କନକ ବ୍ୟୁରୋ : ମୁମ୍ବାଇ ଆକ୍ରମଣର ଅଭିଯୁକ୍ତ ତହବୁର ରାଣାଙ୍କୁ ବଡ଼ ଝଟ୍‌କା । ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ଅଭିଯୁକ୍ତ ତହବୁର ରାଣାଙ୍କୁ ଭାରତ ପ୍ରତ୍ୟର୍ପଣ ଉପରେ ରୋକ୍ ଲଗାଇବା ପାଇଁ ହୋଇଥିବା ଆବେଦନକୁ ଆମେରିକାର ସୁପ୍ରିମ୍ କୋର୍ଟ ଖାରଜ କରିଦେଇଛନ୍ତି । ବିଚାରପତି ଏଲିନା କାଗାନ୍ ତହବୁର ରାଣାଙ୍କ ଆବେଦନ ଉପରେ ରୋକ୍ ଲଗାଇବାକୁ ମନା କରିଦେଇଛନ୍ତି ।

Advertisment

ଗତ ଜାନୁଆରି ମାସରେ ଆମେରିକାର ସୁପ୍ରିମକୋର୍ଟ ରାଣାର ରିଭ୍ୟୁ ପିଟିସନ ଖାରଜ କରି ତାଙ୍କୁ ଭାରତ ପ୍ରତ୍ୟାର୍ପଣ ପାଇଁ ବାଟ ଖୋଲିଥିଲେ । ଆତଙ୍କବାଦୀ ରାଣା ତାଙ୍କ ଜରୁରୀକାଳୀନ ଆବେଦନରେ ଦାବି କରି କହିଛନ୍ତି,ଯଦି ତାଙ୍କୁ ଭାରତ ପଠାଯାଏ ତେବେ ସେ ପାକିସ୍ତାନୀ ବଂଶୋଦ୍ଭବ ମୁସଲମାନ ହୋଇଥିବାରୁ ସେଠାରେ ତାକୁ ମାନସିକ ଓ ଶାରୀରିକ ନିର୍ଯାତନା ଦିଆଯାଇପାରେ ।

୨୦୧୧ରେ ଏନ୍ଆଇଏ ରାଣା ଓ ଅନ୍ୟ ୮ ଜଣଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରିଥିଲା । ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ଯୋଜନା ଓ କାର୍ଯ୍ୟକାରିତା ନେଇ ତାଙ୍କ ଉପରେ ଅଭିଯୋଗ ହୋଇଥିଲା । ପାକିସ୍ତାନୀ ବଂଶୋଦ୍ଭବ କାନାଡାର ନାଗରିକ ୬୩ ବର୍ଷୀୟ ତହବୁର ରାଣା ଏବେ ଲସ୍ ଆଞ୍ଜେଲସର ଏକ ଜେଲରେ ବନ୍ଦୀ ଅଛନ୍ତି । ରାଣା ଲସ୍କର-ଇ-ତୋଏବା ଆତଙ୍କବାଦୀ ଡେଭିଡ୍ ହେଡଲିର ସହଯୋଗୀ, ଯିଏ କି ୨୦୦୮ ମୁମ୍ବାଇ ଆକ୍ରମଣର ମୁଖ୍ୟ ଷଡ଼ଯନ୍ତ୍ରକାରୀ ଥିଲା । ମୁମ୍ବାଇ ଆକ୍ରମଣରେ ୧୭୫ ଜଣ ପ୍ରାଣ ହରାଇଥିଲେ ।