କନକ ବ୍ୟୁରୋ: ସାଉଥ୍ ଭେଟେରିଆନ୍ ଆକ୍ଟର କୋଟା ଶ୍ରୀନିବାସ ରାଓଙ୍କ ନିଧନ । କୋଟା ଶ୍ରୀନିବାସ ରାଓଙ୍କର ୮୩ ବର୍ଷ ବୟସରେ ପରଲୋକ ହୋଇଛି । ଦୀର୍ଘ ଦିନ ଧରି ଅସୁସ୍ଥ ରହିବା ପରେ ରବିବାର ଦିନ ହାଇଦ୍ରାବାଦ ସ୍ଥିତ ଫିଲ୍ମନଗର ବାସଭବନରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ତାଙ୍କର ବିୟୋଗରେ ତେଲୁଗୁ ସମେତ ସମଗ୍ର ଭାରତୀୟ ଚଳଚ୍ଚିତ୍ର ଜଗତରେ ଶୋକର ଛାୟା ଖେଳିଯାଇଛି ।
୧୯୪୨ ମସିହା ଜୁଲାଇ ୧୦ ତାରିଖରେ ଆନ୍ଧ୍ରପ୍ରଦେଶର କୃଷ୍ଣା ଜିଲ୍ଲାର କାଙ୍କିପାଡୁଠାରେ ଜନ୍ମଗ୍ରହଣ କରିଥିବା କୋଟା ଶ୍ରୀନିବାସ ରାଓ ୧୯୭୮ ମସିହାରେ 'ପ୍ରାଣମ୍ ଖାରିଦୁ' ଚଳଚ୍ଚିତ୍ର ଜରିଆରେ ନିଜର ଅଭିନୟ ଯାତ୍ରା ଆରମ୍ଭ କରିଥିଲେ । ଚାରି ଦଶନ୍ଧିରୁ ଅଧିକ ସମୟର କ୍ୟାରିୟରରେ ସେ ୭୫୦ରୁ ଅଧିକ ଚଳଚ୍ଚିତ୍ରରେ ଅଭିନୟ କରି ଦର୍ଶକଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଥିଲେ । ସେ କେବଳ ତେଲୁଗୁ ସିନେମାରେ ସୀମିତ ନରହି ତାମିଲ, ହିନ୍ଦୀ, କନ୍ନଡ ଏବଂ ମାଲାୟାଲମ୍ ଚଳଚ୍ଚିତ୍ରରେ ମଧ୍ୟ ନିଜ ଅଭିନୟର ଯାଦୁ ଦେଖାଇଥିଲେ ।
କୋଟା ଶ୍ରୀନିବାସ ରାଓ ତାଙ୍କର ବହୁମୁଖୀ ପ୍ରତିଭା ପାଇଁ ପରିଚିତ ଥିଲେ । ଖଳନାୟକ, ହାସ୍ୟ ଅଭିନେତା ଏବଂ ଚରିତ୍ର ଅଭିନେତା ଭାବରେ ସେ ପ୍ରତ୍ୟେକ ଭୂମିକାକୁ ଅତି ନିଖୁଣ ଭାବରେ ପରିବେଷଣ କରୁଥିଲେ । ତାଙ୍କର ଶକ୍ତିଶାଳୀ ସଂଳାପ ଏବଂ ଅଭିବ୍ୟକ୍ତି ତାଙ୍କୁ ସିନେମା ଜଗତରେ ଏକ ଭିନ୍ନ ପରିଚୟ ଦେଇଥିଲା । 'ଆହା ନା ପେଲ୍ଲାଣ୍ଟା!', 'ପ୍ରତିଘାତନା', 'ଶିବା' ଏବଂ 'ନାୟକ' ଭଳି ଅନେକ ସଫଳ ଚଳଚ୍ଚିତ୍ରରେ ତାଙ୍କର ଅଭିନୟ ସ୍ମରଣୀୟ ହୋଇ ରହିବ ।
ଅଭିନୟ କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ୨୦୧୫ ମସିହାରେ ଭାରତ ସରକାରଙ୍କ ପକ୍ଷରୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଥିଲା । ଏହା ବ୍ୟତୀତ ସେ ଆନ୍ଧ୍ରପ୍ରଦେଶ ସରକାରଙ୍କ ଦ୍ୱାରା ୯ ଥର ନନ୍ଦୀ ପୁରସ୍କାରରେ ମଧ୍ୟ ସମ୍ମାନିତ ହୋଇଥିଲେ । ଅଭିନୟ ସହିତ କୋଟା ଶ୍ରୀନିବାସ ରାଓ ରାଜନୀତିରେ ମଧ୍ୟ ସକ୍ରିୟ ଥିଲେ । ସେ ଭାରତୀୟ ଜନତା ପାର୍ଟି ରୁ ଟିକେଟ ପାଇ ୧୯୯୯ରୁ ୨୦୦୪ ପର୍ଯ୍ୟନ୍ତ ବିଜୟୱାଡା ପୂର୍ବ ନିର୍ବାଚନ ମଣ୍ଡଳୀରୁ ବିଧାୟକ ଭାବରେ ନିର୍ବାଚିତ ହୋଇଥିଲେ ।