କନକ ବ୍ୟୁରୋ : ବାଲେଶ୍ବରରେ ରେଳବାଇ ଜାଗାରୁ ଜବରଦଖଲ ଉଚ୍ଛେଦ ଆରମ୍ଭ ହୋଇଛି । ଅପ୍ରୀତିକର ପରିସ୍ଥିତି ଏଡ଼ାଇବାକୁ ଦୁଇଦିନ ପାଇଁ ସଂପୃକ୍ତ ଅଞ୍ଚଳରେ କର୍ଫ୍ୟୁ ଜାରି କରାଯାଇଥିଲେ ବି ଉତ୍ତେଜନା ଦେଖାଦେଇଥିଲା ।  ପରିସ୍ଥିତି ସ୍ବାଭାବିକ ହେବା ପରେ ଉଚ୍ଛେଦ ଜାରି ରହିଛି । ଆଜି ଓ ଆସନ୍ତାକାଲି ଜବରଦଖଲ ଉଚ୍ଛେଦ ଚାଲିବ। 

Advertisment

ବାଲେଶ୍ବରରେ ରେଳବାଇ ଜାଗାରୁ ଜବରଦଖଲ ଉଚ୍ଛେଦ ଆରମ୍ଭ ହୋଇଛି । ଅପ୍ରୀତିକର ପରିସ୍ଥିତି ଏଡ଼ାଇବା ପାଇଁ ଅରଡ଼ ବଜାରରୁ ପରିବା ବଜାର, ହରିପୁରରୁ ଦର୍ଜୀ ପୋଖରୀ, କସ୍ମିଳା ପୋଲଠାରୁ ଫୁଲାଡ଼ି ଛକ, ନୂଆ ବଜାର ରେଲବାଇ ଗେଟ୍, ଗଳା ପୋଲ ଓ ନୂଆ ବଜାର ପରିବା ମାର୍କେଟର ଉଭୟ ପାର୍ଶ୍ୱ ରାସ୍ତାରେ ଭୋର୍ ୪ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ୨ଦିନ ପାଇଁ କର୍ଫ୍ୟୁ ଜାରି କରିଛି ଜିଲ୍ଲା ପ୍ରଶାସନ । ଆଜି ସକାଳ ୧୦ଟାରେ ଉଚ୍ଛେଦ ଆରମ୍ଭ ହୋଇଥିବା ବେଳେ କର୍ଫ୍ୟୁ ସତ୍ତ୍ବେ ଉତ୍ତେଜନା ଦେଖାଦେଇଥିଲା । ଥଇଥାନ ନ କରି ଉଚ୍ଛେଦ କରାଯାଉଥିବା ଲୋକ ଅଭିଯୋଗ କରିଛନ୍ତି । କିଛି ମହିଳା ଜେସିବି ଉପରକୁ ଟେକା ପଥର ମାଡ଼ କରିଥିବା ଦେଖିବାକୁ ମିଳିଥିଲା । ଉତ୍ତେଜନାମୂଳକ ପରିସ୍ଥିତକୁ ଏଡ଼ାଇବା ପାଇଁ ଘଟଣାସ୍ଥଳରେ ଉପଜିଲ୍ଲାପାଳ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ । ପରେ ପରିସ୍ଥିତି ସ୍ୱାଭାବିକ ହୋଇଥିଲା । ଏହାରି ଭିତରେ ଜବରଦଖଲ  ଉଚ୍ଛେଦ ଜାରି ରହିଛି । ରେଳବାଇ, ଜିଲ୍ଲା ପ୍ରଶାସନ, ପୁଲିସ ଓ ବିଦ୍ୟୁତ୍ ବିଭାଗ ମିଳିତ ଭାବେ ଜବରଦଖଲ ଉଚ୍ଛେଦ ଅଭିଯାନ ଆରମ୍ଭ କରିଛନ୍ତି ।  ଜେସିବି ଲଗାଇ ଜବରଦଖଲ ଉଚ୍ଛେଦ କରାଯାଉଛି ।