କନକ ବ୍ୟୁରୋ: ପ୍ରାକ୍‌ ମୌସୁମୀ ବର୍ଷାରେ ଭିଜୁଛି ରାଜଧାନୀ । ହେଲେ ପୁରୀ ବିଜେଡି କନ୍ଦଳ ଏ ଓଦା ପାଗକୁ ବି ଉଷୁମ କରିଛି । ଜିଲ୍ଲା ରାଜନୀତିର ଅବୁଝା ଅଙ୍କ ନିର୍ବାଚନ ଅଧିକାରୀଙ୍କ ଘରେ କଷା ଚାଲିଥିଲେ ବି ଫଳ କିଛି ମିଳିନି । 

Advertisment
  • ପୁରୀ ବିଜେଡିରେ ଫାଟ ଜଳଜଳ
  • ଆଉ ସମ୍ଭାଳି ହେଉନି ଦଳୀୟ କନ୍ଦଳ

ଅଡୁଆ ଅଙ୍କକୁ ସଜାଡ଼ିବାକୁ ପ୍ରତାପ ଦେବଙ୍କ ଘରେ ଘମାସନ ବୈଠକ । ଡେରା ପକାଇଛନ୍ତି ଜିଲ୍ଲା ଓ ବ୍ଲକ ସ୍ତରର ନେତା । ଦଳର ନିର୍ବାଚନ ଅଧିକାରୀଙ୍କ ପାଖରେ ଚାଲିଛି କସରତ । ଆଜି ଦିନ ତମାମ ଏ ଖବର ପୁରୀ ବିଜେଡି ରାଜନୀତିକୁ ରୋଚକ କରି ରଖିଥିଲା । ସକାଳୁ ଅପରାହ୍ଣ ଯାଏ ଲମ୍ବା ବୈଠକ ଚାଲିଥିଲେ ବି କିଛି ନିଷ୍କର୍ସ ବାହାରିଲାନି । ତେଣୁ କଥା ନବୀନ ନିବାସ ଯାଏ ଯାଇଥିଲା ବେଳେ ସେଠାରୁ ଅନ୍ୟ ଏକ ତାରିଖରେ ବସିବାକୁ କୁହାଯାଇଛି । ତେବେ ନିମାପଡ଼ା ଓ ବ୍ରହ୍ମଗିରି ବ୍ଲକ ସଭାପତି ଚୟନ ହୋଇପାରୁନଥିଲାବେଳେ ଆଜି ଜିଲ୍ଲାର ସାଙ୍ଗଠନିକ ଆଲୋଚନା ହୋଇଥିବା କହିଛନ୍ତି ସାଂସଦ ଶୁଭାଶିଷ ଖୁଣ୍ଟିଆ । 

ସେପଟେ ବୈଠକରେ ନଥିଲେ ପୁରୀ ବିଧାୟକ ସୁନୀଲ ମହାନ୍ତି । ଏମିତି କି ବ୍ରହ୍ମଗିରି ନେତା ତଥା ରାଜନୈତିକ ବ୍ୟାପାର କମିଟି ସଦସ୍ୟ ସଞ୍ଜୟ ଦାସବର୍ମାଙ୍କର ବି ଦେଖା ନଥିଲା । ଜିଲ୍ଲା ସଭାପତି ଉମାକାନ୍ତ ସାମନ୍ତରାୟଙ୍କ ନେତୃତ୍ବରେ ରୁଦ୍ର ମହାରଥୀ, ଶୁଭାଶିଷ ଖୁଣ୍ଟିଆ ଓ ଅନ୍ୟ କିଛି ନେତା ଉପସ୍ଥିତ ଥିଲେ । ତେଣୁ ଜିଲ୍ଲା ରାଜନୀତିରେ ଥିବା ଫାଟ ଫୁଟିକି ଦିଶିଛି । ପୁରୀ ବିଜେଡିରେ ଉମା ବନାମ ସଞ୍ଜୟ ଓ ଶୁଭାଶିଷ ବନାମ ସୁନୀଲ କନ୍ଦଳ ଚାଲିଥିବା ଆଲୋଚନା ହେଉଛି । ତେବେ ପୁରୀ ବିବାଦ ଅଠରନଳା ଡେଇଁ ରାଜଧାନୀରେ ପହଞ୍ଚିବା ପରେ ରାଜନୀତି ତେଜିଛି । ଉମା ଓ ସୁନିଲଙ୍କ ବୟାନ ବି ଦଳୀୟ କନ୍ଦଳକୁ ଖୋରାକ ଯୋଗାଇଛି । 

ସୂଚନାଯୋଗ୍ୟ ଯେ, ପୁରୀରେ ମାଟି କାମୁଡ଼ିଛି ବିଜେଡି । କ୍ଷମତା ହାତରୁ ଯିବାପରେ କନ୍ଦଳ ବଢ଼ିଛି । ନବୀନ ନିବାସ ଯାଏ ମାଡ଼ି ଆସିଥିବା ନେତାଙ୍କ ନିଆଁକୁ ଦଳ କେମିତି ଲିଭାଉଛି, ଦେଖିବାକୁ ବାକି ରହିଲା ।