କନକ ବ୍ୟୁରୋ: ଠିକଣା ଧ୍ବଂସ ପରେ ପୁଣି ସଜାଡୁଛି ଆତଙ୍କବାଦୀ ହାଫିଜ୍ ସୟିଦ । ପାକିସ୍ତାନର ମୁରିଦ୍‌କେରେ ଥିବା ଲସ୍କର-ଇ-ତୋଇବାର ମୁଖ୍ୟାଳୟକୁ ଆକ୍ରମଣ କରି ଧ୍ବଂସ କରିଦେଇଥିଲା ଭାରତୀୟ ବାୟୁସେନା । ମଦ୍ରାସା ଆଳରେ ଏଠାରେ ଆତଙ୍କବାଦୀଙ୍କୁ ପ୍ରଶିକ୍ଷଣ ଦିଆଯିବା ସହ ଏଠାରେ ଆକ୍ରମଣର ବ୍ଲୁପ୍ରିଣ୍ଟ ରଚାଯାଉଥିଲା । ପହଲଗାମ୍ ଆତଙ୍କୀ ଆକ୍ରମଣର ସହ ଏହି ଆତଙ୍କୀ ମୁଖ୍ୟାଳୟ ସମ୍ପର୍କ ଥିଲା । ମେ’ ୭ ତାରିଖରେ ଭାରତୀୟ ବାୟୁସେନା ମୁରିଦ୍‌କେରେ ଥିବା ଲସ୍କରର ଏହି ମୁଖ୍ୟାଳୟ ଉପରେ ପ୍ରଚଣ୍ଡ ଆକ୍ରମଣ କରିଥିଲା । ଏଥିରେ ଆତଙ୍କୀ ମୁଖ୍ୟାଳୟ ଧ୍ବଂସ ହୋଇଯାଇଥିଲା । ଏବେ ପୁଣି ତାକୁ ସଜାଡ଼ିବାକୁ ଲାଗିପଡ଼ିଛି ଆତଙ୍କବାଦୀ ହାପିଜ୍ ସୟିଦ । ଆଉ ଏଥିରେ ତାକୁ ସାହାଯ୍ୟ କରୁଛି ପାକିସ୍ତାନ ସରକାର । ଏହି କେନ୍ଦ୍ରରୁ ଆତଙ୍କବାଦ ଚଳାଯାଉଥିବା ସ୍ପଷ୍ଟ ହୋଇଥିବା ବେଳେ ପାକିସ୍ତାନ ସରକାର ଏହାକୁ ଖଣ୍ଡନ କରିଆସୁଛି । ଏହସହ ମୁରିଦ୍‌କେରେ ଏହା ‘ଶିକ୍ଷା ଓ ସେବା କେନ୍ଦ୍ର’ ବୋଲି କହିଆସିଛି । ଏହି ସମ୍ପୂର୍ଣ୍ଣ କମ୍ପ୍ଳେକ୍ସ ଏବେ ପାକିସ୍ତାନ ସରକାର ଦ୍ବାରା ତଦାରଖ କରାଯାଉଛି । ଶିକ୍ଷା ଆଳରେ ପୁଣି ଏହାର ପୁନଃର୍ନିମାଣ କରାଯାଉଛି । ଏହାସହ ପାକିସ୍ତାନର ସରକାରୀ ଅଧିକାରୀମାନେ ଏହାର ତଦାରଖ କରୁଛନ୍ତି ।