କନକ ବ୍ୟୁରୋ : କିଛି ଦିନ ନଯାଉଣୁ ଦେବଭୂମି ଉପରକୁ ମାଡିଆସିଛି ପ୍ରଳୟ । ସୋମବାର ମଝି ରାତିରେ ଡେରାଡୁନର ସହଶସ୍ତ୍ରଧାରାର ଦୁଇଟି ସ୍ଥାନରେ ବାଦଲ ଫାଟିବା ଯୋଗୁଁ ପ୍ରଳୟଙ୍କାରୀ ସ୍ଥିତି ସୃଷ୍ଟି ହୋଇଛି । କେଉଁଠି ଘରଦ୍ବାରା ଭାସିଯାଇଛି,କେଉଁଠି ଯାନବାହାନ କାଦୁଅ ମାଟିରେ ଫଶି ରହିଛି । ଗତକାଲି ଯେଉଁଠି ଚଳଚଞ୍ଚଳ ବଜାରଘାଟ ଥିଲା ଆଜି ସେଠି ଖାଁ ଖାଁ ।  କାଦୁଆ ମିଶା ଗୋଳିଆ ପାଣିରେ ଭାସୁଛି ଘରଦ୍ବାର । ତେବେ ଘଟଣାସ୍ଥଳରେ ଉଦ୍ଧାରକାମ ଜାରି ରଖିଛି ସେନା ଓ ଏନଡିଆରଏଫ ଟିମ ।

Advertisment

ଲଗାଣବର୍ଷା କାରଣରୁ ବିଭିନ୍ନ ସ୍ଥାନରେ ରାସ୍ତାରେ ବଡ ବଡ ଗାତ ହେବା ସହ କେଉଁଠି ପଥରଖଣ୍ଡ ପଡି ରହିଛି । ଯାତାୟତ ବାଧାପ୍ରାପ୍ତ ହେବା ସହ ଫଶି ରହିଛନ୍ତି ପର୍ଯ୍ୟଟକ  । ଲଗାଣବର୍ଷା ଯୋଗୁଁ ରାଜ୍ୟର ଅଧିକାଂଶ ନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ।  ତେଣୁ ନଦୀ କୁଳିଆ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଅଣାଯାଇ ଥଇଥାନ କରାଯାଉଛି । କେନ୍ଦ୍ର ସରକାରଙ୍କୁ ସ୍ଥିତି ସମ୍ବନ୍ଧରେ ଅବଗତ କରାଇଛନ୍ତି ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ । ଏଥିସହ ବନ୍ୟା ପ୍ରଭାବିତ ଅଞ୍ଚଳରେ ପହଞ୍ଚି ସ୍ଥିତିର ସମୀକ୍ଷା କରିଛନ୍ତି ।

ବର୍ଷ ୨୦୨୫ରେ ଉତ୍ତରାଖଣ୍ଡ ଛୋଟବଡ ଅନେକ ଭୁସ୍ଖଳନ, ବାଦଳଫଟା ବର୍ଷା ଦେଖିସାରିଛି । ଏହା ଭିତରେ ସବୁଠୁ ଅଧିକ ପ୍ରଳୟଙ୍କାରୀ ଘଟଣା ଥିଲା, ଉତ୍ତରକାଶୀର ଧରାଲି ବାଦଲଫଟା ବର୍ଷା, ହର୍ଷିଲ ଭୂସ୍ଖଳନ, ଗଙ୍ଗୋତ୍ରୀ ସୁଖି ଗାଓଁ ବାଦଲଫଟା ବର୍ଷା, ବରକୋଟ ଭୂସ୍ଖଳନ, କ୍ଷୀର ଗଢ଼ ପ୍ରଳୟଙ୍କରୀ ବନ୍ୟା । ସେପଟେ ଆଜି ହିମାଚଳ ମଣ୍ଡିରେ ବାଦଳ ଫାଟିବା ଫଳରେ ଗୋଟିଏ ପରିବାର ୩ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।