କନକ ବ୍ୟୁରୋ: କଟକରେ ଦୁର୍ଗାପୂଜା ଭସାଣ ବେଳେ ଗଣ୍ଡଗୋଳ ମାମଲାରେ ଫେରୁଛି ଶାନ୍ତି । ତଥାପି ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛି ପୁଲିସ । ଗଣ୍ଡଗୋଳ ହୋଇଥିବା ସ୍ଥାନରେ ଆଜି ପୁଲିସ ପକ୍ଷରୁ ଫ୍ଲାଗମାର୍ଚ୍ଚ କରାଯାଇଛି । ସେପଟେ ଅଭିଯୁକ୍ତଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବିରେ କାଲି କଟକ ବନ୍ଦ ଡାକରା ଦେଇଛି ବିଶ୍ୱ  ହିନ୍ଦୁ ପରିଷଦ । 
କଟକରେ ଦୁର୍ଗାପୂଜା ଭସାଣ ବେଳେ ଗୋଷ୍ଠୀ ସଂଘର୍ଷ ପରେ ଫେରୁଛି ଶାନ୍ତି । ପରିସ୍ଥିତି ଶାନ୍ତ ରହିଥିଲେ ବି ତୀକ୍ଷ୍ଣ ନଜର ରଖିଛି ପୁଲିସ । ଗଣ୍ଡଗୋଳ ହୋଇଥିବା ସ୍ଥାନ ହାତୀପୋଖରୀ ଓ ଦରଘା ବଜାରରେ ପୁଲିସ, ବିଏସ୍‌ଏଫ୍ ଏବଂ ସିଆରପିଏଫ୍ ଯବାନ ମିଳିତ ଭାବେ ଫ୍ଲାଗମାର୍ଚ କରିଛନ୍ତି । ଏପରିକି ସାହି ଗଳିରେ କ୍ୟାମ୍ପ୍‌ ଲଗାଇ ଡେରା ପକାଇଛି ପୁଲିସ । ଏପଟେ ଅଭିଯୁକ୍ତଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବିରେ କାଲି କଟକ ବନ୍ଦ ଡାକରା ଦେଇଛି ବିଶ୍ୱ  ହିନ୍ଦୁ ପରିଷଦ । ବନ୍ଦ ଡାକରା ପୂର୍ବରୁ ଭିଏଚ୍‌ପି ପକ୍ଷରୁ ବିଦ୍ୟାଧରପୁରରୁ ଏକ ବାଇକ୍ ଶୋଭାଯାତ୍ରା ବାହାରିଛି । 

Advertisment

ଗଣ୍ଡଗୋଳ ଘଟଣାକୁ କଟକ କଦମ ରସୁଲ ସାହି ମୁରବୀ ମାନେ ନିନ୍ଦା କରିଛନ୍ତି । ଯେଉଁମାନେ ଏ କାଣ୍ଡରେ ସଂପୃକ୍ତ, ସେମାନଙ୍କୁ ତୁରନ୍ତ ଗିରଫ କରାଯାଉ । କିନ୍ତୁ ଅପପ୍ରଚାର କରି କଟକର ଭାଇଚାରାକୁ ନଷ୍ଟ କରାନଯାଉ ବୋଲି ସାହି ମୁରବୀ କହିଛନ୍ତି । କଟକ ଜିଲ୍ଲା ବିଜେପି ମଧ୍ୟ ଘଟଣାକୁ ନିନ୍ଦା କରିବା ସହ ଗିରଫ ୬ ଜଣଙ୍କ ବିରୋଧରେ ଏନ୍‌ଏସ୍‌ଏ ଲଗାଇବାକୁ ଦାବି କରିଛି । କିଛି ଗୋଷ୍ଠୀ କଟକର ଭାଇ ଚାରାକୁ ନଷ୍ଟ କରିବାକୁ ଉଦ୍ୟମ କରୁଛନ୍ତି । ସହରରୁ ରୋହିଙ୍ଗ୍ୟାଙ୍କୁ ତଡ଼ିବା ସହ ଜବରଦଖଲ ଉଚ୍ଛେଦ କରିବାକୁ ବିଜେପି ଦାବି କରିଛି । ଭସାଣ ଦିନ କଟକ ହାତୀପୋଖରୀ ଓ ଦରଘା ବଜାର ଅଞ୍ଚଳରେ ହିଂସାକାଣ୍ଡ ହୋଇଥିଲା । ଏଥିରେ ୬ ଜଣଙ୍କ ସହ କଟକ ଡିସିପି ମଧ୍ୟ ଆହତ ହୋଇଥିଲେ ।