କନକ ବ୍ୟୁରୋ : ଘର ଅଗଣାରେ ହସି ଖେଳି ବଡ଼ ହେଲା ଝିଅଟିଏ । ପିଲାଦିନରୁ ସର୍ବଗୁଣ ସମ୍ପନ୍ନା ଝିଅଟି ନିଜ ପରିବାର ସହ ନିଜ ରାଜ୍ୟର ମଧ୍ୟ ନାଁକୁ ଉଜ୍ଜ୍ୱଳ କରିବାରେ ଲାଗିଥିଲା । ରାଧିକା ଯାଦବ... ହରିୟାଣାର ଜଣେ ଉଦୀୟମାନ ଟେନିସ୍ ଖେଳାଳି ଥିଲେ । ସେ ରାଜ୍ୟସ୍ତରରେ ଅନେକ ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରିଥିଲେ । ୨୩ ମାର୍ଚ୍ଚ ୨୦୦୦ରେ ଜନ୍ମଗ୍ରହଣ କରିଥିବା ରାଧିକା ଅନ୍ତର୍ଜାତୀୟ ଟେନିସ୍ ଫେଡେରେସନ (ଆଇଟିଏଫ)ରେ ଡବଲ୍ସ ଟେନିସ୍ ଖେଳାଳି ଭାବରେ ୧୧୩ତମ ସ୍ଥାନରେ ଥିଲେ । ହେଲେ ସେ କ’ଣ ଜାଣିଥିଲା ଛାଇ ଦେଉଥିବା ବାପା ହିଁ ଛାତିକୁ ଗୁଳି ମାରିବ , ଶେଷରେ ବାପା ସାଜିଲା ଝିଅର ହତ୍ୟାକାରୀ ।  ରାଧିକାର ଭୁଲ୍‌ ଏତିକି ଥିଲା କି ସେ ନିଜ ସ୍ୱପ୍ନ ପୂରଣ କରିବାକୁ ଚାହୁଥିଲେ । ସେଥିପାଇଁ ସେ ନିଜ ପରିବାର ଏବଂ ବାପା ମାଆଙ୍କୁ କଥା ଦେଇଥିଲେ କି ମୁଁ କେବେବି ଏ ଘରର ସମ୍ମାନ ତଳେ ପକାଇବି ନାହିଁ । 
ଖୋଲୁଛି ଟେନିସ୍‌ ଖେଳାଳି ରାଧିକା ଯାଦବଙ୍କ ହତ୍ୟାର ଗୁମର । ଗୁରୁଗ୍ରାମରେ ରହୁଥିବା ୨୫ ବର୍ଷୀୟା ରାଧିକା ସୋସିଆଲ ମିଡିଆରେ ନିଜର ନାଁ କମାଇବାକୁ ଚାହୁଥିଲେ । ସେ ଏକ ଟେନିସ୍‌ ଏକାଡେମୀ ଚଳାଇ ଆତ୍ମନିର୍ଭରଶୀଳ ହେବାକୁ ଚାହୁଥିଲେ । କିନ୍ତୁ ତାଙ୍କ ବାପା ତାଙ୍କୁ ଗୁଳି କରି ରାଧିକାଙ୍କ ସହ ତାଙ୍କ ସ୍ୱପ୍ନକୁ ମଧ୍ୟ ହତ୍ୟା କରିଦେଲେ । ଗୁରୁଗ୍ରାମର ରାଧିକା ଯାଦବ ହତ୍ୟା ମାମଲା ସମଗ୍ର ଦେଶକୁ ଥରାଇ ଦେଇଛି । 
ରାଧିକାଙ୍କ ଘର ଗୁରଗ୍ରାମର ସେହି ଗାଁରେ , ଯେଉଁ ଗାଁରେ ସୋସିଆଲ ମିଡିଆ ଇନ୍‌ଫ୍ଲୁଏନ୍ସର ବା ୟୁଟ୍ୟୁବର୍‌ ଏଲଭିଶଙ୍କ ଘର । ରାଧିକା ମଧ୍ୟ ଏଲଭିଶଙ୍କ ପରି ଇନ୍‌ଫ୍ଲୁଏନ୍ସର ହେବାକୁ ଚାହୁଥିଲେ । ସେ ଜଣେ ଟେନିସ୍ ଖେଳାଳି ଥିଲେ ଏବଂ ଏହି ଖେଳ ଉପରେ ଆଧାରିତ ତାଙ୍କର ସୋସିଆଲ ମିଡିଆ ଯାତ୍ରା ଆରମ୍ଭ କରିଥିଲେ । ତାଙ୍କର ଭିଡିଓ ଏବଂ ରିଲ୍ସ ପାଇଁ ସେ ଫିଟନେସ୍ ବିଷୟବସ୍ତୁକୁ ନେଇ ପ୍ରସ୍ତୁତି କରୁଥିଲେ । ଏହା ସହ ନିଜର ଏକାଡେମୀ ମଧ୍ୟ ଖୋଲିଥିଲେ ।

