କନକ ବ୍ୟୁରୋ: ଭାରତ-ପାକ୍ ଯୁଦ୍ଧ ଆଶଙ୍କା ବଢ଼ୁଛି । ଯେକୌଣସି ପରିସ୍ଥିତିରେ କିଛି ବି ହୋଇପାରେ । ଏହାରି ଭିତରେ ଓଡ଼ିଶାର ୭ଟି ସମ୍ବେଦନଶୀଳ ଅଞ୍ଚଳକୁ ଚିହ୍ନଟ କରିଛି ଗୁଇନ୍ଦା ବିଭାଗ । ଶତ୍ରୁର ନଜର ଏସବୁ ଅଞ୍ଚଳ ଉପରେ ପଡ଼ିଥିବା କୁହାଯାଇଛି । ଫଳରେ ଏସବୁ ଅଞ୍ଚଳର ସୁରକ୍ଷା ବ୍ୟବସ୍ଥାକୁ ହଠାତ ବଢ଼ାଇ ଦିଆଯାଇଛି ।
ବାଜିନି ଯୁଦ୍ଧ ବିଗୁଲ୍ । ଏବେଠୁ ବଢ଼ିଲାଣି ଟେନସନ୍। ପାକିସ୍ତାନକୁ ପାଣି, ଆକାଶପଥ ବନ୍ଦ ପରେ ଘନାଉଛି ଯୁଦ୍ଧ ଆଶଙ୍କା । ଆଉ ଏହାରି ଭିତରେ ଓଡ଼ିଶାର ୭ ସମ୍ବେଦନଶୀଳ ସ୍ଥାନ ଉପରେ ପଡ଼ିଛି ନଜର । ସୁରକ୍ଷାକର୍ମୀଙ୍କ ନଜରରେ ଏବେ ସୁନାବେଡ଼ା ମିଗ୍ ବିମାନ କାରଖାନା, ବଡ଼ମାଳ ଗୋଳାବାରୁଦ କାରଖାନା, ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟି, ଧାମରା ଅବଦୁଲ କଲାମ୍ ଦ୍ବୀପ, ଅମର୍ଦ୍ଦା ଏୟାରଷ୍ଟ୍ରିପ୍, ଗୋପାଳପୁର ରେୟାର ଆର୍ଥ ଲିମିଟେଡ୍ ଓ ପୁରୀ ଶ୍ରୀମନ୍ଦିର । ଏହାସହ ଚାରବାଟିଆ ଅଞ୍ଚଳ ବି ହାଇ ସିକ୍ୟୁରିଟି ଜୋନ୍ରେ ରହିଥିବା ଜଣାପଡ଼ିଛି ।
ଗତ ୩ ଦିନ ଭିତରେ ଏସବୁ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା ବଢ଼ିଛି ୪ଗୁଣ । କୌଣସି ପରିସ୍ଥିତିରେ ଶତ୍ରୁ ସହ ମୁକାବିଲା ଲାଗି ସମସ୍ତଙ୍କୁ ଆଲର୍ଟ କରାଯାଇଛି । ଖାଲି ସେତିକି ନୁହେଁ ୪୮୭ କିଲୋମିଟର ସମୁଦ୍ର ବେଳାଭୂମି ବି ହାଇ ସେନ୍ସିଟିଭ୍ ଜୋନ୍ ବା ଅତି ସମ୍ବେଦନଶୀଳ ଅଞ୍ଚଳ ବୋଲି ଘୋଷଣା କରାଯାଇଛି । ମେରାଇନ୍ ପୁଲିସ ପକ୍ଷରୁ କରାଯାଉଛି ଘନଘନ ଚେକିଂ, ବ୍ଲକିଂ । ଗୃହ ବିଭାଗ ପକ୍ଷରୁ ଏନେଇ ଅନ୍ତରୀଣ ନିର୍ଦ୍ଦେଶ ବି ମିଳିଛି । ଯଦିଓ ଗଣମାଧ୍ୟମକୁ ଉଁ କି ଚୁଁ କୁହାଯାଉନି, ହେଲେ ପ୍ରସ୍ତୁତି ବୁଝାଇ ଦେଉଛି କେତେ ସତର୍କ ଅଛି ସୁରକ୍ଷା ବାହିନୀ?
ଭାରତୀୟ ସେନାକୁ ଓଡ଼ିଶାର ଅବଦାନ କିଛି କମ୍ ନୁହେଁ । ବିମାନ ଇଂଜିନ୍ଠାରୁ ଗୋଳାବାରୁଦ । ଏୟାରବେସ୍ଠାରୁ ଏସିଆର ଦ୍ବିତୀୟ ବୃହତ୍ତମ ରନ୍ୱେ । ସବୁକିଛି ରହିଛି ଓଡ଼ିଶାରେ । ଏବେ ଯୁଦ୍ଧ ଆଶଙ୍କା ଘନେଇବା ବେଳେ ଓଡ଼ିଶାକୁ ହାଇଆଲର୍ଟରେ ରଖିବା, ପରିସ୍ଥିତିର ଗମ୍ଭୀରତାକୁ ସାମ୍ନାକୁ ଆଣିଛି ।