କନକ ବ୍ୟୁରୋ : ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଅଞ୍ଚଳରେ ବଢୁଛି ଅପରାଧ । ହତ୍ୟା, ହତ୍ୟା ଉଦ୍ୟମ ଓ ଚୋରି ଭଳି ବିଭିନ୍ନ ଅପରାଧ ଘଟୁଛି । କିଛି ଅଭିଯୁକ୍ତଙ୍କୁ ପୁଲିସ ଜେଲ୍ ବାଟ ଦେଖାଇଛି ସତ, କିନ୍ତୁ ବହୁ ଘଟଣାରେ ଅପରାଧୀଙ୍କ ଟେର୍ ପାଉନି । ଲୋକ ନିଜକୁ ଅସୁରକ୍ଷିତ ମନେ କରୁଛନ୍ତି । ପୁଲିସର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନ ଉଠିଛି ।
ଏପ୍ରିଲ ୨୭ ତାରିଖରେ ଗଞ୍ଜାମ ଜିଲ୍ଲା ସୁମଣ୍ଡଳର ଦୁଇ ଭାଇ ସଞ୍ଜୟ ବାରିକ ଓ ଅଜୟ ବାରିକଙ୍କୁ ସାମାନ୍ୟ କମେଣ୍ଟମରାକୁ ନେଇ ହତ୍ୟା କରାଯାଇଥିଲା । ହତ୍ୟା ପରେ ଦୁର୍ବୃତ୍ତମାନେ ଖଲ୍ଲିକୋଟ ଥାନା ମରେଇ ନୂଆଗାଁ ଜଙ୍ଗଲ ପାଖରେ ଦୁଇଭାଇଙ୍କୁ ପୋଡ଼ି ଦେଇଥିଲେ । ଏହି ଘଟଣାରେ ପୁଲିସ ପାଞ୍ଚ ଜଣଙ୍କୁ ଗିରଫ କରିଛି । କିନ୍ତୁ ମୁଖ୍ୟ ଅଭିଯୁକ୍ତକୁ ଧରିପାରିନାହିଁ । ଏପ୍ରିଲ ୨୮ ତାରିଖ,କୁଶପୁର ଗାଁରେ ଗୋପାଳକୃଷ୍ଣ ସାହୁଙ୍କୁ ହେମଦସ୍ତାରେ ପିଟି ହତ୍ୟା କରିଥିଲା ପୁଅ ରଞ୍ଜନ । ପୁଲିସ ରଞ୍ଜନକୁ ଗିରଫ କରିଛି । ମେ’ ୧୯,ଖଲ୍ଲିକୋଟ ଥାନା ବାକୁଟ ଗାଁରେ ପୂର୍ବ ଶତ୍ରୁତାରୁ ଅନୀଲ ଶତପଥୀଙ୍କୁ ଗୋଡ଼ାଇ ଗୋଡ଼ାଇ ଧାରୁଆ ଅସ୍ତ୍ରରେ ଦୁର୍ବୃତ୍ତ ଆକ୍ରମଣ କରିଥିଲେ । ଅନୀଲ ଚିକିତ୍ସାଧୀନ ଅଛନ୍ତି । ଏହି ଘଟଣାରେ ଦୁଇ ଜଣଙ୍କୁ ପୁଲିସ ଅଟକ ରଖିଛି । ଏସବୁ ଘଟଣା ପରେ ଖଲ୍ଲିକୋଟ ଅଞ୍ଚଳରେ ଲୋକମାନେ ନିଜକୁ ନିରାପଦ ମଣୁନାହାନ୍ତି ।
ମେ’୧୮ ତାରିଖରେ ଖଲ୍ଲିକୋଟ କୈରାସି ଛକରେ ଜମି ମାଫିଆ ନିଜ ଜମିକୁ ରାସ୍ତା ନିର୍ମାଣ ପାଇଁ ସୂର୍ଯ୍ୟମଣି ଗୌଡ଼ଙ୍କ ଘର ଉପରେ ଜେସିବି ଚଢ଼ାଇ ଦେଇଛନ୍ତି । ଅଳ୍ପକେ ବର୍ତ୍ତି ଯାଇଛନ୍ତି ସୂର୍ଯ୍ୟମଣିଙ୍କ ପରିବାର । ଏତିକିରେ ସରିନାହିଁ, ଖଲ୍ଲିକୋଟ ଅଞ୍ଚଳରେ ଦେଢ଼ମାସ ଭିତରେ ୭ଟି ଘରୁ ବଡ଼ ଧରଣର ଚୋରି ହୋଇଛି । ହେଲେ ପୁଲିସ ଗୋଟିଏ ବି ଚୋରକୁ ଧରିବା ଦୂରର କଥା, ଟେର୍ ପାଉନି । ପୁଲିସର ପାରିବା ପାଣିଆ ଉପରେ ପ୍ରଶ୍ନ ଉଠିଛି । ଅପରାଧ ବଢିଚାଲିଥିବା ବେଳେ ବେଧଡ଼କ ବୁଲୁଛନ୍ତି ଅପରାଧୀ । ଲୋକଙ୍କ ମଧ୍ୟରେ ଭୟ ବଢିଚାଲିଥିବା ବେଳେ ସୁରକ୍ଷା ଉପରେ ଗୁରୁତ୍ବ ଦେବାକୁ ଦାବି ହୋଇଛି ।