କନକ ବ୍ୟୁରୋ: ପହଲଗାମ ଆତଙ୍କବାଦୀ ଆକ୍ରମଣର ଗୋଟିଏ ପରେ ଗୋଟିଏ ନୂଆ ଫର୍ଦ୍ଦ ଖୋଲିବାରେ ଲାଗିଛି । ଏନଆଇଏ ଯାଞ୍ଚରେ ଆତଙ୍କବାଦୀଙ୍କ ପୂରା ଷଡ଼ଯନ୍ତ୍ର ସାମ୍ନାକୁ ଆସିଛି । ୧୫ ତାରିଖରେ ଆତଙ୍କବାଦୀମାନେ ପହଲଗାମ ପହଞ୍ଚିଥିବା ବେଳେ ୨୨ ତାରିଖରେ ରଚିଥିଲେ ନରସଂହାର । ତେବେ ପହଲଗାମରେ ଆକ୍ରମଣ ପୂର୍ବରୁ ଆତଙ୍କବାଦୀଙ୍କ ଟାର୍ଗେଟରେ ଥିଲା ଅନ୍ୟ ୩ ସ୍ଥାନ । କିନ୍ତୁ ଶେଷ ମୁହୂର୍ତ୍ତରେ ବଦଳିଥିଲା ଆତଙ୍କବାଦୀଙ୍କ ପ୍ଲାନ । 

Advertisment

ପହଲଗାମ ଆକ୍ରମଣକୁ ୯ ଦିନ ବିତିଥିବା ବେଳେ ଆତଙ୍କବାଦୀଙ୍କୁ ଧରିବାକୁ ସେନା ପକ୍ଷରୁ ଚାଲିଛି ଜୋରଦାର ସର୍ଚ୍ଚ ଅପରେସନ । ସୀମାଠାରୁ ଆରମ୍ଭ କରି ଘାଟି, ସୈତାନଙ୍କୁ ଧରିବାକୁ ଜାଲ ବିଛାଇଛି ସେନା । ଏସବୁ ଭିତରେ ଆକ୍ରମଣର ଟିକିନିକି ତଥ୍ୟ ହାସଲ କରିବାକୁ ପହଲଗାମରେ ପହଞ୍ଚିଛନ୍ତି ଏନଆଇଏ ଡିଜି ସଦାନନ୍ଦ ଦାତେ । କିଭଳି ଆତଙ୍କବାଦୀ ପଶିଲେ, ଆକ୍ରମଣ କଲେ ଏବଂ ଖସିଗଲେ ସେନେଇ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ଲୁଚି ରହିଥିବା ଆତଙ୍କବାଦୀଙ୍କ ବାବଦରେ ଜାଣିବାକୁ ପାଖାପାଖି ୧୦୦ଟି ସ୍ଥାନରେ ଚଢାଉ କରିଛି ଏନଆଇଏ ଟିମ୍ । ଆଉ ଯାଞ୍ଚ ବେଳେ ଯେଉଁ ସତ ସାମ୍ନାକୁ ଆସିଛି ତାହା ବେଶ ଉଦବେଗଜନକ । ପହଲଗାମ ଆକ୍ରମଣ ପୂର୍ବରୁ ୩ଟି ସ୍ଥାନରେ ରେକି କରିଥିଲେ ଆତଙ୍କବାଦୀ । ବୈସରନ ଘାଟି ଛଡା ବୈତାବ, ଆରୁ ଘାଟି ଓ ଏମଜୁରମେଣ୍ଟ ପାର୍କରେ ଘୂରି ବୁଲିଥିଲେ । ଅଧିକ ସୁରକ୍ଷା ଓ କମ ପର୍ୟ୍ୟଟକ ଥିବାରୁ ଏଠାରେ ଆକ୍ରମଣ କରିବାକୁ ପଛଘୁଞ୍ଚା ଦେଇଥିଲେ ଆତଙ୍କବାଦୀ । ପରେ ଆକ୍ରମଣ ପାଇଁ ପ୍ରଥମ ପସନ୍ଦର ସ୍ଥାନ ଭାବେ ବୈସରନ ଘାଟିକୁ ବାଛିଥିଲେ ଆତଙ୍କବାଦୀ । ଅନ୍ୟପଟେ ଆତଙ୍କବାଦୀଙ୍କୁ ନିପାତ କରିବାକୁ ଦାବି କରିଛନ୍ତି ଆକ୍ରମଣରେ ପ୍ରାଣ ହରାଇଥିବା ଲେଫ୍ଟନାଣ୍ଟ ବିନୟ ନରୱାଲଙ୍କ ପରିବାର । 

ପହଲଗାମ ଆକ୍ରମଣ ପରେ ପ୍ରତିଆକ୍ରମଣ ପାଇଁ ଭାରତର ସଜବାଜ ଦେଖି ଭୟ କଲାଣି ପାକିସ୍ତାନ । ବାରମ୍ବାର ଏଲଓସିରେ ଅସ୍ତ୍ରବିରତି ଉଲ୍ଲଂଘନ କରୁଛି ପାକ୍ ସେନା । ଆତଙ୍କବାଦୀଙ୍କୁ ଅଣ୍ଡରଗ୍ରାଉଣ୍ଡ ବଙ୍କରରେ ଲୁଚାଇ ସୁରକ୍ଷା ଦେଉଛି । ଅନ୍ୟପଟେ ସମୁଦ୍ର ମଧ୍ୟରେ ଏବେ ଶକ୍ତିପ୍ରଦର୍ଶନ କରିଛନ୍ତି ଉଭୟ ଦେଶ । ଭାରତୀୟ ନୌସେନା ଆରବ ସାଗରରେ ଯୁଦ୍ଧାଭ୍ୟାସ ଆରମ୍ଭ କରିଥିବା ବେଳେ ୩ ତାରିଖ ଯାଏଁ ଚାଲିବ । ପାକିସ୍ତାନ ମଧ୍ୟ ନିଜ ନୌସେନାକୁ ଆଲର୍ଟ ମୋଡରେ ରଖିବା ସହ ଯୁଦ୍ଧାଭ୍ୟାସ ଆରମ୍ଭ କରିଛି । ତେବେ ଦିଲ୍ଲୀରେ ଭାରତୀୟ ଶୀର୍ଷ ନେତୃତ୍ବଙ୍କ ଗୁପ୍ତ ବୈଠକ ବଡ ଆକ୍ସନ ପାଇଁ ସଂକେତ ଦେଉଛି । ଏପରିକି ଭାରତୀୟ ସେନା ଟାର୍ଗେଟରେ ପିଓକେ ରହିପାରେ ବୋଲି ଆଶଙ୍କା କରୁଛନ୍ତି ପ୍ରତିରକ୍ଷା ବିଶେଷଜ୍ଞ। 

ଗୋଟିଏ ପଟେ ପୂରା ଦେଶ ଆକ୍ରମଣର ପ୍ରତିଶୋଧ ଚାହୁଥିବା ବେଳେ ଏହି ଘଟଣା ସୁପ୍ରିମକୋର୍ଟରେ ପହଞ୍ଚିଛି । ଆକ୍ରମଣର ନ୍ୟାୟିକ ତଦନ୍ତ ଦାବି କରି ଦାୟର ହୋଇଥିଲା ଜନସ୍ବାର୍ଥ ମାମଲା । ଏଭଳି ଆବେଦନ ସେନାର ମନୋବଳ ଭାଙ୍ଗିବ ବୋଲି କହି ଶୁଣାଣି କରିବାକୁ ମନା କରିଦେଇଛନ୍ତି ସୁପ୍ରିମକୋର୍ଟ ।