କନକ ବ୍ୟୁରୋ : ୨୬/୧୧ ମୁମ୍ବାଇ ଆକ୍ରମଣର ଅନ୍ୟତମ ମାଷ୍ଟରମାଇଣ୍ଡ ତହବୁର ହୁସେନ ରାଣା, ଏନଆଇଏ ଜେରା ସମୟରେ ନିଜ ଜୀବନ ବିଷୟରେ ଚିନ୍ତା କରିବା ଆରମ୍ଭ କରିଦେଇଛି । ରାଣା ଅଧିକାରୀମାନଙ୍କୁ ତାଙ୍କ ଉପରେ ଲାଗୁ ହୋଇଥିବା ସମସ୍ତ ଧାରା ଏବଂ ଏହି ଧାରାଗୁଡ଼ିକରେ ସର୍ବାଧିକ ଦଣ୍ଡ କ’ଣ ହୋଇପାରେ ବୋଲି ପଚାରିଥିଲେ । ଅଧିକାରୀ କହିଥିଲେ ,ଆଇପିସି ଏବଂ ୟୁଏପିଏ ଧାରା ଅନୁଯାୟୀ ମାମଲା ରୁଜୁ କରାଯାଇଛି । ଦେଶ ବିରୁଦ୍ଧରେ ଷଡ଼ଯନ୍ତ୍ର ରଚିବା ଏବଂ ଆତଙ୍କବାଦୀ କାର୍ଯ୍ୟକଳାପ  ଚଳାଇବାରେ  ଦୋଷୀ ସାବ୍ୟସ୍ତ ହୁଅନ୍ତି ତେବେ ତାଙ୍କୁ ଆଜୀବନ କାରାଦଣ୍ଡ କିମ୍ବା ମୃତ୍ୟୁଦଣ୍ଡ ମଧ୍ୟ ଦିଆଯାଇପାରେ । ୧୦ ଏପ୍ରିଲରେ ଆମେରିକାରୁ ଭାରତ ଅଣାଯାଇଥିବା ରାଣାଙ୍କ ମାମଲାରେ ଏହି ସୂଚନା ଦେଇ କୁହାଯାଇଛି ଏପର୍ଯ୍ୟନ୍ତ ରାଣା ଏନଆଇଏ ପଚରାଉଚରା ସମୟରେ ନିର୍ଯାତନା କିମ୍ବା ଅନ୍ୟ କୌଣସି ପ୍ରକାରର ଅଭିଯୋଗ କରିନାହାଁନ୍ତି । କିନ୍ତୁ ରାଣା ଦିଲ୍ଲୀର ଗରମରେ କଷ୍ଟ ପାଇବା ବିଷୟରେ କହିଛନ୍ତି । ରାଣା କହିଛି, ଏଠାରେ ବହୁତ ଗରମ ।  ଯଦିଓ ତାଙ୍କୁ ଏକ କେନ୍ଦ୍ରୀୟ ଏସି କୋଠାରେ ରଖାଯାଇଛି, ତଥାପି ସେ ଅନୁଭବ କରୁଛି ଏଠାରେ ଆମେରିକା ଅପେକ୍ଷା ଅଧିକ ଗରମ ଅଛି । ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ ,ରାଣା ତାଙ୍କ ପରିବାର ସହିତ କଥା ହେବାକୁ ଇଚ୍ଛା ପ୍ରକାଶ କରୁଛି ।  ଯାହାର ଉତ୍ତରରେ ଏନଆଇଏ ଅଧିକାରୀମାନେ କହିଛନ୍ତି ,କଥାବାର୍ତ୍ତା କେବଳ କୋର୍ଟ ମାଧ୍ୟମରେ ସମ୍ଭବ ହେବ ।  ରାଣା କାନାଡାରେ ରହୁଥିବା ତାଙ୍କ ସାନ ଭାଇ ସହିତ କଥା ହେବାକୁ ଚାହୁଁଛନ୍ତି ।  ମୁମ୍ବାଇ ଆକ୍ରମଣ ବିଷୟରେ ରାଣା ଠାରୁ ଯାହା ସମ୍ଭବ ସୂଚନା ବାହାର କରିବାକୁ ଚେଷ୍ଟା କରାଯାଉଛି । ଏପର୍ଯ୍ୟନ୍ତ ରାଣା ମୁମ୍ବାଇ ଆକ୍ରମଣ ସମ୍ପର୍କରେ ସମସ୍ତ ଅଭିଯୋଗକୁ ଅସ୍ୱୀକାର କରୁଛନ୍ତି । ରିମାଣ୍ଡ ସମୟରେ ତାଙ୍କୁ କଲମ, କାଗଜ ଏବଂ କୁରାନ ଦିଆଯାଇଛି ।  ପ୍ରତିଦିନ ପାଞ୍ଚଥର ନମାଜ ପାଠ କରୁଛି ଆତଙ୍କୀ ରାଣା। ଖାଇବାରେ ଅଧିକାରୀଙ୍କୁ ଆମିଷ ଦେବାକୁ କହୁଛି ରାଣା ,ହେଲେ ଏବେ ରାଣା ବୁଝିଯାଇଛି ତାକୁ ଆମିଷ ଏନଆଇଏ ଅଧିକାରୀ ପ୍ରଦାନ କରିବେ ନାହିଁ ।