କନକ ବ୍ୟୁରୋ: ପହଲଗାମ ଆକ୍ରମଣ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବଢ଼ିବାରେ ଲାଗିଛି । ଭିସା ବାତିଲ ପରେ ପାକିସ୍ତାନୀ ନାଗରିକ ଅଟାରୀ ସୀମା ଦେଇ ନିଜ ଦେଶକୁ ଫେରିଛନ୍ତି । ଏହି ସମୟରେ ସାମନାକୁ ଆସିଛି ଭାବବିହ୍ବଳ ଦୃଶ୍ୟ ।

Advertisment

ପହଲଗାମ ଆତଙ୍କବାଦୀ ଆକ୍ରମଣ ବର୍ଷ ବର୍ଷର ଠିକଣାକୁ ବଦଳାଇ ଦେଇଛି । ଯେଉଁମାନେ ବର୍ଷ ବର୍ଷ ଧରି ଆସି ଭାରତରେ ରହୁଥିଲେ, ଭିସା ବାତିଲ ହେବା ପରେ ସେମାନେ ଏବେ ନିଜ ଦେଶକୁ ଫେରିଛନ୍ତି । ଭାରତୀୟ ସୁରକ୍ଷା ବାହିନୀ ଦ୍ବାରା ପାସପୋର୍ଟର ଯାଞ୍ଚ ପରେ ଅଟାରୀ ଚେକ୍ ପୋଷ୍ଟ ଦେଇ ଭାରତରୁ ବିଦା ହୋଇଛନ୍ତି ପାକିସ୍ତାନୀ ନାଗରିକ । ତେବେ ଅଟାରୀ ସୀମାରେ ଦେଖିବାକୁ ମିଳିଛି କେତେକ କରୁଣ ଦୃଶ୍ୟ । ସ୍ବାମୀ ଓ ପରିବାରକୁ ଛାଡି ପାକିସ୍ତାନ ଯିବାକୁ ବାଧ୍ୟ ହୋଇଛନ୍ତି ତ ଆଉ କିଏ ବାପା ମାଆଙ୍କୁ । ପ୍ରଥମ ଓଡ଼ିଆ ଟିଭି ଚ୍ୟାନେଲ ଭାବେ କନକ ନ୍ୟୁଜ୍ କ୍ୟାମେରାରେ କଏଦ ହୋଇଛି ଅଟାରୀ ସୀମାର ଏହି ସବୁ ଦୃଶ୍ୟ ।

ପାକିସ୍ତାନୀ ନାଗରିକ ନିଜ ଦେଶକୁ ଫେରିଥିବାବେଳେ ସୀମାରେ ହନ୍ତସନ୍ତ ହୋଇଛନ୍ତି ବିଦେଶୀ ନାଗରିକ । ଯେଉଁମାନେ ପାକିସ୍ତାନ ବାଟ ଦେଇ ଭାରତକୁ ଆସିଥିଲେ ସେମାନଙ୍କୁ ଯାଞ୍ଚ ସମୟରେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ନା ଭାରତରେ ରହି ପାରୁଛନ୍ତି ନା ଚାହିଁଲେ ବି ପାକିସ୍ତାନ ବାଟ ଦେଇ ନିଜ ଦେଶକୁ ଯାଇପାରୁଛନ୍ତି ।

ପହଲଗାମ ଆକ୍ରମଣ ପରେ ଏପର୍ଯ୍ୟନ୍ତ ପ୍ରାୟ ୮୦୦ ପାକିସ୍ତାନୀ ନାଗରିକ ଭାରତରୁ ପାକିସ୍ତାନକୁ ବିଦା ହୋଇଛନ୍ତି । ସେହିପରି ପ୍ରାୟ ୧୦୦୦ ଭାରତୀୟ ନିଜ ଦେଶକୁ ଫେରି ଆସଛନ୍ତି । ତେବେ ଯେଉଁ ପାକିସ୍ତାନୀ ଭାରତ ଛାଡି ଯାଇ ନାହାନ୍ତି ସେମାନଙ୍କ ଉପରେ ସମସ୍ତଙ୍କ ନଜର ରହିଛି ।