କନକ ବ୍ୟୁରୋ : ରେଳ ଲାଇନ ନିର୍ମାଣକୁ କେନ୍ଦ୍ର କରି ହୋଇଥିବା ରକ୍ତାକ୍ତ ସଂଘର୍ଷ ନୂଆ ମୋଡ ନେଇଛି । ବିସ୍ଥାପିତ ହୋଇଥିବା ଶତାଧିକ ଗାଁ ଲୋକ ମୃତ ଯୁବକଙ୍କ ଶବ ରଖି ଘଟଣାସ୍ଥଳରେ ଦୁଇ ଦିନ ହେଲା ପ୍ରତିବାଦ କରୁଛନ୍ତି । ଗାଁ ଲୋକଙ୍କ ସହ ଆନ୍ଦୋଳନରେ ସାମିଲ ହେଲେ ରାଜଗାଙ୍ଗପୁର ଓ ବୀରମିତ୍ରପୁର ବିଧାୟକ । ସେପଟେ ଲୋକଙ୍କ ସହ ଆଲୋଚନା କରି ଶବ ଉଠାଇବାକୁ ଉଦ୍ୟମ କରୁଛି ସ୍ଥାନୀୟ ପ୍ରାଶାସନ । କିନ୍ତୁ କ୍ଷତିପୂରଣ ଦାବିରେ ଅଡ଼ି ବସିଛନ୍ତି ଲୋକେ ।
- ଆନ୍ଦୋଳନକାରୀଙ୍କ ପ୍ରମୁଖ ଦାବି
- ୨୦୦୬ ମସିହାରେ ବିସ୍ଥାପିତଙ୍କ ସହ ହୋଇଥିବା ଚୁକ୍ତି କାର୍ଯ୍ୟକାରୀ
- ରେଳ ଲାଇନ ନିର୍ମାଣ ବନ୍ଦ
- ଲୋକଙ୍କଠାରୁ ନିଆଯାଇଥିବା ୯ ହଜାର ଏକର ଜମି ଫେରାଯାଉ
- ବିସ୍ଥାପିତ ପରିବାରକୁ ଚାକିରି ସହ କ୍ଷତିପୂରଣ
- ମୃତକଙ୍କ ପରିବାରକୁ ୧ କୋଟି ଟଙ୍କା ଅନୁକମ୍ପାମୂଳକ ସହାୟତା ରାଶି
ବନ୍ଧମୁଣ୍ଡା ଡୁମେର୍ତ୍ତାରୁ ରାଉରକେଲା ଇସ୍ପାତ କାରଖାନାକୁ ନିର୍ମାଣ ରେଳ ଲାଇନକୁ ବିରୋଧ କରି ବସ୍ତିବାସିନ୍ଦା ଓ ପୋଲିସ ମଧ୍ୟରେ ଶନିବାର ଖଣ୍ଡଯୁଦ୍ଧ ହୋଇଥିଲା । ଏଥିରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅତିରିକ୍ତ ତହସିଲଦାରଙ୍କ ସମେତ ୬ଜଣ ଆହତ ହୋଇଥିଲେ । ଯାହାକୁ ନେଇ ଏବେ ବି ବନ୍ଧମୁଣ୍ଡାରେ ପ୍ରବଳ ଉତ୍ତେଜନା ଲାଗିରହିଛି ।
ଦୀର୍ଘ ଦିନ ହେବ ସ୍ଥାନୀୟ ଲୋକେ ଏହି ନିର୍ମାଣକୁ ବିରୋଧ କରୁଥିବାରୁ ଆଗକୁ ପ୍ରଶାସନ କି ପଦକ୍ଷେପ ନେଉଛି ତା ଉପରେ ସମସ୍ତଙ୍କ ନଜର ।