Advertisment

ଯେତେବେଳେ ବି ରାଧିକା ଭିଡିଓ ସୁଟ୍‌ କରୁଥିଲେ, ସେ ତାଙ୍କ ମାଆଙ୍କୁ ସାଙ୍ଗରେ ନେଉଥିଲେ । ସେ ପରିବାରକୁ ପୂର୍ବରୁ ପ୍ରତିଶ୍ରୁତି ଦେଇଥିଲେ ଯେ ମୁଁ ଏପରି କିଛି କରିବି ନାହିଁ ଯାହା ପରିବାରର ସମ୍ମାନହାନି କରିବ । କିନ୍ତୁ ତାଙ୍କ ବାପା ଦୀପକ ଯାଦବ ସୋସିଆଲ ମିଡିଆ ପ୍ରତି ଝିଅର ଆଗ୍ରହକୁ ପସନ୍ଦ କରୁ ନଥିଲେ ।

ପୁଲିସର କହିବା ଅନୁଯାୟୀ, ଦୀପକ ଯାଦବଙ୍କର ଗୁରୁଗ୍ରାମରେ ଏକ ଭଲ ଭଡା ବ୍ୟବସାୟ ଅଛି । ସେ ଚାହୁଥିଲେ ଯେ ରାଧିକା ଟେନିସ୍ ଏକାଡେମୀ ବନ୍ଦ କରିଦିଅନ୍ତୁ, କାରଣ ତାଙ୍କ କହିବା ଅନୁସାରେ ଟଙ୍କାର କୌଣସି ଅଭାବ ନଥିଲା, କିନ୍ତୁ ରାଧିକା ଆତ୍ମନିର୍ଭରଶୀଳ ହେବାକୁ ଚାହୁଥିଲେ । ଯାହା ତାଙ୍କ ବାପାଙ୍କୁ ବିଲ୍‌କୁଲ୍‌ ପସନ୍ଦ ନଥିଲା ।

ରାଧିକାଙ୍କ ବାପା ତାଙ୍କ ଟେନିସ୍‌ ଖେଳ ପାଇଁ ପାଖାପାଖି ଅଢ଼େଇ କୋଟି ଟଙ୍କା ଖର୍ଚ୍ଚ କରିଥିଲେ । କିନ୍ତୁ ସେ ଚାହୁନଥିଲେ ଝିଅ ନିଜ ଗୋଡ଼ରେ ଠିଆ ହେଉ , ନିଜେ ରୋଜଗାର କରୁ । ସେହି କଥାରେ ରାଧିକା ରାଜି ନ ହେବାରୁ ରାଗିଯାଇ ଗୁଳି କରିଦେଲେ ବାପା । ଗୁଳି ବାଜିବା ପରେ ମଧ୍ୟ ରାଧିକା କହିଥିଲେ “ ପାପା , ମୁଁ ବହୁତ ଟେନିସ୍ ଖେଳିଛି , ଯାହାକୁ ନେଇ ମୋ ମନରେ ବହୁତ ସ୍ବପ୍ନ ଅଛି । ମୁଁ ଖେଳିଥିବା ପ୍ରତିଟି ସଟ୍ ସବୁ ସୋସିଆଲ ମିଡିଆରେ ପୋଷ୍ଟ କରି ନିଜେ ରୋଜଗାର କରିବି , ଏକାଡେମୀ ଚଳାଇବି । ”ଏତିକି କହି ନିଜର ସ୍ୱପ୍ନ ସହ ସବୁଦିନ ପାଇଁ ଆଖି ବୁଜିଦେଲା ଭବିଷ୍ୟତ ପାଇଁ ମେଞ୍ଚାଏ ସ୍ୱପ୍ନ ଦେଖୁଥିବା ଝିଅଟି ।