କନକ ବ୍ୟୁରୋ : ତେଲେଙ୍ଗାନାରେ ଏକ ବଡ଼ ରାଜନୈତିକ ହଲଚଲ ସାମ୍ନାକୁ ଆସିଛି । BRSର ଅଧ୍ୟକ୍ଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ ନିଜ ଝିଅ କେ. କବିତାଙ୍କୁ ଦଳରୁ ନିଲମ୍ବନ କରିଛନ୍ତି । ଆମେରିକାରୁ ଫେରିଥିବା କେ. କବିତା, ପିତା କେ.ଚନ୍ଦ୍ରଶେଖରଙ୍କ ବିରୁଦ୍ଧରେ ସିବିଆଇ ତଦନ୍ତ ହେବା ପରେ ନିଜ ସମ୍ପର୍କୀୟ ଭାଇ ହରିଶ ରାଓଙ୍କୁ ଟାର୍ଗେଟ କରିଥିଲେ । କେ. କବିତା ଅଭିଯୋଗ କରିଥିଲେ ଯେ ପିତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହରିଶ ରାଓଙ୍କ ରେଭନ୍ତ ରେଡ୍ଡୀଙ୍କ ସହ ମିଳିମିଶା ଯୋଗୁଁ ହେଉଛି । କେ. କବିତାଙ୍କ ଦ୍ୱାରା ସମ୍ପର୍କୀୟ ଭାଇ ତଥା ପୂର୍ବତନ ମନ୍ତ୍ରୀ ହରିଶ ରାଓଙ୍କୁ ଟାର୍ଗେଟ କରାଯିବା ପରେ ଚନ୍ଦ୍ରଶେଖର ନିଜ ଝିଅକୁ ଦଳରୁ ବାହାର କରିଦେଇଛନ୍ତି । ଚନ୍ଦ୍ରଶେଖରଙ୍କ ପୁଅ କେ.ଟି ଆର୍ ବର୍ତ୍ତମାନ BRSର କାର୍ଯ୍ୟକାରୀ ଅଧ୍ୟକ୍ଷ ଅଛନ୍ତି । ତେଲେଙ୍ଗାନାର କାଳେଶ୍ୱରମ୍ ପ୍ରୋଜେକ୍ଟରେ କଥିତ ଦୁର୍ନୀତିର ତଦନ୍ତ ସିବିଆକୁ ଦିଆଯାଇଛି । ଏହି ପ୍ରୋଜେକ୍ଟ ଚନ୍ଦ୍ରଶେଖର ମୁଖ୍ୟମନ୍ତ୍ରୀ ଥିବା ସମୟରେ ହିଁ ନିର୍ମିତ ହୋଇଥିଲା ।

ଭାଇ-ଭଉଣୀଙ୍କ ମଧ୍ୟରେ ଚାଲିଥିଲା କନ୍ଦଳ

Advertisment

BRSରେ ଉତ୍ତରାଧିକାରୀକୁ ନେଇ ଭାଇ କେ.ଟି ଆର୍ ଏବଂ ଭଉଣୀ କେ. କବିତାଙ୍କ ମଧ୍ୟରେ ଦୀର୍ଘ ଦିନରୁ କନ୍ଦଳ ଚାଲିଥିଲା । କବିତା ଭାଇ କେ.ଟି ଆର୍ ଉପରେ ଅଭିଯୋଗ କରିଥିଲେ ଯେ ସେ କେ. ଚନ୍ଦ୍ରଶେଖର ରାଓଙ୍କୁ ଭୁଲ ସୂଚନା ଦେଇ ଦଳକୁ ବିଜେପିରେ ମିଶାଇବାକୁ ଚେଷ୍ଟା କରୁଛନ୍ତି । ସେ ବୟାନ ଦେଇଥିଲେ ଯେ ତାଙ୍କ ପିତା ଭଗବାନ । ନିକଟରେ ସେ ପୁଣି ଚନ୍ଦ୍ରଶେଖରଙ୍କୁ ସର୍ବୋଚ୍ଚ ନେତା କହି କେ.ଟି ଆର୍ ସମର୍ଥକ ନେତାଙ୍କୁ ଟାର୍ଗେଟ କରୁଥିଲେ । 

ଝିଅର ବୟାନରେ ଚନ୍ଦ୍ରଶେଖର ନାରାଜ

ମଙ୍ଗଳବାର ହାଇଦ୍ରାବାଦର ତେଲେଙ୍ଗାନା ଭବନରେ ଦଳର ଶୀର୍ଷ ନେତାଙ୍କ ବୈଠକ ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ କେ. କବିତାଙ୍କ ଆଚରଣ ଉପରେ ଆଲୋଚନା ହୋଇଥିଲା । ସୂଚନା ଅନୁଯାୟୀ, କେ. ଚନ୍ଦ୍ରଶେଖର ରାଓ ମଧ୍ୟ ଝିଅ କେ. କବିତାଙ୍କ ବୟାନବାଜିରେ ନାରାଜ ଥିଲେ । ଏହା ପରେ ତାଙ୍କୁ ଦଳରୁ ବହିଷ୍କାର କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ୧୦ ବର୍ଷରୁ ଅଧିକ ସମୟ ଧରି ମୁଖ୍ୟମନ୍ତ୍ରୀ ରହିବା ପରେ କ୍ଷମତାରୁ ବାହାରିଥିବା  ଚନ୍ଦ୍ରଶେଖରଙ୍କ ଦଳ BRS ତେଲେଙ୍ଗାନାରେ ମୁଖ୍ୟ ବିରୋଧୀ ଦଳ । ଚନ୍ଦ୍ରଶେଖରଙ୍କ ଝିଅ କେ. କବିତାଙ୍କୁ ଦିଲ୍ଲୀ ମଦ ଦୁର୍ନୀତିରେ ଜେଲ୍ ମଧ୍ୟ ଯିବାକୁ ପଡିଥିଲା । ସେ ବର୍ତ୍ତମାନ ବିଧାନ ପରିଷଦର ସଦସ୍ୟ ଅଛନ୍ତି । ଏହା ପୂର୍ବରୁ ସେ ବିଧାୟକ ରହିସାରିଛନ୍ତି । ସେ ରାଜନୀତିରେ ଆସିବା ପରେ BRS ରେ ଏକ ବଡ଼ ପରିଚୟ ସୃଷ୍ଟି କରିଥିଲେ । କେ. କବିତା ତେଲେଙ୍ଗାନା ଜାଗୃତିର ପ୍ରତିଷ୍ଠାତା ।