କନକ ବ୍ୟୁରୋ: ଜମ୍ମୁକାଶ୍ମୀରରେ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ । ଗନ୍ଦରବଲରେ ଜଣେ ଡାକ୍ତରଙ୍କ ସମେତ ୭ ଜଣଙ୍କୁ ଗୁଳି କରି ହତ୍ୟା କରିଛନ୍ତି ଆତଙ୍କବାଦୀ । ସୋନମର୍ଗ ଗଗନଗୀର ଅଞ୍ଚଳର ଏକ ନିର୍ମାଣଧିନ ଟନେଲ ନିକଟରେ ଆତଙ୍କବାଦୀମାନେ ସମସ୍ତଙ୍କୁ ଗୁଳି କରି ହତ୍ୟା କରିଛନ୍ତି । ମୃତକଙ୍କ ମଧ୍ୟରେ ୫ ଜଣ ବାହାର ରାଜ୍ୟର ବୋଲି ଜଣାପଡିଛି । ସେମାନଙ୍କ ମଧ୍ୟରୁ ୨ ଜଣ ଅଧିକାରୀ ଓ ୩ ଜଣ ଶ୍ରମିକ ବୋଲି ସୂଚନା ମିଳିଛି । ଏହାଛଡା ଆକ୍ରମଣରେ ଜଣେ ଡାକ୍ତରଙ୍କ ମଧ୍ୟ ମୃତ୍ୟୁ ହୋଇଛି । ଏହାସହ ୫ ଜଣ ଆହତ ହୋଇଥିବା ଖବର ମିଳିଛି । ଆହତମାନେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ସ୍କିମ୍ସ ଶ୍ରୀନଗରରେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।
ଖବର ପାଇ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଛନ୍ତି ସୁରକ୍ଷା କର୍ମୀ । ଅଞ୍ଚଳକୁ ଘେରାବନ୍ଦୀ କରି ସର୍ଚ୍ଚ ଅପରେସନ ଆରମ୍ଭ କରାଯାଇଛି । ସେପଟେ ଆତଙ୍କବାଦୀ ଆକ୍ରମଣକୁ ନେଇ ଟୁଇଟ୍ କରି ନିନ୍ଦା କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ଗଗନଦୀରରେ ନିର୍ଦ୍ଦୋଷ ନାଗରିକଙ୍କୁ ଆକ୍ରମଣ ଆତଙ୍କବାଦୀଙ୍କ ଅତି ଘୃଣ୍ୟ ଓ ନିନ୍ଦନୀୟ କାର୍ଯ୍ୟ । ଏହି ଜଘନ୍ୟକାଣ୍ଡରେ ସମ୍ପୃକ୍ତଙ୍କୁ ଛଡାଯିବ ନାହିଁ । ସୁରକ୍ଷାକର୍ମୀ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ । ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହ ଆହତଙ୍କ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି ଅମିତ ଶାହା ।