କନକ ବ୍ୟୁରୋ: ଟେଣ୍ଡର ଫିକ୍ସିଂ ଓ ଟଙ୍କା ହେରଫେର ମାମଲାରେ ଘାଣ୍ଟୁଛି ସିବିଆଇ। ଯାଞ୍ଚ ପରେ ୩ ଜଣଙ୍କୁ ବାନ୍ଧିଲା ତଦନ୍ତକାରୀ ଏଜେନ୍ସି। ତିନି ଦିନିଆ ରିମାଣ୍ଡ ନେଇ ଅଧିକ ତନାଘନା କରିବ ସିବିଆଇ। ଅନୁମତି ଦେଲେ ସ୍ପେଶାଲ ସିବିଆଇ ଜଜ। ଓଡ଼ିଶା, ପଶ୍ଚିମବଙ୍ଗ ସମେତ ୮ ସ୍ଥାନରେ ଚଢାଉ କରି ତଦନ୍ତ ଚଳାଇଛି ସିବିଆଇ ଟିମ୍। ମାରାଥନ ରେଡ୍ ପରେ ବ୍ରିଜ ଆଣ୍ଡ ରୁଫର ଗ୍ରୁପ ଜେନେରାଲ ମ୍ୟାନେଜର ଅଭିଯୁକ୍ତ ଚଞ୍ଚଲ ମୁଖାର୍ଜୀ, କଣ୍ଟ୍ରାକ୍ଟର ସନ୍ତୋଷ ମହାରଣା ଓ ସୁପର କ୍ଲାସ କଣ୍ଟ୍ରାକ୍ଟର ଦେବଦତ୍ତ ମହାପାତ୍ରଙ୍କୁ ଗିରଫ କରିଛି ସିବିଆଇ। ୩ ଜଣଙ୍କୁ ସିବିଆଇ ସ୍ପେଶାଲ କୋର୍ଟରେ ହାଜର ପରେ ତିନି ଦିନ ରିମାଣ୍ଡରେ ନେବାକୁ ଅନୁମତି ଦେଇଛନ୍ତି ସ୍ବତନ୍ତ୍ର ସିବିଆଇ କୋର୍ଟ।
୨୪ ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ଧରି ଓଡ଼ିଶାର ବିଭିନ୍ନ ସ୍ଥାନରେ ଚାଲିଥିଲା ରେଡ଼। ଦେବଦତ୍ତଙ୍କ ଘରୁ ରେଡ ବେଳେ ଜବତ ହୋଇଛି ବିପୁଳ ପରିମାଣର ନଗଦ ଟଙ୍କା ଓ ସୁନା। ବ୍ୟାଙ୍କ ଲକର ଓ ଘରେ ରେଡ୍ ବେଳେ ଆଲମିରାରୁ ମିଳିଛି ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ । ଭଦ୍ରକର ୩ଟି ଓ ଭୁବନେଶ୍ୱରର ଦୁଇଟି ସ୍ଥାନରେ ଚାଲିଛି ରେଡ୍। ଅନ୍ୟପଟେ ଜବତ ହୋଇଛି ଆଉ ଏକ କାର । ଧଳା ରଙ୍ଗର କ୍ରେଟା କାର ଜବତ କରିଛି ସିବିଆଇ। ଧଳା ରଙ୍ଗର କାରରେ ଯାଉଥିଲେ ଆଉ ଜଣେ ଠିକାଦାର ଓ ସରକାରୀ କର୍ମଚାରୀ । ବାଟରେ ୩ଟି ଗାଡି ପରିବର୍ତ୍ତନ କରିଥିଲେ ସରକାରୀ କର୍ମଚାରୀ। ବ୍ରିଜ୍ ଆଣ୍ଡ ରୁଫ କମ୍ପାନୀ ଲିମିଟେଡ୍ ଉପରେ ସିବିଆଇ ରେଡ୍ ମଧ୍ୟ ବଳବତ୍ତର ରହିଛି। ସାରା ଦେଶରେ କମ୍ପାନୀ ଉପରେ ହେଉଛି ରେଡ୍। ଦିଲ୍ଲୀ, କୋଲକାତା ସମେତ ୧୧ଟି ସ୍ଥାନରେ ସିବିଆଇ ପକ୍ଷରୁ କରାଯାଇଛି ଅତର୍କିତ ଚଢ଼ାଉ। ଏହି କ୍ରମରେ ଓଡ଼ିଶାରେ ଭୁବନେଶ୍ବର ସମେତ ୫ଟି ସ୍ଥାନରେ ଦିଲ୍ଲୀ ସିବିଆଇ ପକ୍ଷରୁ ରେଡ୍ କରାଯାଇଛି। ଏହା ପୂର୍ବରୁ ସିବିଆଇର ୨ଟି ଟିମ ଦେବଦତ୍ତଙ୍କ ସମେତ ୪ ଜଣଙ୍କୁ ହୋଟେଲ ମେ ଫେୟାର ଆଗରୁ ଲକ୍ଷାଧିକ ନଗଦ ଟଙ୍କା ସହ ଏକ ଦାମୀ କାରରେ ଡିଲ ହେଉଥିବା ବେଳେ ଧରିଥିଲା। ବ୍ରିଜ୍ ଆଣ୍ଡ ରୁଫ କମ୍ପାନୀ ଲିମିଟେଡ୍ କମ୍ପାନୀ କୋଟି କୋଟି ଟଙ୍କାର ହେରଫେର ସହ ଟେଣ୍ଡର ଫିକ୍ସିଂ କରିଥିବା ନେଇ ଦିଲ୍ଲୀ ସିବିଆଇ ପାଖରେ ଏକ ମାମଲା ରୁଜୁ ହୋଇଥିଲା। କୋଲକତାରେ ଏହି କମ୍ପାନୀର ମୁଖ୍ୟ କାର୍ଯ୍ୟାଳୟ ରହିଛି।