କନକ ବ୍ୟୁରୋ : ଜମ୍ମୁ-କାଶ୍ମୀର ଜେଲ ଉପରେ ଆକ୍ରମଣ ଆଶଙ୍କା,ଗୁଇନ୍ଦା ସଂସ୍ଥା ପକ୍ଷରୁ ମିଳିଛି ବଡ଼ ତଥ୍ୟ । ଆତଙ୍କବାଦୀଙ୍କ ଟାର୍ଗେଟ୍ରେ ଜମ୍ମୁ-କାଶ୍ମୀର ସେଣ୍ଟ୍ରାଲ ଜେଲ ଓ ଶ୍ରୀନଗର ସେଣ୍ଚ୍ରାଲ ଜେଲ । ଏଭଳି ତଥ୍ୟ ହସ୍ତଗତ ହେବାପରେ ଜେଲର ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ଜମ୍ମୁ-କାଶ୍ମୀର ଜେଲର ସୁରକ୍ଷା ଦାୟିତ୍ବ ସିଆଇଏସ୍ଏଫ୍କୁ ଦିଆଯାଇଛି । ସିଆଇଏସଏଫ୍ ଡିଜି ନିଜେ ଜେଲରେ ପହଞ୍ଚି ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଛନ୍ତି । ପହଲଗାମ ଆକ୍ରମଣ ପରଠାରୁ ଜମ୍ମୁ-କାଶ୍ମୀରରେ ଜୋରଦାର ଚାଲିଛି ସର୍ଚ୍ଚ ଅପରେସନ୍ । ଖୋଜି ଖୋଜି ଆତଙ୍କବାଦୀଙ୍କୁ ନିପାତ କରାଯାଉଛି । ଆତଙ୍କୀଙ୍କ ଅନ୍ୟ ଷଡ଼ଯନ୍ତ୍ରକୁ ପଣ୍ଡ କରାଯାଉଛି । ଏହି ଜେଲରେ ଅନେକ ଆତଙ୍କୀ ବନ୍ଦୀ ଥିବାବେଳେ ଜେଲ ଉପରେ ଆକ୍ରମଣ କରି ଆତଙ୍କୀଙ୍କୁ ଖସାଇବା ପାଇଁ ଯୋଜନା ଚଳାଥିବା ଗୁଇନ୍ଦା ତଥ୍ୟ ହସ୍ତଗତ ହୋଇଛି । ସେପଟେ ଜମ୍ମୁ-କାଶ୍ମୀ ପୁଞ୍ଛ ଜିଲ୍ଲାରେ ସର୍ଚ୍ଚ ଅପରେସନ୍ବେଳେ ଆଇଡି ବିସ୍ଫୋରକ ଜବତ ହୋଇଛି । ପହଲଗାମ ଆକ୍ରମଣ ପରେ ଜମ୍ମୁ-କାଶ୍ମୀରରେ ଜୋରଦାର ଚାଲିଛି ସେନାର ଅପରେସନ୍ । ଏହାରି ଭିତରେ ପୁଞ୍ଛ ଜିଲ୍ଲା ମାରୋଟ ଭିଲେଜ, ସୁରାନକୋଟ ଗାଁରେ ୫ଟି ଆଇଡି ଜବତ କରିଛି ସେନା ।
ସୀମାରେ ଭାରତର କଠୋର ନୀତିକୁ ଦେଖି ପାକିସ୍ତାନ ସରକାର ଏବଂ ସେନା ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି । ବଢୁଥିବା ଚାପ ଏବଂ ଆଭ୍ୟନ୍ତରୀଣ ଅସ୍ଥିରତା ମଧ୍ୟରେ ପାକିସ୍ତାନ ସରକାର ସଂସଦର ସ୍ୱତନ୍ତ୍ର ଅଧିବେଶନ ଡାକିଛନ୍ତି । ସୋମବାର ସଂଧ୍ୟା ୫ଟାରେ ବସିବାକୁ ଯାଉଥିବା ଏହି ଅଧିବେଶନରେ ଭାରତ ବିରୋଧରେ କୂଟନୈତିକ ଏବଂ ରଣନୈତିକ ପଦକ୍ଷେପ ନେଇ ହୋଇପାରେ ଆଲୋଚନା । ସେପଟେ ଭାରତକୁ ପୁଣିଥରେ ପରମାଣୁ ଧମକ ଦେଇଛି ପାକିସ୍ତାନ । ଭାରତ ସାମରିକ କାର୍ଯ୍ୟାନୁଷ୍ଠାନ ନେଲେ ପରମାଣୁ ଆକ୍ରମଣ କରିବୁ ବୋଲି କହିଛନ୍ତି ରୁଷରେ ଅବସ୍ଥାପିତ ପାକିସ୍ତାନୀ ରାଷ୍ଟ୍ରଦୂତ ।