କନକ ବ୍ୟୁରୋ: ଦିଲଜିତ ଦୋସାଞ୍ଜ ଏବଂ ହାଇଦ୍ରାବାଦରେ ଆଜି ହେବାକୁ ଥିବା ଦିଲ୍-ଲୁମିନିଟି କନ୍ସର୍ଟର ଆୟୋଜକମାନଙ୍କୁ ନୋଟିସ୍ ଜାରି କରିଛନ୍ତି ତେଲାଙ୍ଗାନା ସରକାର । ମଦ୍ୟପାନ, ଡ୍ରଗ୍ସ ଏବଂ ହିଂସାକୁ ପ୍ରବର୍ତ୍ତାଉ ଥିବା ଭଲି ସଂଗୀତ ପରିବେଷଣରୁ ଦୂରେଇ ରହିବାକୁ ସେମାନଙ୍କୁ ନୋଟିସ୍ କରାଯାଇଛି ।  ଚଣ୍ଡିଗଡ଼ର ପଣ୍ଡିତରାଓ ଧରେନାବର ଦିଲଜିତ ଦୋସାଞ୍ଜଙ୍କ ଏପରି କିଛି ସଙ୍ଗୀତ ପରିବେଷଣର ଭିଡିଓ ପୋଷ୍ଟ କରିବା ପରେ ତେଲାଙ୍ଗାନା ସରକାର ନୋଟିସ୍ ଜାରି କରିଛନ୍ତି । ଦିଲଜିତ ଦିଲ୍ଲୀର ଜବାହରଲାଲ ନେହରୁ ଷ୍ଟାଡିୟମ ଏବଂ ଜୟପୁରରେ ଦିଲ୍-ଲୁମିନିଟି କନ୍ସର୍ଟରେ ଏପରି ସଙ୍ଗୀତ ପରିବେଷଣ କରିଥିବା ଭିଡିଓ ପୋଷ୍ଟ କରିଥିଲେ ପଣ୍ଡିତରାଓ ଧରେନାବର । ଆଜି ହାଇଦ୍ରାବାଦରେ ଦିଲଜିତଙ୍କ କାର୍ଯ୍ୟକ୍ରମ ଥିବାବେଳେ ତେଲାଙ୍ଗାନା ସରକାର ଏପରି ନୋଟିସ୍ ପଠାଇଛନ୍ତି । ମଦ୍ୟପାନ, ଡ୍ରଗ୍ସ ଏବଂ ହିଂସାକୁ ପ୍ରବର୍ତ୍ତାଉ ଥିବା ଭଳି ସଂଗୀତ ପରିବେଷଣରୁ ଦୂରେଇ ରହିବା ସହ ଲାଇଭ୍ ଶୋ' ସମୟରେ ଛୋଟ ପିଲାଙ୍କୁ ଷ୍ଟେଜରେ ବ୍ୟବହାର ନକରିବା ଏବଂ ଉଚ୍ଚ ସ୍ୱରରେ ମ୍ୟୁଜିକ୍ ନ ବଜାଇବାକୁ ନିର୍ଦ୍ଦେଶ ଦେଇଛନ୍ତି । ରଙ୍ଗା ରେଡ୍ଡୀ ଜିଲ୍ଲାର ମହିଳା ଓ ଶିଶୁ ବିକାଶ ଏବଂ ଭିନ୍ନକ୍ଷମ ଓ ବରିଷ୍ଠ ନାଗରିକ କଲ୍ୟାଣ ବିଭାଗ ପକ୍ଷରୁ ଏହି ନୋଟିସ୍ ଜାରି କହାଯାଇଛି । ନୋଟିସରେ କୁହାଯାଇଛି ଯେ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁଯାୟୀ, ୧୩ ବର୍ଷରୁ କମ୍ ପିଲାମାନେ ୧୨୦ ଡେସିବଲରୁ ଅଧିକ ଧ୍ୱନି ସ୍ତରରରୁ ଦୂରେଇ ରହିବା ଉଚିତ୍ । ତେଣୁ ଲାଇଭ୍ ଶୋ ସମୟରେ ଏଥିପ୍ରତି ଆୟୋଜକ ଧ୍ୟାନ ଦେବା ଉଚିତ୍ । ପ୍ରକାଶ ଥାଉକି, ଦିଲ୍-ଲୁମିନିଟି କନ୍ସର୍ଟ ୧୧ଟି ସହରେ ପରିବେଷଣ ହେବାର କାର୍ଯ୍ୟକ୍ରମ ରହିଛି । ଅକ୍ଟୋବର ୨୬ରୁ ଏହି ପ୍ରୋଗ୍ରାମ ଆରମ୍ଭ ହୋଇଛି। ହାଇଦ୍ରାବାଦରେ ଆଜି ତୃତୀୟ ଶୋ' ଅଛି ।