କନକ ବ୍ୟୁରୋ: ଏବେ ରାଜନୀତିରେ ବାସ୍ତୁ ଭୟ । ଆଗରୁ ଉତ୍ତରପ୍ରଦେଶରେ ଯେଉଁ ଅନ୍ଧବିଶ୍ବାସ ଥିଲା ଏବେ ତେଲେଙ୍ଗାନାରେ ବି ସେଭଳି ଡର ନେତାଙ୍କୁ ଘାରିଛି । ଯାହାର ପ୍ରମାଣ ଦେଇଛନ୍ତି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଏ ରେଭନ୍ତ ରେଡ୍ଡୀ । ତାଙ୍କୁ ଏବେ ବାସ୍ତୁ ଦୋଷ ଡରାଉଛି । ଭୟରେ ସେ ଆଉ ସଚିବାଳୟରେ ବସୁନାହାନ୍ତି । ଡରରେ ରେଭନ୍ତ ସଚିବାଳୟ ଛାଡ଼ି ପଳାଇଛନ୍ତି । ଏବେ ବଞ୍ଜାରା ହିଲ୍ସ ସ୍ଥିତ ହାଇ ସିକ୍ୟୁରିଟି ବ୍ୟବସ୍ଥା ଥିବା ତେଲେଙ୍ଗାନା ପୁଲିସର କମାଣ୍ଡ ଆଣ୍ଡ୍ କଣ୍ଟ୍ରୋଲ ସେଣ୍ଟରରୁ କାମ କରୁଛନ୍ତି ।
ରେଭନ୍ତଙ୍କ କହିବା କଥା, ନୂଆ ସଚିବାଳୟ ବିଲ୍ଡିଂରେ ବାସ୍ତୁ ଦୋଷ ଅଛି । ହେଲେ ଏତେ ବଡ଼ କୋଠା , ୬୫୦ କୋଟି ଖର୍ଚ୍ଚ ହୋଇ ତିଆରି ହୋଇଥିଲା, ୟା ଭିତରେ ମନ୍ତ୍ରୀ, ଅଧିକାରୀଙ୍କ ପାଇଁ ଆଲିସାନ୍ ରୁମ ସବୁ ରହିଛି । ପୂର୍ବତନ ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କ ସମୟରେ ନିର୍ମାଣ ହୋଇଥିଲା ଏହି କୋଠା । ୨୦୨୩ ଏପ୍ରିଲରେ ସେ ଏହାକୁ ଉଦଘାଟନ କରିଥିଲେ ।
ସୂଚନା ମୁତାବକ, କେସିଆର ପୁରୁଣା କୋଠାରେ ବାସ୍ତୁ ଦୋଷ ଦେଖାଇଲେ । ୭୦ କୋଟି ଟଙ୍କା ଖର୍ଚ୍ଚରେ ଏହାକୁ ଭାଙ୍ଗିଦେଲେ । ପୁଣି ନୂଆ ସଚିବାଳୟ ଗଢ଼ିଲେ । ଭାବିଥିଲେ ତାଙ୍କ ପରେ ତାଙ୍କ ପୁଆ ଏଠି ରାଜ୍ କରିବ । ହେଲେ ପସା ଓଲଟିଗଲା । ଗତ ନିର୍ବାଚନରେ ଚିତପଟାଙ୍ଗ ମାରିଲା ତାଙ୍କ ଦଳ ବିଆରଏସ୍ । ଶାସନକୁ ଆସିଲେ କଂଗ୍ରେସର ରେଭନ୍ତ ରେଡ୍ଡୀ । ଏଇ ନୂଆ କୋଠାରେ ଆସି ବସିଲେ ରେଭନ୍ତ । ହେଲେ ଏଠି ବି ବସୁଥିଲେ କେସିଆରଙ୍କ ଅନେକ ବିଶ୍ବସ୍ତ ଅଧିକାରୀ । ଆଉ ରେଭନ୍ତ ରେଡ୍ଡୀ ଯାହା ଆଲୋଚନା କରୁଥିଲେ ବା ନିଷ୍ପତ୍ତି ନେଉଥିଲେ ସେସବୁ କଥା ବାହାରେ ଲିକ୍ ହେଉଥିଲା । ବିରୋଧୀ ସବୁ ଜାଣୁଥିଲେ। ଏ ନୂଆ ସଚିବାଳୟରେ ଫୋନ୍ ଟ୍ୟାପିଂ ଅଭିଯୋଗ ଆଣିଥିଲେ ରେଭନ୍ତ । ଏଠି ଅଣନିଶ୍ବାସୀ ହୋଇପଡ଼ୁଥିଲେ ରେଭନ୍ତ । ବାସ୍ତୁକାର କହିଲେ ଏଠି ବି ବାସ୍ତୁ ଦୋଷ ଅଛି । ଏକଥା ଶୁଣି ତୁରନ୍ତ ନୂଆ ସଚିବାଳୟ ଛାଡ଼ି ପଳାଇଲେ ରେଭନ୍ତ । ଏବେ ପୁଲିସ କମାଣ୍ଡ ସେଣ୍ଟରରେ ବସି କାମ କରୁଛନ୍ତି । ରେଭନ୍ତଙ୍କ ଏଭଳି ଚିନ୍ତାଧାରାକୁ ନେଇ ଏବେ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା । ସମସ୍ତେ କହୁଛନ୍ତି ମନ୍ତ୍ରୀଙ୍କୁ ଘାରିଛି ବାସ୍ତୁ ଟେନସନ୍ ।