କନକ ବ୍ୟୁରୋ: ଆଜି ଝାରସୁଗୁଡାରେ ଦିନ ୧୧ଟା ୩୦ରେ ତାପମାତ୍ରା ୩୭.୨ ଡ଼ିଗ୍ରୀ ରେକର୍ଡ କରାଯାଇଛି । ଗତକାଲି ଏହି ସମୟରେ ଝାରସୁଗୁଡାରେ ତାପମାତ୍ରା ୩୩.୬ ଡ଼ିଗ୍ରୀ ରେକର୍ଡ କରାଯାଇଥିଲା । ଚଳିତ ବର୍ଷ ପ୍ରବଳ ଗରମ ଅନୁଭୂତ ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।
ଉପକୂଳରୁ ଉପାନ୍ତ, ସବୁଠି ତାତି ଦେଖାଇବ ତାଉ । ପଶ୍ଚିମ ଓଡ଼ିଶାରେ ହିଟୱେଭ୍ ନେଇ ଆଲର୍ଟ ଜାରି ହୋଇଛି । ୪ ଦିନ ଅର୍ଥାତ୍ ୧୪, ୧୫ ଓ ୧୬ ତାରିଖରେ ପ୍ରବଳ ଖରା ନେଇ ୟେଲୋ ଓ ଅରେଞ୍ଜ ଆଲର୍ଟ ଜାରି କରିଥିଲା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ବଲାଙ୍ଗୀର, ବୌଦ୍ଧ, ସମ୍ବଲପୁର ଓ ଝାରସୁଗୁଡ଼ା ବ୍ୟତୀତ ଆଭ୍ୟନ୍ତରୀଣ ଓଡ଼ିଶାର ୪ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ୧୪ରେ ପ୍ରବଳ ଖରା ନେଇ ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବୌଦ୍ଧ, ବଲାଙ୍ଗୀର ଓ ଅନୁଗୁଳକୁ ୟେଲୋ ୱାର୍ଣ୍ଣିଂ ୧୫ରେ ସୁନ୍ଦରଗଡ଼, ସୋନପୁର, ଅନୁଗୁଳ, ବରଗଡ଼ ଓ ମଯୂରଭଞ୍ଜକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ସେହିପରି ୧୬ରେ ବଲାଙ୍ଗୀର, ବୌଦ୍ଧ, ସୋନପୁର, ବରଗଡ଼, ସୁନ୍ଦରଗଡ଼ ଓ ମଯୂରଭଞ୍ଜ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଆସନ୍ତା ୪ରୁ ୫ ଦିନ ଭିତରେ ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ୩ରୁ ୪ ଡିଗ୍ରୀ ଯାଏଁ ବଢ଼ିବା ନେଇ ପୂର୍ବାନୁମାନ କରାଯାଉଛି ।
ଦିଲ୍ଲୀରେ ଏବେ ରେକର୍ଡ ଭାଙ୍ଗୁଛି ଗରମ । ଏପର୍ୟ୍ୟନ୍ତ ରେକର୍ଡ କରାଯାଇଥିବା ତାପମାତ୍ରା ୩୩ ଡିଗ୍ରୀ ପାର ହୋଇଛି । ଗତକାଲି ତାପମାତ୍ରା ସର୍ବାଧିକ ରେକର୍ଡ କରାଯାଇଥିଲା । ପାଣିପାଗ ବିଭାଗ କହିବାନୁଯାୟୀ, ଆଜିଠୁ ୧୫ ମାର୍ଚ୍ଚ ପର୍ଯ୍ୟନ୍ତ ଦିଲ୍ଲୀରେ ହାଲୁକା ବର୍ଷା ହେବାର ଆଶଙ୍କା କରାଯାଉଛି । ଆଜି ତାପମାତ୍ରା ହାରାହାରି ୩୨-୩୫ ଡିଗ୍ରୀ ରହିବାର ସମ୍ଭାବନା ରହିଛି । ମାର୍ଚ୍ଚ ୧୫ରୁ ତାପମାତ୍ରାରେ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି । ଏପଟେ ଗରମ ଅସହ୍ୟ ହେବା ଯୋଗୁଁ ଦିଲ୍ଲୀବାସୀ କଲବଲ ହେଉଛନ୍ତି ।