କନକ ବ୍ୟୁରୋ: ପ୍ରଣବ ପ୍ରକାଶଙ୍କ ଭାଇ ଗିରଫ ପରେ ଅଶାନ୍ତ ହୋଇପଡିଛି ଯାଜପୁର ସହର। ଚାପା ଉତ୍ତେଜନା ଥିବାରୁ ସହର ପୁଲିସ ଛାଉଣୀ ପାଲଟିଛି । ବିଧାୟକଙ୍କୁ ଆକ୍ରମଣ, ବିରଜା ହାଟ ହଙ୍ଗାମା ମାମଲାରେ ଭବ ପ୍ରସାଦ ଦାସ ସମେତ ୧୯ ଜଣ ଗିରଫ ହୋଇଛନ୍ତି । ଏବେ ବି ଫେରାର ଥିବା ଶତାଧିକ ଅଭିଯୁକ୍ତଙ୍କୁ ଧରିବା ପାଇଁ ପୁଲିସର ୪ଟି ସ୍ପେଶାଲ ଟିମ ବିଭିନ୍ନ ସ୍ଥାନରେ ଚଢ଼ାଉ କରୁଛି । ଏପଟେ ଏହି ପ୍ରସଙ୍ଗକୁ ନେଇ ରାଜନୈତିକ ବୟାନବାଜି ତେଜିଛି । 

Advertisment

ଯାଜପୁର ସହରରେ ଚାପା ଉତ୍ତେଜନାକୁ ପ୍ରଶମିତ କରିବାକୁ ପୁଲିସର ଫ୍ଲାଗମାର୍ଚ୍ଚ ହେଉଛି । ବିଜେଡି ନେତା ପ୍ରଣବ ପ୍ରକାଶ ଦାସଙ୍କ ଭାଇ ଭବ ପ୍ରସାଦ ଦାସ ଓ ତାଙ୍କ ସମର୍ଥକଙ୍କ ଗିରଫ ପରେ ଯାଜପୁର ସହର ଅଶାନ୍ତ ହୋଇପଡିଛି । ଚାପା ଉତ୍ତେଜନା ଯୋଗୁଁ ଅଘଟଣ ଆଶଙ୍କାରେ ସହରରେ ୨୮ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି । 

ସହରର ବିଭିନ୍ନ ଛକରେ ପୁଲିସ ଫୋର୍ସ ପଇଁତରା ମାରୁଛନ୍ତି । ଧର୍ମଶାଳା ବିଧାୟକଙ୍କୁ ଆକ୍ରମଣ, ବିରଜା ହାଟରେ ହଙ୍ଗାମା ଓ ଥାନା ଘେରାଉ ଘଟଣାକୁ ନେଇ ଯାଜପୁର ଟାଉନ ଥାନା ଓ ସଦର ଥାନାରେ ମୋଟ ୧୬ଟି ମାମଲା ରୁଜୁ ହୋଇଛି । ଏହିସବୁ ମାମଲାରେ ଭବ ଦାସଙ୍କ ସମେତ ୧୯ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୁଲିସ । ଏବେ ବି ଶତାଧିକ ଅଭିଯୁକ୍ତ ଫେରାର ଅଛନ୍ତି । ଫେରାର ଅଭିଯୁକ୍ତଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ପୁଲିସ ଚଢାଉ କରୁଛି । 

ଆଇନଶୃଙ୍ଖଳାକୁ ନେଇ ତେଜିଲା ରାଜନୀତି 
ବିଜେଡି-ବିଜେପି ମଧ୍ୟରେ ବଢିଲା ବୟାନବାଜି 

ରାଜ୍ୟର ଆଇନଶୃଙ୍ଖଳାକୁ ପ୍ରସଙ୍ଗ କରି ସରକାରଙ୍କୁ ଘେରିଛି ବିରୋଧୀ ବିଜେଡି। ଯାଜପୁର ପ୍ରସଙ୍ଗ ଉଠାଇ ପୁଲିସ ସରକାରୀ ଗୁଣ୍ଡା ସାଜିଥିବା ଅଭିଯୋଗ ଆଣି ସୋମବାର ପୁଲିସ ଡିଜିଙ୍କୁ ଭେଟିବ ବିଜେଡିର ଏକ ପ୍ରତିନିଧି ଦଳ । ଏହାପରେ ବି ସମାଧାନ ନହେଲେ ରାଜରାସ୍ତାକୁ ଓହ୍ଲାଇବାକୁ ବିଜେଡି ଚେତାବନୀ ଦେଇଛି । ସେପଟେ ବିଜେଡିକୁ କଡ଼ା ଜବାବ ଦେଇ ବିଜେପି ରାଜ୍ୟସଭାପତି କହିଛନ୍ତି, ଭଗବାନ ତାଙ୍କୁ ସଦବୁଦ୍ଧି ଦିଅନ୍ତୁ, ସେମାନେ ହିଂସା ରାସ୍ତା ଛାଡନ୍ତୁ । ଚଳିତ ମାସ ଶେଷରେ ଆଇନଶୃଙ୍ଖଳା ପରିସ୍ଥିତିକୁ ନେଇ ଭୁବନେଶ୍ୱରରେ ଡିଜିପି ସମ୍ମିଳନୀ ହେବାକୁ ଯାଉଥିବା ବେଳେ ରାଜ୍ୟର ଆଇନଶୃଙ୍ଖଳାକୁ ମୁଖ୍ୟ ପ୍ରସଙ୍ଗ କରିଛି ବିରୋଧୀ ।