କନକ ବ୍ୟୁରୋ: ଲୋକସେବା ଭବନରେ ନବନିଯୁକ୍ତଙ୍କ ଭିଡ଼ । ୨୮୨ ଜଣ ନବ ନିଯୁକ୍ତଙ୍କୁ ନିଯୁକ୍ତିପତ୍ର ବାଣ୍ଟିଛନ୍ତି ନିଜେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଶକ୍ତି, ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏବଂ ଓଡ଼ିଶା ଖଣି ନିଗମରେ ଯୁବକ ଯୁବତୀଙ୍କୁ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର । ଯେଉଁଥିରେ ୭୯ ଜଣ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କୁ ନିଯୁକ୍ତି ଦେବା ସହ ଗୁରୁମନ୍ତ୍ର ଦେଇଛନ୍ତି ମୋହନ । ଯନ୍ତ୍ରୀଙ୍କୁ ନେଇ ଓଡ଼ିଶାରେ ଭିନ୍ନ ଛବି ତିଆରି ହୋଇଛି । ତାହାକୁ ସୁଧାରିବାକୁ ସଚ୍ଚୋଟତାର ପାଠ ପଢାଇଛନ୍ତି ମୋହନ । ସରକାରଙ୍କ ୧୦୦ ଦିନର ସଫଳତା ଓ ନିର୍ବାଚନରେ ନିଯୁକ୍ତି ନେଇ ଦିଆଯାଇଥିବା ପ୍ରତିଶ୍ରୁତି ପାଳନ କରିବାକୁ ପ୍ରତିଶ୍ରୁତିବଦ୍ଧ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ  । 
 
ଲୋକସେବା ଭବନରେ ନିଯୁକ୍ତିପତ୍ର ବଣ୍ଟା ହେଉଥିବା ବେଳେ ରେଡକ୍ରସ ଭବନରେ ନିଯୁକ୍ତିକୁ ନେଇ ତେଜିଛି ବିରୋଧ । ବିରୋଧୀ ଦଳରେ ଥିବା ବେଳେ ଯେଉଁ  ନିଯୁକ୍ତି ପ୍ରକ୍ରିୟାକୁ ବିଜେପି ବିଧାନସଭାରେ ବିରୋଧ କରୁଥିଲା ଏବେ ସେହି ନୋଟିଫିକେସନରେ କିଭଳି ନିଯୁକ୍ତି ବାଣ୍ଟୁଛି ବୋଲି ପ୍ରଶ୍ନ କରିଛନ୍ତି ଆଶାୟୀ ଛାତ୍ରଛାତ୍ରୀ । 
-    ପୂର୍ବ ସରକାର ସମୟରୁ ପ୍ରକାଶିତ ଗେଜେଟ ବିଜ୍ଞପ୍ତିକୁ ନେଇ ହାଇକୋର୍ଟରେ ଚାଲିଛି ମାମଲା
-    ପୂର୍ବରୁ ମୁକେଶ ମହାଲିଙ୍ଗ ଧ୍ୟାନ ଆକର୍ଷଣ ନୋଟିସ ଜରିଆରେ ବିଧାନସଭାରେ କରିଥିଲେ ବିରୋଧ 
-    OPSC ବଦଳରେ GATE ଜରିଆରେ ନିଯୁକ୍ତି ନେଇ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ ଆଶାୟୀ
-    ଏବେ ପୁରୁଣା ନୋଟିଫିକେସନରେ ଇଲେକ୍ଟ୍ରିକାଲ ଇଞ୍ଜିନିୟରଙ୍କ ନିଯୁକ୍ତି ନେଇ ପ୍ରଶ୍ନ ଉଠାଇଲେ ଆଶାୟୀ

Advertisment

ନିଯୁକ୍ତିକୁ ନେଇ ଆଶାୟୀଙ୍କ ବିରୋଧ ଭିତରେ ସ୍ପଷ୍ଟୀକରଣ ରଖିଛନ୍ତି ମନ୍ତ୍ରୀ ମୁକେଶ ମହାଲିଙ୍ଗ । ପୂର୍ବରୁ ପରୀକ୍ଷାରେ ଅନିୟମିତତା ଓ ଏବେ ନିଯୁକ୍ତିରେ ସ୍ୱଚ୍ଛତାକୁ ନେଇ ପ୍ରଶ୍ନ ଉଠାଇଲେଣି ଛାତ୍ରଛାତ୍ରୀ । ତେଣୁ ଯଥାଶୀଘ୍ର ଏନେଇ ଦ୍ୱନ୍ଦ୍ୱ ଦୂର ନକଲେ ଆଗକୁ ସରକାରଙ୍କ ପାଇଁ ବଡ ଚ୍ୟାଲେଞ୍ଜ ହୋଇପାରେ ।