କନକ ବ୍ୟୁରୋ: ଚମକୁଛି ସୋର ଥାନା ଛକ ମେଢ଼ । ତୋରଣରେ ଖଡ଼ିକାଠି, ଟେରାକୋଟାର, ମାଟି ଉପକାରଣ ଓ ପାରମ୍ପରିକ ଲୋକକଳାର ଛାପ । ଏ ବର୍ଷ ତୋରଣ ସାଜସଜ୍ଜା ଉପରେ ଗୁରୁତ୍ୱ ଦେଇଛନ୍ତି ପୂଜା କମିଟି । ସୋର ସହର ଏବଂ ଏହାର ଆଖପାଖ ଅଞ୍ଚଳରେ ଜଗତଜନନୀଙ୍କ ପୂଜାର୍ଚ୍ଚନା ପାଇଁ ୧୮ଟି ମେଢ଼ ପ୍ରସ୍ତୁତ ହୋଇଛି । ୨୧ ବର୍ଷର ପୁରୁଣା ଥାନା ଛକ ମେଢ଼କୁ ପଶ୍ଚମବଙ୍ଗର କାରୀଗରଙ୍କ ଦ୍ଵାରା ଆକର୍ଷଣୀୟ କରିବାକୁ ଚେଷ୍ଟା କରାଯାଇଛି । ଖଡ଼ିକାଠି, ଟେରାକୋଟା ଓ ମାଟି ଉପକରଣରେ ନିର୍ମାଣ କରିଛନ୍ତି । ଯାହା ଏଥର ସୋରର ମୁଖ୍ୟ ଆକର୍ଷଣ ପାଲଟିବ ବୋଲି ଚର୍ଚ୍ଚା ହେଉଛି ।
ଖୁବ ସୁନ୍ଦର ଭାବେ ତୋରଣ ସଜା ଯାଇଛି । ଆଜି ସନ୍ଧ୍ୟାରେ ବିଲ୍ୱ ବରଣ ପରେ ମଣ୍ଡପରେ ମାଆଙ୍କ ପୂଜା କରାଯିବ । ଏହାକୁ ଦେଖିବା ପାଇଁ ଲୋକଙ୍କ ଗହଳି ଲାଗିଲାଣି । ପୂଜାକୁ ଶାନ୍ତି ଶୃଙ୍ଖଳାର ସହ କରିବା ପାଇଁ ପୁଲିସ ପକ୍ଷରୁ ମଧ୍ୟ ସମସ୍ତ ବନ୍ଦୋବସ୍ତ କରାଯାଇଛି । ସଦର ଏସଡିପିଓ ଶଶାଙ୍କ ଶେଖର ବେଉରାଙ୍କ ନେତୃତ୍ୱରେ ସୋର ଥାନାଧିକାରୀ ପ୍ରଭାଶୁ ଶେଖର ମିଶ୍ର ଓ ୩ ପ୍ଲାଟୁନ ଫୋର୍ସ ଫ୍ଲାଗମାର୍ଚ୍ଚ କରିଛନ୍ତି ।
୨୦୦୪ରୁ ଥାନା ଛକରେ ପୂଜାର୍ଚ୍ଚନା କରାଯାଉଛି । ୪ ଦିନ ଧରି ନିଷ୍ଠାର ସହ ପୂଜାର୍ଚ୍ଚନା ହୋଇଥାଏ । ମହିଳାଙ୍କର ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ । ବଙ୍ଗୀୟ ଶୈଳୀରେ ଦଶହରା ଦିନ ସିନ୍ଦୂର ଖେଳ ସହ ମା’ଙ୍କର ବିସର୍ଜନ ହୋଇଥାଏ । ଦଶହରା ପରଦିନ ନିରାଡ଼ମ୍ବର ଭାବେ ଭସାଣି କରାଯାଏ ।