କନକ ବ୍ୟୁରୋ: କାଳବୈଶାଖୀ ବର୍ଷା ପରେ ରାଜ୍ୟକୁ ତାତି ଫେରିଛି । ଦିନ ୧୦ଟାରେ ଖରା ଏମିତି ହେଉଛି ଯେ ଘର ବାହାରିବା ମୁସ୍କିଲ ହୋଇପଡୁଛି । ସେପଟେ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ଆକଳନ ତାତିରୁ ଏବେ ନିସ୍ତାର ମିଳିବ ନାହିଁ । 

Advertisment

ପ୍ରବଳ ଖରାରେ ଭାଜି ହେଉଛି ସାରା ଓଡ଼ିଶା । ଏପଟେ ଆସନ୍ତା ୩ ଦିନ ଯାଏଁ ତାତିରୁ ନିସ୍ତାର ମିଳିବ ନାହିଁ ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଅର୍ଥାତ ମାର୍ଚ୍ଚ ୩୦ ଯାଏଁ ଗରମରେ ଆଉଟୁପାଉଟୁ ହେବ ରାଜ୍ୟ । ଏହି ତିନି ଦିନ ଭିତରେ କିଛି ସ୍ଥାନରେ ଦିନର ତାପମାତ୍ରା ୪୨ ଡିଗ୍ରୀ ଟପିପାରେ । ଗ୍ରୀଷ୍ମ ପ୍ରବାହକୁ ଆଖିରେ ରଖି ତିନି ଦିନ ପାଇଁ ସତର୍କ କରିଛି ପାଣିପାଗ କେନ୍ଦ୍ର । 

ୟେଲୋ ୱାର୍ଣ୍ଣିଂ 
ଶୁକ୍ରବାର ସକାଳ ୮ଟା ୩୦ରୁ  ଶନିବାର ସକାଳ ୮ଟା ୩୦ 
ସମ୍ୱଲପୁର, ଝାରସୁଗୁଡ଼ା  

ଆଜିଠୁ ଆସନ୍ତାକାଲି ସକାଳ ଯାଏଁ ଗ୍ରୀଷ୍ମ ପ୍ରବାହକୁ ଆଖିରେ ରଖି ସମ୍ୱଲପୁର ଓ ଝାରସୁଗୁଡ଼ା ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । 

ୟେଲୋ ୱାର୍ଣ୍ଣିଂ 
ମାର୍ଚ୍ଚ ୨୯ ତାରିଖ  
ସେହିପରି ଶନିବାର ପାଇଁ ୬ ଜିଲ୍ଲାକୁ ୟେଲେ ୱାର୍ଣ୍ଣିଂ ଜାରି କରାଯାଇଛି । କଳାହାଣ୍ଡି, ବଲାଙ୍ଗୀର, ସୋନପୁର,ବୌଦ୍ଧ, ସମ୍ବଲପୁର  ଓ ଝାରସୁଗୁଡ଼ାରେ ପ୍ରବଳ ଖରା ହେବ ବୋଲି ଆକଳନ କରିଛି ପାଣିପାଗ କେନ୍ଦ୍ର । 

ୟେଲୋ ୱାର୍ଣ୍ଣିଂ 
ମାର୍ଚ୍ଚ ୩୦ ତାରିଖ   
ସେହିପରି ୩୦ ତାରିଖରେ କଳାହାଣ୍ଡି, ବଲାଙ୍ଗୀର, ସୋନପୁର, ବୌଦ୍ଧ ,ସମ୍ବଲପୁର ଓ ଝାରସୁଗୁଡ଼ା ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରି ୪ଦିନର ତାତିରେ ଓଡ଼ିଶା ସିଝିବା ପରେ ବଦଳିବ ପାଗ । ଏପ୍ରିଲ ୨ ତାରିଖ ବେଳକୁ କିଛି ସ୍ଥାନରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଛି । ଆଦ୍ରତାର ପରିମାଣ ବୃଦ୍ଧି ସହ ବାୟୁର ଦିଗ ପରିବର୍ତ୍ତନକୁ ନେଇ ୨ କିମ୍ବା ୩ତାରିଖ ବେଳକୁ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଜିଲ୍ଲାରେ ବର୍ଷା ହୋଇପାରେ ବୋଲି ପୂର୍ବାନୁମାନ  କରିଛି ପାଣିପାଗ ବିଭାଗ । 

ଗତ ୨୪ ଘଂଟାରେ ୩ଟି ଜିଲ୍ଲାରେ ୪୦ ଡିଗ୍ରୀ ଉପରେ ତାପମାତ୍ରା ରେକର୍ଡ ହୋଇଥିବା ବେଳେ ଝାରସୁଗୁଡ଼ାରେ ସର୍ବାଧିକ ୪୧.୪ ଡିଗ୍ରୀ ରେକର୍ଡ କରାଯାଇଛି ।