କନକ ବ୍ୟୁରୋ: ବହିରେ ରହିଗଲାଣି ମାଘର ବାଘ ଭଳିଆ ଶୀତ । ଏବେ ମାଘ ମାସରେ ଅନୁଭୂତ ହେଉଛି ଅସହ୍ୟ ଗରମ । ଟାଣ ଖରା ସାଙ୍ଗକୁ ଗୁଳୁଗୁଳି ବି ବଢ଼ିଲାଣି । ଆଗକୁ ଏହି ତାତି ଆହୁରି ବଢ଼ିବ ବୋଲି କୁହାଯାଉଛି । ଯାହାକି ଚିନ୍ତାର କାରଣ ପାଲଟିଛି ।
ଜାନୁଆରୀ ଶେଷ ସପ୍ତାହରୁ ଶୀତ କୁଆଡେ ଗାଏବ ହୋଇଯାଇଛି । ବଢ଼ି ଭୋରରୁ ଘନ କୁହୁଡି, ଦିନ ସମୟରେ ଟାଇଁ ଟାଇଁ ଖରା ଅସ୍ତବ୍ୟସ୍ତ କଲାଣି । ପାଣିପାଗ ବିଭାଗର ତଥ୍ୟ ଅନୁସାରେ ଗତ ୨୪ ଘଣ୍ଟାରେ ପାରଳାଖେମୁଣ୍ଡିରେ ସର୍ବାଧିକ ତାପମାତ୍ରା ୩୫. ୬ ଡିଗ୍ରି ରେକର୍ଡ ହୋଇଛି । ଝାରସୁଗୁଡ଼ା ତାପମାତ୍ରା ୩୫.୨, ବଲାଙ୍ଗିରରେ ୩୫, ସମ୍ବଲପୁରରେ ୩୪. ୭, ଭବାନୀପାଟଣାରେ ୩୪ ଡିଗ୍ରି ରହିଥିଲା । ଆଜି ଭୁବନେଶ୍ବରର ତାପମାତ୍ରା ୩୪ ଡିଗ୍ରି ଉପରେ ରହିଛି । ତେବେ ପୂର୍ବରୁ ଫେବ୍ରୁଆରୀ ପ୍ରଥମ ସପ୍ତାହରୁ ଏଭଳି ତାତି କେବେ ରେକର୍ଡ ହୋଇନଥିଲା ବୋଲି କୁହାଯାଉଛି ।
ପାଣିପାଗ ବିଶେଷଜ୍ଞ କହିବା ଅନୁସାରେ ସାଧାରଣତଃ ଫେବ୍ରୁଆରି ତୃତୀୟ ସପ୍ତାହ ପରେ ସର୍ବାଧିକ ତାପମାତ୍ରା ରେକର୍ଡ କରାଯାଇଥାଏ । କିନ୍ତୁ ଚଳିତଥର ଜାନୁଆରି ଶେଷ ସପ୍ତାହରୁ ହିଁ ତାତି ଚିନ୍ତା ବଢ଼ାଇଛି । ମିଳିଥିବା ତଥ୍ୟ ଅନୁସାରେ ଭୁବନେଶ୍ବର ତାପମାତ୍ରା ୧୯୬୩ ଫେବ୍ରୁଆରି ୨୩ରେ ସର୍ବାଧିକ ୪୨.୭ ଡିଗ୍ରି ରେକର୍ଡ ହୋଇଥିଲା । ସେହିପରି ୨୦୨୧ ଫେବ୍ରଆରୀ ୨୬, ୨୭ ଓ ୨୮ ତାରିଖ ତିନି ଦିନ ୪୦ ଡିଗ୍ରି ଉପରେ ତାପମାତ୍ରା ରହିଥିଲା । ୨୦୧୬ ଫେବ୍ରୁଆରି ୧୯ରେ ୩୯.୩ ଡିଗ୍ରି ତାପମାତ୍ରା ରେକର୍ଡ କରାଯାଇଥିଲା । ହେଲେ, ଚଳିତ ବର୍ଷ ଭଳି ପୂର୍ବରୁ କୌଣସି ବର୍ଷ ଫେବ୍ରୁଆରୀ ପ୍ରଥମ ସପ୍ତାହରେ ଏତେ ତାପମାତ୍ରା ରେକର୍ଡ ହୋଇନାହିଁ । ଜଳବାୟୁ ପରିବର୍ତ୍ତନ ଋତୁଚକ୍ରକୁ ପ୍ରଭାବିତ କରୁଛି । ଯାହାଫଳରେ ଶୀତ ଋତୁର ସମୟ କମିବା ସହ ଆଗୁଆ ଖରା ଆସୁଛି ବୋଲି କୁହାଯାଉଛି ।