କନକ ବ୍ୟୁରୋ : ସେପ୍ଟେମ୍ବର ୧୧, ୨୦୦୧... ଏହି ଦିନଟି ମନେଥିବ ନିଶ୍ଚୟ । ଏହି ଦିନ ବିଶ୍ୱର ମହାଶକ୍ତି କୁହାଯାଉଥିବା ଆମେରିକା ଉପରେ ଭୟଙ୍କର ଆତଙ୍କବାଦୀ ଆକ୍ରମଣ ହୋଇଥିଲା । ଯେଉଁଥିରେ ଆମେରିକାର ବହୁତ ବଡ କ୍ଷତି ହୋଇଥିଲା । ଆତଙ୍କବାଦୀମାନେ ନ୍ୟୁୟର୍କ ସ୍ଥିତ ୱାର୍ଲ୍ଡ ଟ୍ରେଡ୍ ସେଣ୍ଟର ବା ବାଣିଜ୍ୟ କେନ୍ଦ୍ରକୁ ଟାର୍ଗେଟ୍ କରିଥିଲେ । ଏଥିରେ ୩ହଜାର ଲୋକଙ୍କ ଜୀବନ ଯାଇଥିବା ବେଳେ ଏହି ଆକ୍ରମଣ ସାରା ବିଶ୍ୱକୁ ଦୋହଲାଇଦେଇଥିଲା । ଏହି ଆକ୍ରମଣକୁ ୨୧ବର୍ଷ ପୁରିଥିଲେ ବି ମନରେ ସେଦିନର ଆତଙ୍କ ଓ ଭୟଙ୍କର ଦୃଶ୍ୟର ଛାପ ଲିଭିପାରିନି । ତେବେ ଆସନ୍ତୁ ଜାଣିବା ବାସ୍ତବରେ କଣ ହୋଇଥିଲା ଏହି ଦିନ...

