କନକ ବ୍ୟୁରୋ: ଇବ୍ ନଦୀରେ ବାଲିବନ୍ଧ ଭାଙ୍ଗିବାକୁ ପୁର୍ତ୍ତ ବିଭାଗର ଯୋଜନା । କାରଣ ପୋଲ ନିର୍ମାଣରେ ସମସ୍ୟା ସୃଷ୍ଟି କରୁଛି ବାଲିବନ୍ଧ। ଏପଟେ ବାଲିବନ୍ଧ ଭଙ୍ଗାକୁ ବିରୋଧ କରୁଛନ୍ତି ସୁନ୍ଦରଗଡ଼ ସହରବାସୀ । ବନ୍ଧ ଭାଙ୍ଗି ଗଲେ ପାଣି ବହିଯିବ, ଜିଲ୍ଲାରେ ଜଳାଭାବ ଦେଖାଦେବ ବୋଲି ସେମାନେ ଆଶଙ୍କା କରିଛନ୍ତି । ଏବଂ ପୂର୍ତ୍ତ ବିଭାଗର ଏହି ନିଷ୍ପତ୍ତିକୁ ଜୋରଦାର ବିରୋଧ କରିଛନ୍ତି ।
ଖରାଦିନ ଆସିଲେ ସୁନ୍ଦରଗଡ଼ବାସୀ ପାଣି ପାଇଁ ଡହଳ ବିକଳ ହୁଅନ୍ତି । ଚଳିତବର୍ଷ ସେହି ସମସ୍ୟାର ସମାଧାନ କରିବା ପାଇଁ ସୁନ୍ଦରଗଡର ଜୟ ଜଗନ୍ନାଥ ଟ୍ରକ ଆସୋସିଏସନ ପକ୍ଷରୁ ଇବ୍ ନଦୀରେ ୧୩ ଲକ୍ଷ ବ୍ୟୟରେ ବାଲିବନ୍ଧ କରାଯାଇଛି । ପାଣି ଅଟକା ଯାଇଛି । ହେଲେ ଇବ୍ ନଦୀର ଉପରମୁଣ୍ଡ ଭୋଜପୁର ଠାରେ ପୋଲ ନିର୍ମାଣ ପାଇଁ ବାଲିବନ୍ଧ ଭାଙ୍ଗିବାକୁ ପ୍ରୟାସ କରୁଛି ପୂର୍ତ୍ତ ବିଭାଗ । ଯାହାକୁ ବିରୋଧ କରିଛନ୍ତି ସ୍ଥାନୀୟ ବାସିନ୍ଦା ।
ବାଲିବନ୍ଧ ଯୋଗୁଁ ଭୋଜପୁର ଠାରେ ହେଉଥିବା ପୋଲ ନିର୍ମାଣରେ ସମସ୍ୟା ହେଉଛି । ପାଣି ଅଧିକ ହେବାରୁ କାମ କରି ହେଉନାହିଁ । ତେଣୁ ବାଲିବନ୍ଧ ଭାଙ୍ଗିବାକୁ ଯୋଜନା କରୁଛି ପ୍ରଶାସନ। ସେପଟେ ବନ୍ଧଭାଙ୍ଗି ଗଲେ ପାଣି ସମସ୍ୟା ଉତ୍କଟ ହେବ ବୋଲି କହିଛନ୍ତି ଜୟ ଜଗନ୍ନାଥ ଟ୍ରକ ଆସୋସିଏସନ ଅଧ୍ୟକ୍ଷ । ଅନ୍ୟପଟେ ଉପଜିଲ୍ଲାପାଳ କହିଛନ୍ତି କୌଣସି ଅସୁବିଧା ହେବ ନାହିଁ, ଇବ୍ ନଦୀରେ ପାଣି ବି ରହିବ ପୋଲ ବି ନିର୍ମାଣ ହେବ । ଲୋକଙ୍କୁ ଶୋଷ ମେଣ୍ଟାଇବାର ଚିନ୍ତା ଘାରିଥିବା ବେଳେ ପ୍ରଶାସନକୁ ପୋଲ ନିର୍ମାଣ ଚିନ୍ତା ଲାଗିଛି ।