କନକ ବ୍ୟୁରୋ: ସୁନ୍ଦରଗଡ଼ ଜିଲ୍ଲାର ବରପାଲି କୋଇଲା ସାଇଡିଂକୁ ନେଇ ଉତ୍ତେଜନା । ପ୍ରଶାସନ ଓ ସ୍ଥାନୀୟ ବିଧାୟକଙ୍କ ମଧ୍ୟରେ ଲଢ଼େଇ । ଶନିବାର କୋଇଲା ସାଇଡିଂକୁ ନେଇ ବରପାଲି ଗ୍ରାମବାସୀ ଆନ୍ଦୋଳନରେ ବସିଥିଲେ । ଏହାକୁ ସମର୍ଥନ କରି ବିଧାୟକ ଯୋଗେଶ ସିଂ ଆନ୍ଦୋଳନ କରିଥିଲେ । ବରପାଲି ଗ୍ରାମ ରେଲୱେ ସାଇଡିଂ ଠାରୁ ମାତ୍ର ୩୦୦ ମିଟର ଦୂରତାରେ ଥିବା ବେଳେ ରେଲୱେ ସାଇଡିଂ ଠାରୁ ୫୦୦ ମିଟର ଦୂରତାରେ ଜନବସତି ରହିବା ନିୟମ ରହିଛି । ତେବେ ଲୋକଙ୍କ କଥା ନଶୁଣି ବେଆଇନ ଭାବରେ ଗ୍ରାମବାସୀଙ୍କୁ ପୋଲିସ ଉଠାଉଥିବା ଅଭିଯୋଗ କରିଛନ୍ତି ବିଧାୟକ ଯୋଗେଶ ସିଂ । ସେହିପରି ରେଲୱେ ସାଇଡିଂ ପାଇଥିବା କମ୍ପାନୀ ପାଖରେ CTO ନଥିବା ସୁନ୍ଦରଗଡ଼ ବିଧାୟକ ଅଭିଯୋଗ କରିଛନ୍ତି । ଅନ୍ୟପଟେ ଏନେଇ କୋର୍ଟ କୌଣସି ରହିତାଦେଶ ଦେଇନଥିବା ପ୍ରଶାସନ କହିଛି । ବିଧାୟକଙ୍କୁ ପୋଲିସ ଉଠାଇନେବା ପ୍ରତିବାଦରେ ବିଜେଡି ବିକ୍ଷୋଭ କରିଛି । ଅନ୍ୟପଟେ ରାତିରେ ପୁଲିସ ଉପସ୍ଥିତିରେ କୋଇଲା ପରିବହନ ହୋଇଛି । 

Advertisment

ସେପଟେ ପୋଲିସର କାର୍ଯ୍ୟାନୁଷ୍ଠାନକୁ ନିନ୍ଦା କରିଛି ବିଜେଡି । ସୁନ୍ଦରଗଡ଼ର ବିଧାୟକ ଗୋଟିଏ ଆଦିବାସୀ ଗାଁର ଲୋକଙ୍କ ସ୍ୱାର୍ଥକୁ ନେଇ ଲଢ଼ୁଥିବା ବେଳେ ପୋଲିସ ତାଙ୍କୁ ଅଟକ ରଖିଛି ବୋଲି କହି, ବିଜେଡି ଏହାକୁ ନିନ୍ଦା କରିଛି । ବରପାଲ୍ଲୀ ଗାଁରୁ ୩୦୦ ମିଟର ଦୂରରେ ଏକ ରେଲୱେ ସାଇଡିଂ ତିଆରି କରିବାକୁ ଯୋଜନା ହୋଇଛି । ସରକାରଙ୍କ ଜନ ବିରୋଧୀ ନିଷ୍ପତ୍ତି ବିରୋଧରେ ଯୋଗେଶ ସିଂ ଲୋକଙ୍କ ପାଇଁ ଲଢ଼େଇ କରୁଛନ୍ତି । ବିଧାୟକ ପୂର୍ବରୁ ଏ ନେଇ ଜିଲ୍ଲା ପ୍ରଶାସନକୁ ଜଣାଇଛନ୍ତି । ଲୋକଙ୍କ ଆନ୍ଦୋଳନ ପ୍ରତିବାଦକୁ ଜିଲା ପ୍ରଶାସନ ଚାପିବାକୁ ବ୍ୟବସ୍ଥା କରାଯାଇଛି ବୋଲି ବିଜେଡି କହିଛି । ଏହାସହ ପ୍ରଶାସନ ଆତଙ୍କରାଜ ଚଳାଇଛି । ରେଲୱେ ସାଇଡିଂ ହେଲେ ଏହାର କୁ-ପ୍ରଭାବ ପଡିବ । ଶିକ୍ଷାନୁଷ୍ଠାନରେ ଏହାର କୁ-ପ୍ରଭାବ ପଡ଼ିବ ବୋଲି ବିଜେଡି କହିଛି ।