୍ମୀର କୁପୁୱାରା ଅଞ୍ଚଳରେ ଆତଙ୍କବାଦୀମାନେ ସାଧାରଣ ଲୋକଙ୍କ ଉପରକୁ ପୁଣି ଗୁଳିମାଡ କରିଛନ୍ତି । ଆକ୍ରମଣରେ ଜଣେ ୪୫ ବର୍ଷୀୟ ସାମାଜିକ କର୍ମୀ ଗୁରୁତର ହୋଇଛନ୍ତି । ଏନେଇ ରବିବାର ଅଧିକାରୀମାନେ ସୂଚନା ଦେଇଛନ୍ତି । ଗତକାଲି ବିଳମ୍ବିତ ରାତିରେ ଆତଙ୍କବାଦୀମାନେ ସାମାଜିକ କର୍ମୀ ଘୁଲାମ ରସୋଲ ମାର୍ଗେରୀଙ୍କୁ ଗୁଳିମାଡ କରିଛନ୍ତି । ସେ ଘର ଭିତରେ ଥିବା ବେଳେ ଆତଙ୍କବାଦୀମାନେ ଆଖିବୁଜା ଗୁଳିମାଡ କରିଥିଲେ । ସେଥିରେ ମାର୍ଗେରି ଗୁରୁତର ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ତେବେ କ’ଣ ପାଇଁ ଆତଙ୍କବାଦୀ ସାମାଜିକ କର୍ମୀଙ୍କୁ ଟାର୍ଗେଟ କରିଛନ୍ତି ସେନେଇ କୌଣସି ସୂଚନା ମଳିନାହିଁ । ଏନେଇ ଖବର ସରବରାହ ସଂସ୍ଥା ପିଟିଆଇ ପକ୍ଷରୁ ସୂଚନା ଦିଆଯାଇଛି ।