Advertisment

ସେପ୍ଟେମ୍ବର ୧୧ତାରିଖ ୨୦୦୧ ମସିହା, ସକାଳୁ ସକାଳୁ ଖବର ଆସିଲା, ଅଲ-କାଏଦା ଆତଙ୍କବାଦୀମାନେ ୪ଟି ବିମାନ ଅପହରଣ କରିନେଇଥିଲେ । ବିଭିନ୍ନ ଐତିହାସିକ ସ୍ଥାନରେ ବିମାନକୁ ଧକ୍କା ଦେବା ସେମାନଙ୍କ ଉଦ୍ଦେଶ୍ୟ ଥିଲା । ସକାଳ ପ୍ରାୟ ୮.୪୬... ଆମେରାକା ଏୟାରଲାଇନ୍ ଫ୍ଲାଇଟ୍- ୧୧ ୱାର୍ଲ୍ଡ ଟ୍ରେଡ୍ ସେଣ୍ଟର ଉତ୍ତର ଟାୱାରକୁ ଧକ୍କା ଦେଲା । ଠିକ୍ ୧୭ ମିନିଟ୍ ପରେ ୟୁନାଇଟେଡ୍ ଏୟାରଲାଇନ୍ସ ଫ୍ଲାଇଟ୍ ୧୭୫ ଦକ୍ଷିଣ ଟାୱାରକୁ ଧକ୍କା ଦେଇଥିଲା । ଚାରିଆଡେ ଆତଙ୍କର ମାହୋଲ ଥିଲା । ଏହି ଦୁଇ ଆକ୍ରମଣ ଖବର ସାରା ବିଶ୍ୱରେ ଆତଙ୍କିତ କରିଥିବା ବେଳେ ଆଉ କିଛି ସମୟ ପରେ, ସମୟ ପ୍ରାୟ ୯.୩୭ରେ ଆଉ ଏକ ବଡ ଆକ୍ରମଣ ହୋଇଥିଲା । ଆମେରିକୀୟ ଏୟାରଲାଇନ୍ସ ଫ୍ଲାଇଟ୍ ୭୭ ୱାଶିଂଟନ ସ୍ଥିତ ଆମେରିକାର ପ୍ରତିରକ୍ଷା ମନ୍ତ୍ରଣାଳୟ ପେଣ୍ଟାଗନରେ ମାଡ ହୋଇ ବଡ ବିସ୍ଫୋରଣ ଘଟିଥିଲା । ତେବେ ହାଇଜାକ୍ ହୋଇଥିବା ଚତୁର୍ଥ ଫ୍ଲାଇଟଟି ହ୍ୱାଇଟ୍ ହାଉସ୍ ଉପରେ ଆକ୍ରମଣ କରିବାର ଥିଲା କିନ୍ତୁ ବିମାନରେ ଯାତ୍ରୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଲଢେଇ ହେବା କାରଣରୁ ବିମାନଟି ଲକ୍ଷସ୍ଥଳରେ ହିଟ୍ ନହୋଇ ଏକ ଫିଲ୍ଡରେ ଗଳିପଡିଥିଲା । 
ଆତଙ୍କବାଦୀଙ୍କ ଏହି ୪ଟି ଆକ୍ରମଣରେ ୨୯୭୭ ଜଣଙ୍କ ମୃତ୍ୟୁ ଘଟିଛି । ଏଥିରେ ୧୯ଜଣ ଅପହରଣକାରୀ ଆତଙ୍କବାଦୀ ମଧ୍ୟ ସାମିଲ ଅଛନ୍ତି । ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ମଧରେ ଚାରିଟି ବିମାନରେ ୨୪୬ଜଣ, ୱାର୍ଲ୍ଡ ଟ୍ରେଡ୍ ସେଣ୍ଟର ଏବଂ ଆଖପାଖ ଅଞ୍ଚଳରେ ୨୬୦୬ଜଣ ଏବଂ ପେଣ୍ଟାଗନରେ ୧୨୫ଜଣ ଜୀବନ ହରାଇଛନ୍ତି । ମୃତ୍ୟୁବରଣ କରିଥିବା ଲୋକଙ୍କ ମଧ୍ୟରେ ଅଧିକାଂଶ ସାଧାରଣ ନାଗରିକ ଥିଲେ । ଉଦ୍ଧାର କାର୍ଯ୍ୟ ବେଳେ ୩୪୪ ଉଦ୍ଧାରକାରୀ କର୍ମଚାରୀ, ୭୧ ପୋଲିସ ଅଫିସର୍ ଏବଂ ୫୫ ସେନା ଯବାନ ସହିଦ ହୋଇଥିଲେ ।  
ଆମେରିକା ଦେଲା ଜବାବ !

ସେପ୍ଟେମ୍ବର ୧୧ ଆକ୍ରମଣର ଏକମାସ ମଧ୍ୟରେ ଜବାବ ଦେଲା ଆମେପିକା । ଅଲକାଏଦା ଓ ଓସାମା ବିନ୍ ଲାଡେନକୁ ମାରିବା ପାଇଁ ଆଫଗାନିସ୍ଥାନ ଉପରେ ଆକ୍ରମଣ କରିଥିଲା । ଏଥିରେ ଆମେରିକାକୁ ଅନ୍ୟ ଦେଶମାନଙ୍କର ସହାୟତା ମଧ୍ୟ ମିଳିଥିଲା । କିନ୍ତୁ ଲାଡେନକୁ ମାରିବାରେ ବିଫଳ ହୋଇଥିଲା ଆମେରିକା । ଦୀର୍ଘ ୧୦ବର୍ଷ କାଳ ଲାଡେନ୍ ଉପରେ ନଜର ରଖିବା ପରେ ପାକିସ୍ତାନର ଏବଟାବାଦ୍ ଠାରେ ଲାଡେନକୁ ମାରିବାରେ ଆମେରିକା ସଫଳ ହୋଇଥିଲା ।