abhisek Photograph: (Kanak News)
କନକ ବ୍ୟୁରୋ: ଆଇସିସି ଟି-୨୦ ବିଶ୍ୱକପ୍ ପାଇଁ ଏବେ ମାସକରୁ କମ୍ ସମୟ ବାକି ଅଛି । ଫେବୃଆରୀ ୭ ତାରିଖରୁ ଏହି ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବାକୁ ଯାଉଛି । ଭାରତୀୟ ଦଳ ଏହି ମହାମୁକାବିଲା ପାଇଁ ନିଜର ୧୫ ଜଣିଆ ଦଳ ପୂର୍ବରୁ ହିଁ ଘୋଷଣା କରିସାରିଛି । ବିଶ୍ୱକପ୍ ପୂର୍ବରୁ ଭାରତକୁ ନ୍ୟୁଜିଲାଣ୍ଡ ସହିତ ୫ଟି ମ୍ୟାଚର ଏକ ସିରିଜ୍ ଖେଳିବାକୁ ଅଛି, ଯାହା ଏକ ଓ୍ୱାର୍ମଅପ୍ ସଦୃଶ ହେବ ।
ବିଶ୍ୱକପ୍ ପାଇଁ ଘୋଷଣା ହୋଇଥିବା ଭାରତୀୟ ଦଳ ଉପରେ ଯଦି ନଜର ପକାଇବା, ତେବେ ଦଳ ବହୁତ ସନ୍ତୁଳିତ ଦେଖାଯାଉଛି । ବ୍ୟାଟିଂ ଏବଂ ବୋଲିଂରେ ଗଭୀରତା ଦେଖିବାକୁ ମିଳୁଛି । କିନ୍ତୁ ଏହି ମୁକାବିଲା ପୂର୍ବରୁ ଭାରତର ଚିନ୍ତା ବଢ଼ାଇ ଦେଇଛନ୍ତି ଦୁନିଆର ନମ୍ବର-୧ ଟି-୨୦ ବ୍ୟାଟର ଅଭିଷେକ ଶର୍ମା । ଅଭିଷେକ ଶର୍ମା ବର୍ତ୍ତମାନ ଅତି ଖରାପ ଫର୍ମ ଦେଇ ଗତି କରୁଛନ୍ତି ।
ନିଜର ନିର୍ଭୀକ ବ୍ୟାଟିଂ ପାଇଁ ଜଣାଶୁଣା ଅଭିଷେକ ଶର୍ମାଙ୍କ ବ୍ୟାଟ୍ ଗତ ପ୍ରାୟ ଏକ ମାସ ହେବ ଶାନ୍ତ ରହିଛି । ତାଙ୍କୁ ଭଲ ଆରମ୍ଭ ମିଳିଛି କିନ୍ତୁ ସେ ବଡ଼ ପାଳି ଖେଳିପାରି ନାହାନ୍ତି । ତାଙ୍କର ଖରାପ ଫର୍ମର ଅନ୍ଦାଜ ଏହି କଥାରୁ ଲଗାଯାଇପାରେ ଯେ ଅଭିଷେକ ଗତ ୧୦ଟି ପାଳିରେ କେବଳ ଗୋଟିଏ ଅର୍ଦ୍ଧଶତକ ହାସଲ କରିଛନ୍ତି । ତାଙ୍କ ବ୍ୟାଟରୁ ଶେଷ ଅର୍ଦ୍ଧଶତକ ଡିସେମ୍ବର ୨ ତାରିଖରେ ଆସିଥିଲା । ସେଇଟି ମଧ୍ୟ ଏକ ଘରୋଇ ମ୍ୟାଚରେ ଥିଲା ଯେତେବେଳେ ସେ ସୟଦ ମୁସ୍ତାକ ଅଲି ଟ୍ରଫିରେ ଅର୍ଦ୍ଧଶତକ ମାରିଥିଲେ ।
ଆହୁରି ପଢ଼ନ୍ତୁ... ପଡ଼ିଆରେ ହୃଦଘାତ, ଟଳିପଡ଼ିଲେ ମିଜୋରାମ କ୍ରିକେଟ ଖେଳାଳି
ଏହାପରେ ଅଭିଷେକ ଦକ୍ଷିଣ ଆଫ୍ରିକା ସହିତ ୫ଟି ମ୍ୟାଚର ଟି-୨୦ ସିରିଜ୍ ମଧ୍ୟ ଖେଳିଥିଲେ । କିନ୍ତୁ ପୂରା ସିରିଜରେ ତାଙ୍କ ବ୍ୟାଟ୍ ଶାନ୍ତ ରହିଥିଲା । ଏହି ସିରିଜରେ ତାଙ୍କର ସର୍ବାଧିକ ସ୍କୋର ୩୫ ରନ୍ ଥିଲା । ବିଜୟ ହଜାରେର ଗତ ମ୍ୟାଚରେ ମୁମ୍ବାଇ ବିପକ୍ଷରେ ଅଭିଷେକ କେବଳ ୮ ରନ୍ କରିବାକୁ ସକ୍ଷମ ହୋଇଥିଲେ । ସେହିପରି ବୋଲିଂରେ ସରଫରାଜ ତାଙ୍କୁ ନିର୍ଦ୍ଧୁମ ପ୍ରହାର ମଧ୍ୟ କରିଥିଲେ।
ଅଭିଷେକଙ୍କ ଏହି ଫର୍ମ ଏଥିପାଇଁ ମଧ୍ୟ ଚିନ୍ତାର ବିଷୟ କାରଣ ଗିଲଙ୍କ ଅନୁପସ୍ଥିତିରେ ଅଭିଷେକଙ୍କ ଉପରେ ଦଳକୁ ଏକ ଦୃଢ଼ ଆରମ୍ଭ ଦେବାର ବଡ଼ ଦାୟିତ୍ୱ ରହିଛି । ଏସିଆ କପ୍ରେ ତାଙ୍କର ଶୈଳୀକୁ ସମସ୍ତେ ଦେଖିଥିଲେ । ତାଙ୍କ ନାମର ଏକ ଭୟ ରହିଛି । କିନ୍ତୁ ଯଦି ତାଙ୍କ ବ୍ୟାଟ୍ ଶାନ୍ତ ରହେ, ତେବେ ଏହା ଚିନ୍ତାର ବିଷୟ ହେବ । କାରଣ ଅଧିନାୟକ ସୂର୍ଯ୍ୟ ମଧ୍ୟ ଫର୍ମରେ ନାହାନ୍ତି । ତିଲକ ବର୍ମାଙ୍କ ଫିଟନେସ୍ ଉପରେ ମଧ୍ୟ ସନ୍ଦେହ ରହିଛି । ସେହିପରି ଇଶାନ କିଷନଙ୍କ ଭୂମିକା ଏପର୍ଯ୍ୟନ୍ତ ସ୍ଥିର ହୋଇନାହିଁ, ଅନ୍ୟପଟେ ସଞ୍ଜୁଙ୍କ ପୋଜିସନ୍ ମଧ୍ୟ ବାରମ୍ବାର ପରିବର୍ତ୍ତନ କରାଯାଉଛି । ଏଭଳି ପରିସ୍ଥିତିରେ ଅଭିଷେକ ଫର୍ମକୁ ଫେରିବା ନିହାତି ଜରୁରୀ ।
Follow Us